କନକ ବ୍ୟୁରୋ: ଓଡ଼ିଶା ରାଜନୀତିରେ ଏବେ ରାହୁଲ ଓ ନବୀନଙ୍କୁ ନେଇ ଭାରି ଚର୍ଚ୍ଚା । ଦୁଇ ବିରୋଧୀ ଦଳର ନେତା ସରକାରଙ୍କୁ କେମିତି ଘାଇଲା କରୁଛନ୍ତି ତାହା ଏବେ ଗଣମାଧ୍ୟମର ସିରୋନାମା ପାଲଟିଲାଣି । ଶୁକ୍ରବାର…ଦିଲ୍ଲୀରୁ ଭୁବନେଶ୍ବର ଆସିଲେ ରାହୁଲ ଗାନ୍ଧୀ । ନିର୍ବାଚନ ପରେ ରାହୁଲଙ୍କ ଏହାଥିଲା ପ୍ରଥମ ଗସ୍ତ । ଯେହେତୁ ଶୀର୍ଷ ନେତୃତ୍ବଙ୍କ କାର୍ଯ୍ୟକ୍ରମ ଥିଲା ତେଣୁ କଂଗ୍ରେସ ନେତା ଓ କର୍ମୀଙ୍କ ମନରେ ପ୍ରବଳ ଜୋସ୍‌ ଥିଲା । 

Advertisment

ଶୁକ୍ରବାର ରାହୁଲ ଆସିଲେ 
ମୋଦୀ ଓ ମୋହନ ସରକାରକୁ ଧୋଇଲେ
ଶନିବାର ନବୀନ ଆସିଲେ
ବିଜେଡି ନେତା ଓ କର୍ମୀଙ୍କ ମନରେ ଜୋସ୍‌ ଭରିଲେ

ଏୟାରପୋର୍ଟରୁ ବରମୁଣ୍ଡା ପଡ଼ିଆ…ବରମୁଣ୍ଡା ପଡ଼ିଆରୁ ପିସିସି କାର୍ଯ୍ୟାଳୟ ସବୁଠି ପୋଷ୍ଟର…ସ୍ବାଗତମ୍‌ ପାଇଁ ସବୁ ପ୍ରସ୍ତୁତି ଥିଲା । ରାହୁଲ ବି ଆଦୌ ନିରାଶ କରିନଥିଲେ । ରଥଯାତ୍ରା ଦିନ କାହିଁକି ଅଧାବାଟରେ ରଥ ରହିଲା ? କେମିତି ଆଦାନୀ ସରକାର ଚାଲୁଛି ରାଜ୍ୟରେ ? ସେନେଇ ସରକାରଙ୍କ ଉପରେ ମନଇଚ୍ଛା ବର୍ଷିଥିଲେ । ଖାଲି ବର୍ଷିଥିଲେ ତାହା ନୁହେଁ ବରଂ ବିଜେପି ସରକାରକୁ ହଟାଇ ଦେବା ପାଇଁ ଆହ୍ବାନ ଦେଇଥିଲେ । ରାହୁଲଙ୍କ ଭାଷଣରେ ବେଶ୍‌ ଖୁସି ହୋଇଥିଲେ ନେତା ଓ କର୍ମୀ ।   

ରାହୁଲଙ୍କ ଟାର୍ଗେଟ୍‌ରେ ଥିଲେ ମୋହନ
କହିଲେ, ଧନୀଙ୍କ ପାଇଁ ବିଜେପି ସରକାର
ଗରିବଙ୍କ ଲାଗି କଂଗ୍ରେସ

ରାଜ୍ୟରେ ବିଜେପି ସରକାର ଆସିବା ପରେ କେମିତି କାମ କରୁଛି ସେନେଇ ପ୍ରବଳ ବର୍ଷିଥିଲେ ରାହୁଲ । ବିଜେପି କେବଳ ଧନୀଙ୍କ ପାଇଁ କାମ କରୁଥିବା ସେ ଅଭିଯୋଗ କରିଥିଲେ । ବିଜେପି ପୂରା ଦେଶରେ ସମ୍ୱିଧାନ ଉପରେ ଆକ୍ରମଣ କରୁଛି । ମହାରାଷ୍ଟ୍ର ଭଳି ବିାହରରେ ନିର୍ବାଚନ ଚୋରି କରିବାକୁ ପ୍ରୟାସ କରାଯାଉଛି । ଆଉ ଏଥିପାଇଁ ନିର୍ବାଚନ କମିସନ ନୂଆ ଷଡ୍‌ଯନ୍ତ୍ର ରଚିଛନ୍ତି । ନିଜ କାମ ଛାଡି଼ ସେ ବିଜେପି କାମ କରୁଛନ୍ତି । ଓଡ଼ିଶାରେ ଏବେ ବିଜେପିର ମଡେଲ । ଏଠାରେ ୫ରୁ ୬ କମ୍ପାନିଙ୍କୁ ଆପଣଙ୍କ ସମ୍ପତ୍ତି ଦେଉଛନ୍ତି ସରକାର ବୋଲି ସେ କହିଛନ୍ତି । 

ଏପଟେ ନବୀନ ପହଞ୍ଚିଲେ
କର୍ମୀ ଓ ନେତା ସମସ୍ତେ ସ୍ବାଗତ କଲେ
ଖୁବଶୀଘ୍ର ନବୀନ ବି ଦେଖାଇପାରନ୍ତି ଝଲୱା

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଜୁନ୍‌ ୨୨ ତାରିଖରୁ ମୁମ୍ବାଇ ଗସ୍ତରେ ଥିଲେ । ସୁସ୍ଥ ହେବା ପରେ ଗତକାଲି ଓଡ଼ିଶା ଫେରିଛନ୍ତି । ମେଡିକାଲ୍‌ରେ ଥିବା ପରେ ବି ନବୀନ ରଥଯାତ୍ରା ଓ ବିଏମ୍‌ସି ଘଟଣାରେ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବି କହିଥିଲେ । କଥାହେଲା, ଦୁଇ ବିରୋଧୀ ଦଳର ନେତା ରାହୁଲ ଓ ନବୀନ ଯଦି ଏକା ସାଙ୍ଗରେ ମୋହନ ସରକାରକୁ ଟାର୍ଗେଟ୍‌ କରନ୍ତି ତେବେ ସରକାରଙ୍କ ପାଇଁ ଚିନ୍ତାର କାରଣ ସାଜିବ । କାରଣ ସଜସଜ ରାଜ୍ୟରେ ହୋଇଥିବା ବିବାଦରେ ସରକାର ଯେଉଁପରି ଭାବରେ ଫସିଛନ୍ତି ଯଦି ବିରୋଧୀ ଜୋରଦାର ଆକ୍ରମଣ କରିବେ ତେବେ ସରକାର ହରଡ଼ଘଣାରେ ପଡିବେ ବୋଲି ଚର୍ଚ୍ଚା ଜୋର ।