କନକ ବ୍ୟୁରୋ : ନୂଆ ଏନ୍‌ଏସି ଘୋଷଣା ହେବା ପରେ ତେଜିଲା ରାଜନୀତି । ସାମ୍ବାଦିକ ସମ୍ମିଳନୀ କରି ବିଜେଡି କହିଛି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୬ଟି ଏନ୍‌ଏସି ଘୋଷଣା କରିଥିଲେ । ଜନସଂଖ୍ୟା ସହ ଯେଉଁ ପାରାମିଟର ରହିଛି ସେହି ଆଧାରରେ ଘୋଷଣା କରିଥିଲେ ନବୀନ । ଜିଲ୍ଲାପାଳଙ୍କ ରିପୋର୍ଟ ଅନୁସାରେ ଘୋଷଣା କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସରକାର ଯେଉଁ ଘୋଷଣା କରିଛନ୍ତି ୧୬ ଜିଲ୍ଲାର ୪୨ଟି ଏନ୍‌ଏସି ବାଦ ପଡ଼ିଛି । ଏବେ ସରକାର ଯେଉଁ ୨୮ଟି ଘୋଷଣା କରିଛନ୍ତି ସେଥିରେ ପୂର୍ବ ଘୋଷଣାର ମାତ୍ର ୧୨ଟି ଏନ୍‌ଏସି ସ୍ଥାନ ପାଇଛି । ପୂର୍ବରୁ ଘୋଷଣା ହୋଇଥିବା ୪୨ଟି ଏନ୍‌ଏସିକୁ ତୁରନ୍ତ ସରକାର ବିଚାରକୁ ନିଅନ୍ତୁ । ଏହା ସହ ପୁନଃ ଘୋଷଣା ହୋଇଥିବା ସମସ୍ତ ଏନ୍‌ଏସିର ତୁରନ୍ତ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଁ ବିଜେଡି ଦାବି କରିଛି । ସେପଟେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ସାଧାରଣ ଲୋକ, ବିଧାୟକ ଏନ୍‌ଏସି ନେଇ ଯେଉଁଠି ଦାବି କରିଥିଲେ ତାକୁ ତର୍ଜମା କରାଯାଇ ଯୋଉଟା ଯୋଗ୍ୟ ତାଙ୍କୁ ଆମେ ଘୋଷଣା କରାଯାଇଛି ।

Advertisment

ଜୟପୁର ବୋରିଗୁମ୍ମାକୁ ଏନ୍‌ଏସି ଘୋଷଣା ହେବା ପରେ ଆରମ୍ଭ ହୋଇଛି ଶ୍ରେୟ ରାଜନୀତି । ତିନି ଦଳର ନେତା ଶ୍ରେୟ ନେବାରେ ବ୍ୟସ୍ତ । କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଏନେଇ ସେ ଅନେକ ଥର ବିଧାନସଭାରେ ସ୍ୱର ଉଠାଇଛନ୍ତି । ଅନେକ ମନ୍ତ୍ରୀଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ବି କହିଥିଲେ । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବି ନନ୍ଦ କହିଛନ୍ତି, ବିଜେଡି ସରକାର ସବୁ କିଛି କରିଥିଲେ । ନିର୍ବାଚନ ଆଚରଣ ବିଧି ଲାଗିଯିବାରୁ ତାହା ହୋଇ ପାରିନଥିଲା । ଏବେ ବିଜେପି ସରକାର ତାକୁ ଆଗକୁ ବଢ଼ାଇଛନ୍ତି । ଏହାରି ଭିତରେ ବିଜେପିର ବିଧାୟକ ପ୍ରାର୍ଥୀ ଗୌତମ ସାମନ୍ତରାୟ କହିଛନ୍ତି, ପୂର୍ବ ସରକାରଙ୍କ ଇଚ୍ଛାଶକ୍ତି ନଥିଲା । ବିଜେପି ସରକାର ଆସିବା ପରେ ଏହା ପୂରଣ ହୋଇଛି । ତେଣୁ ଏହି ଶ୍ରେୟ ଜନତାଙ୍କ ବୋଲି କହିଛନ୍ତି ଗୌତମ ସାମନ୍ତରାୟ ।