କନକ ବ୍ୟୁରୋ : ପଞ୍ଚାୟତ ସମିତିରେ ୨୦ ଲକ୍ଷ ପର୍ଯ୍ୟନ୍ତ ବିଲ୍ ନିଷ୍ପତ୍ତିକୁ ନେଇ ଏବେ ସରକାର ଓ ବ୍ଲକ ଅଧ୍ୟକ୍ଷ ମୁହାଁମୁହିଁ । ସରକାର ପଞ୍ଚାୟତ ବିକାଶର ଦ୍ୱାହି ଦେଉଥିବା ବେଳେ ବ୍ଲକ ଅଧ୍ୟକ୍ଷ ବାରିଛନ୍ତି ରାଜନୈତିକ ଗନ୍ଧ । ଯାହାକୁ ନେଇ ତେଜିଛି ରାଜନୀତି ।
ପଞ୍ଚାୟତ ସମିତିରେ ୨୦ ଲକ୍ଷ ପର୍ଯ୍ୟନ୍ତ ବିଲ୍ରେ ଖୋଜା ପଡ଼ିବେନି ଅଧ୍ୟକ୍ଷ । ତୃଣମୂଳସ୍ତରରେ ଯୋଜନାର ସଠିକ୍ ରୂପାୟନ ପାଇଁ ସରକାରୀ ସ୍ତରରେ ବଦଳିଛି ନିୟମ । ହେଲେ ଏହି ନିର୍ଦ୍ଦେଶକୁ ନେଇ ଦକ୍ଷିଣ ଓଡ଼ିଶାରୁ ଉଠିଛି ପ୍ରତିବାଦର ସ୍ୱର । ଚିହିଁକି ଉଠିଛନ୍ତି ଏକାଧିକ ପଞ୍ଚାୟତ ସମିତି ଅଧ୍ୟକ୍ଷ । କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ାର ୪୨ ଜଣ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ସରକାରଙ୍କ ବିରୋଧରେ ମେଳି ବାନ୍ଧିଛନ୍ତି । ସିଧାସଳଖ କହିଛନ୍ତି, ଏହି ନିଷ୍ପତ୍ତି ବିରୋଧରେ ଆଇନର ଆଶ୍ରୟ ନେବୁ । ରାସ୍ତାକୁ ଓହ୍ଲାଇବା ସହ ବିଧାନସଭା ଘେରାଉ କରିବୁ ।
ଓଡ଼ିଶାର ଅଧିକାଂଶ ପଞ୍ଚାୟତ ସମିତିରେ ଏବେ ବିଜେଡି ସମର୍ଥିତ ବ୍ଲକ ଅଧ୍ୟକ୍ଷ । ଆଗକୁ ପଞ୍ଚାୟତ ନିର୍ବାଚନ । ତେଣୁ ସରକାରଙ୍କ ଏଭଳି ନିଷ୍ପତ୍ତିରେ ରାଜନୈତିକ ଗନ୍ଧ ବାରିଛନ୍ତି ବିରୋଧୀ । ଚେତାଇ ଦେଇ ତାରା କହିଛନ୍ତି, ଶାସକ ଦଳ ପାଇଁ ବୁମେରାଂ ହେବ ଏହି ନିଷ୍ପତ୍ତି । ତାରାଙ୍କ ସହ ସ୍ୱର ମିଳାଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ଅନ୍ୟପଟେ ଶାସକ ଦଳ କହିଛି, ଲୋକଙ୍କ ସୁବିଧା ଓ ପଞ୍ଚାୟତର ଉନ୍ନତି ପାଇଁ ବିଡିଓଙ୍କ ଦାୟିତ୍ୱକୁ ବଢ଼ାଇ ଦେଇଛନ୍ତି ସରକାର ।
ଶାସକ-ବିରୋଧୀଙ୍କ କାଦୁଅଫିଙ୍ଗା ରାଜନୀତି ଭିତରେ ପ୍ରଶ୍ନ ଉଠୁଛି, ବ୍ଲକ୍ ଅଧ୍ୟକ୍ଷଙ୍କ ଅସହଯୋଗରେ କେମିତି ହେବ ପଞ୍ଚାୟତର ଉନ୍ନତି ? ଜନପ୍ରତିନିଧିଙ୍କ ଅସନ୍ତୋଷ ବିଡିଓଙ୍କ ପାଇଁ ଚ୍ୟାଲେଞ୍ଜ୍ ସୃଷ୍ଟି କରିବନି ତ ?