କନକ ବ୍ୟୁରୋ: ବଦଳିବାକୁ ଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଫିସ୍ ଠିକଣା । ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ଜଣେ ପ୍ରଧାନମନ୍ତ୍ରୀଙ୍କ ଅଫିସ୍ ଠିକଣା ବଦଳିବାକୁ ଯାଉଛି । ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ ନୂଆ କାର୍ଯ୍ୟାଳୟର ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇସାରିଛି । ଆଉ ମକର ସଂକ୍ରାନ୍ତି ଅବସରରରେ ପ୍ରଧାନମନ୍ତ୍ରୀ ନୂଆ କାର୍ଯ୍ୟାଳୟରୁ କାମ ଆରମ୍ଭ କରିପାରନ୍ତି । 

Advertisment

ପ୍ରଧାନମନ୍ତ୍ରୀଙ୍କ ଏହି ନୂଆ କାର୍ଯ୍ୟାଳୟ ସେବା ତୀର୍ଥ ଭାବେ ପରିଚିତ ହେବ । ଯାହାକି ରାଷ୍ଟ୍ରପତି ଭବନ ନିକଟରେ ନିର୍ମାଣ କରାଯାଇଛି । ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପରେ ପ୍ରଧାନମନ୍ତ୍ରୀଙ୍କ ଏହି ନୂଆ କାର୍ଯ୍ୟାଳୟ କାମ ଶେଷ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଏହି ନୂଆ କାର୍ଯ୍ୟାଳୟରେ କ୍ୟାବିନେଟ୍ ସଚିବାଳୟ ସହିତ ନ୍ୟାସନାଲ ସିକ୍ୟୁରିଟି କାଉନସିଲ୍ ସେକ୍ରେଟେରିଏଟ୍ ମଧ୍ୟ ରହିବ । ଏହାସହ ଏଥିରେ ଅନ୍ୟ କିଛି ମନ୍ତ୍ରାଳୟ ମଧ୍ୟ କାମ କରିବ ବୋଲି ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ : ଇରାନ ଛାଡିବାକୁ ଆମେରିକା ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡଭାଇଜରି

୧୧୮୯ କୋଟି ଟଙ୍କା ବ୍ୟୟରେ ନିର୍ମିତ 'ସେବା ତୀର୍ଥ'

୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପରଠାରୁ ଭାରତର କ୍ଷମତାର କେନ୍ଦ୍ର ଭାବେ ପରିଚିତ ସାଉଥ୍ ବ୍ଲକ୍‌ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ରହିଆସିଥିଲା । ହେଲେ ବର୍ତ୍ତମାନ ଏହା ସେବା ତୀର୍ଥକୁ ଟ୍ରାନ୍ସଫର ହେବାକୁ ଯାଉଛି । ଲାର୍ସନ୍ ଆଣ୍ଡ୍ ଟୁବ୍ରୋ ଦ୍ୱାରା ନିର୍ମିତ ସମ୍ପୂର୍ଣ୍ଣ "ସେବା ତୀର୍ଥ" କମ୍ପ୍ଲେକ୍ସ ପାଇଁ ପ୍ରାୟ ୧,୧୮୯ କୋଟି ଖର୍ଚ୍ଚ ହୋଇଛି । ଏହାସହ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏକଜିକ୍ୟୁଟିଭ୍ ଏନକ୍ଲେଭ୍ ୧ ପାଖରେ ଏକଜିକ୍ୟୁଟିଭ୍ ଏନକ୍ଲେଭ୍ ୨ର ମଧ୍ୟ ନିର୍ମାଣ କରାଯାଉଛି । ଯେଉଁଠି ପ୍ରଧାନମନ୍ତ୍ରୀଙ୍କ ନୂଆ ସରକାରୀ ବାସଭବନ ରହିବ । ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ସାତ ଲୋକ କଲ୍ୟାଣ ମାର୍ଗରେ ରହିଛି । ହେଲେ କିଛି ଦିନ ମଧ୍ୟରେ ଏହାର ଠିକଣା ମଧ୍ୟ ବଦଳିବାକୁ ଯାଉଛି ।