କନକ ବ୍ୟୁରୋ : ଭୋଟଚୋରିକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଜାତୀୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି । ଇସି ଭୋଟଚୋରଙ୍କୁ ସୁରକ୍ଷା ଦେଉଥିବା କହି ଗଣତନ୍ତ୍ରକୁ ବଞ୍ଚାଇବାକୁ ସାଧାରଣ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ରାହୁଲ । ଜବାବ ରଖିଛନ୍ତି ନିର୍ବାଚନ କମିସନ ।

Advertisment

ଭୋଟ ଚୋରିକୁ ନେଇ ବିଜେପି ଓ ନିର୍ବାଚନ କମିସନଙ୍କ ଉପରେ ସଣ୍ଢୁଆସୀ ଆକ୍ରମଣ କରିଛନ୍ତି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । କର୍ଣ୍ଣାଟକର ଆଲନ୍ଦ ବିଧାନସଭା କ୍ଷେତ୍ରକୁ ଉଦାହରଣ ଭାବେ ନେଇ ପ୍ରମାଣ ଦେଖାଇ ବର୍ଷିଛନ୍ତି ରାହୁଲ । କହିଛନ୍ତି, ୨୦୨୩ରେ ୬ ହଜାର ୧୮ କଂଗ୍ରେସ ଭୋଟରଙ୍କ ନାଁ ତାଲିକାରୁ କଟାଯାଇଥିଲା । ନିର୍ବାଚନ କମିସନଙ୍କ ସିଷ୍ଟମ୍‌କୁ ହ୍ୟାକ୍ କରି ସଫ୍ଟୱେୟାର ଜରିଆରେ ଭୋଟରଙ୍କ ନାଁ ତାଲିକାରୁ କଟାଯାଇଥିଲା ।ଯେଉଁ ପ୍ରକ୍ରିୟାରେ ଭୋଟରଙ୍କ ନାଁ କଟିଥିଲା, ତାହାର ତଥ୍ୟ ମାଗିଥିଲା କର୍ଣ୍ଣାଟକ ସିଆଇଡି । ବାରମ୍ବାର ଚିଠି ଲେଖିବା ପରେ ମଧ୍ୟ ଉତ୍ତର ଦେଇନାହାନ୍ତି ନିର୍ବାଚନ କମିସନ । କାହିଁକି ନିର୍ବାଚନ କମିସନ ଉତ୍ତର ଦେଉନାହାନ୍ତି ? ଭୋଟଚୋରଙ୍କ ସୁରକ୍ଷାଦାତା ସାଜିଛନ୍ତି କି ନିର୍ବାଚନ କମିସନ ? ମୁଖ୍ୟ ନିର୍ବାଚନ କମିସନ ଜ୍ଞାନେଶ କୁମାରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇବା ସହ ବିଜେପିକୁ ଘେରିଛନ୍ତି ରାହୁଲ । ଏହାସହ ହାଇଡ୍ରୋଜେନ ବମ୍‌ର ଚେତାବନୀ ଦେଇଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ରାହୁଲ ଆଣିଥିବା ଅଭିଯୋଗର ଉତ୍ତର ସୋସିଆଲ ମିଡିଆରେ ରଖିଛନ୍ତି ନିର୍ବାଚନ କମିସନ । ରାହୁଲଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭୁଲ ଓ ଭିତ୍ତିହୀନ । ସାଧାରଣ ଲୋକ ଅନ୍‌ଲାଇନ୍‌ରେ ଭୋଟର ତାଲିକାରୁ ନାଁ କାଟିପାରିବେନି । ୨୦୨୩ରେ ଭୋଟର ତାଲିକାରୁ ନାଁ କାଟିବାକୁ ହୋଇଥିବା ଚେଷ୍ଟା ଅସଫଳ ହୋଇଥିଲା, ଏନେଇ ଇସିଆଇ ଏଫ୍‌ଆଇଆର୍‌ କରିଥିଲା । ଅନ୍ୟପଟେ ବିଜେପି କହିଛି, ରାହୁଲ ମିଛ ଅଭିଯୋଗକୁ ନିଜର ଆଭୂଷଣ କରିସାରିଲେଣି । ମିଛ ଅଭିଯୋଗ ଆଣିବା ଓ କୋର୍ଟରୁ ବେଜିତ ହେବା ରାହୁଲ ଗାନ୍ଧୀଙ୍କ ନିତିଦିନିଆ ଅଭ୍ୟାସ ହୋଇଗଲାଣି ।

ଜାତୀୟ ରାଜନୀତିରେ ଭୋଟ ଚୋରି ବଡ଼ ପ୍ରସଙ୍ଗ ପାଲଟିଛି । ଆଗକୁ ବିହାର ନିର୍ବାଚନ । ତେଣୁ କଂଗ୍ରେସ ଏହାକୁ ନେଇ ଆନ୍ଦୋଳନ କରିବାକୁ ଅଣ୍ଟା ଭିଡ଼ିଛି । ଏହାରି ଭିତରେ ସତ ଜାଣିବାକୁ ଅନାଇ ରହିଛି ସାରାଦେଶ ।