କନକ ବ୍ୟୁରୋ : ବିଜେଡିରେ ଛୁଟିଲାଣି ଇସ୍ତଫାର ସୁଅ । ଭାସ୍କର ଓ ଲାଲ ବିହାରୀ ହିମରିକାଙ୍କ ପରେ ବରିଷ୍ଠ ନେତା ଫ୍ରଫୁଲ୍ଲ ମଲ୍ଲିକ ବିଜେଡିକୁ ବାଏ ବାଏ କରିଛନ୍ତି । ଏପଟେ ପ୍ରଫୁଲ୍ଲଙ୍କୁ ନିଲମ୍ବନ କରିଛି ବିଜେଡି । ଯାହାକି ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି । ଅନ୍ୟପଟେ ରାୟଗଡ଼ାରେ ବିଜେଡି ପୌରାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଆଣିଛନ୍ତି ଭାସ୍କରଙ୍କ ଗୋଷ୍ଠୀ ।
ବିଜେଡିର ଆଭିମୁଖ୍ୟ, ନୀତି ଆଦର୍ଶକୁ ନେଇ ପ୍ରଶ୍ନବାଣରେ ଘାଇଲା କରିଥିଲେ ପ୍ରଫୁଲ୍ଲ ମଲିକ । ହେଲେ ଏହି ବୟାନ ତାଙ୍କୁ ମହଙ୍ଗା ପଡ଼ିଛି । ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବନ କରାଯାଇଛି । ବିଜେଡି ପକ୍ଷରୁ ଏନେଇ ପ୍ରେସ ରିଲିଜ ଜାରି କରାଯାଇଛି । ହେଲେ ଏହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ନିଲମ୍ବନ ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଥିବା କହିଛନ୍ତି ପ୍ରଫୁଲ୍ଲ । ହେଲେ ପ୍ରଶ୍ନ ଉଠୁଛି, ପ୍ରଥମ ନିଷ୍ପତ୍ତି ନେଇଥିଲା କିଏ ? ପ୍ରଫୁଲ୍ଲ ମଲ୍ଲିକ ନା ବିଜେଡି ? ଦଳ ଛାଡ଼ିବା ପରେ ବିଜେଡି ନେତାଙ୍କ ଉପରେ ଜୋରଦାର ବର୍ଷିଛନ୍ତି ପ୍ରଫୁଲ୍ଲ । କହିଛନ୍ତି, ବିଜେଡିରେ ଆଦର୍ଶ ନାହିଁ । ଲୋକେ ଦଳ ଠାରୁ ଦୂରେଇଲେଣି । ଯାହାର ଜବାବ ରଖିଛି ବିଜେଡି ।
ବିଜେଡିକୁ ଏନ ଭାସ୍କର ରାଓ ବାଏ ବାଏ କରିବା ପରେ ରାୟଗଡ଼ାରେ ଦୋହଲିଲାଣି ବିଜେଡି ସଙ୍ଗଠନ । ରାୟଗଡ଼ା ପୌର ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଆଣିଛନ୍ତି, ବିଜେଡିର ୨୧ କାଉନସିଲରଙ୍କ ମଧ୍ୟରୁ ୧୯ ଜଣ କାଉନସିଲର । ତେଣୁ ଖୁବଶୀଘ୍ର ବିଜେଡି ହାତରୁ ଖସିପାରେ ରାୟଗଡ଼ା ପୌରାଧ୍ୟକ୍ଷ ପଦ ।
ପ୍ରଫୁଲ୍ଲଙ୍କ ଭଳି ଅନେକ ବରିଷ୍ଠ ନେତା ଦଳର ପରିଚାଳନା ନେଇ ବୁଲେଇ ବଙ୍କେଇ ତୀର ମାରୁଛନ୍ତି । ହେଲେ ପ୍ରଫୁଲ୍ଲଙ୍କୁ ନିଲମ୍ବନର ରାସ୍ତା ଦେଖାଇଥିବା ବିଜେଡି ଅନ୍ୟ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ ଜୁଟାଇ ପାରୁନି କି ?