କନକ ବ୍ୟୁରୋ : କେରଳ ଯୁବ କଂଗ୍ରେସ ସଭାପତି ପଦରୁ ରାହୁଲ ମାମକୋଟାଥିଲ୍ ଇସ୍ତଫା ଦେଇଛନ୍ତି । ଏକ ପ୍ରତିଷ୍ଠିତ ଜାତୀୟ ଦଳର ଯୁବ ନେତା ଅଭିନେତ୍ରୀଙ୍କୁ ଆପତ୍ତିଜନକ ମେସେଜ୍ ପଠାଉଛନ୍ତି ବୋଲି ମାଲାୟାଲାମ ଅଭିନେତ୍ରୀ ରିନ୍ନି ଜର୍ଜ ଅଭିଯୋଗ କରିଥିଲେ । ଏହା ପରଠାରୁ ରାହୁଲଙ୍କ ଇସ୍ତଫା ଦାବି କରି ବିରୋଧୀ ବିଜେପି ଓ ଶାସକ ସିପିଆଇ ବିରୋଧ ପ୍ରଦର୍ଶନ କରି ଆସୁଥିଲେ ।
ଅଭିନେତ୍ରୀ ରିନ୍ନି ଜର୍ଜଙ୍କ ଅଭିଯୋଗ ଅନୁସାରେ ରାହୁଲ ଗତବର୍ଷ ଧରି ଅଭିନେତ୍ରୀ ରିନ୍ନିଙ୍କୁ ଆପତ୍ତିଜନକ ମେସେଜ ପଠାଉଛନ୍ତି । ପ୍ରଥମେ ରିନ୍ନି ଏହାକୁ ଗୁରୁତ୍ୱ ଦେଉନଥିଲେ ମାତ୍ର କଂଗ୍ରେସର ଯୁବ ନେତା ରାହୁଲ, ଗୋଟିଏ ଫାଇଭ ଷ୍ଟାର ହୋଟେଲ ରୁମ୍ ବୁକ୍ କରି ତାଙ୍କୁ ଦେଖା କରିବାକୁ ମେସେଜ ପଠାଇଥିଲେ । ଯାହାକୁ ନେଇ ରିନ୍ନି କଂଗ୍ରେସ କର୍ମକର୍ତ୍ତାଙ୍କୁ ଜଣାଇଥିଲେ । ହେଲେ ଏହି ଯୁବ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିନେତ୍ରୀ ଅଭିଯୋଗ କରିଛନ୍ତି ।
ଅଭିନେତ୍ରୀ ରିନ୍ନି ଯୁବ ନେତା ରାହୁଲଙ୍କ ନାମ ନେଇଥିଲେ ମଧ୍ୟ ବିଜେପି ଓ ସିପିଆଇଏମ୍ ତାଙ୍କ ବିରୁଦ୍ଧରେ ପ୍ରଦର୍ଶନ ଜାରି ରଖିଥିଲା, ଯାହାକୁ ନେଇ କେରଳ ରାଜନୀତି ସରଗରମ ହୋଇ ଉଠିଥିଲା । ପ୍ରଥମରୁ ଏଭଳି ଅଭିଯୋଗ ଉପରେ ମୁହଁ ଖୋଲୁନଥିବା ପ୍ରଦେଶ କଂଗ୍ରେସ କମିଟି ରାଜନୀତି ପାଣିପାଗ ଦୃଷ୍ଟିରୁ ରାହୁଲଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଛି ।
ଆଗାମୀ ବର୍ଷ କେରଳ ବିଧାନସଭା ନିର୍ବାଚନ । ଲଗାତାର ଦୁଇ ଥର ନିର୍ବାଚନ ହାରିଥିବା କଂଗ୍ରେସ ଏଥର ଜିତିବାକୁ ସମସ୍ତ ଚେଷ୍ଟା ଚଳାଇଛି । ଏଭଳି ସ୍ଥିତିରେ ପାଲକ୍କଡ ବିଧାୟକ ଥିବା ରାହୁଲଙ୍କ ବିରୁଦ୍ଧରେ ଆପତ୍ତିଜନକ ଅଭିଯୋଗ, କଂଗ୍ରେସକୁ ଅଡ଼ୁଆ ପରିସ୍ଥିତିରେ ପକାଇଥିଲା । ତେଣୁ ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ହାଇକମାଣ୍ଡଙ୍କ ନିର୍ଦ୍ଦେଶକ୍ରମେ ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ।