କନକ ବ୍ୟୁରୋ : ନିଆଁରେ ଜଳି ଯନ୍ତ୍ରଣାରେ ଛଟପଟ ହେବା ଠାରୁ ଜୁଇରେ ଜଳିବା ପର୍ଯ୍ୟନ୍ତ । ଏଫ୍ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନେଇ ତାତିଛି ରାଜ୍ୟ ରାଜନୀତି । ଆଉ ଏବେ ପୀଡ଼ିତାଙ୍କ ମୃତ୍ୟୁ ପରେ ବି ଥମିନି ରାଜନୈତିକ ଉଷ୍ଣତା । ମୃତ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନର ଧମକ ଦେଇଛନ୍ତି ବିରୋଧୀ ।
ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ଏମ୍ସ ପରିସରରେ ସାରାରାତି ଦେଖିବାକୁ ମିଳିଥିଲା ହାଇଡ୍ରାମା । ଯାହା ସକାଳେ ସାରା ରାଜ୍ୟକୁ ବ୍ୟାପିଥିଲା । ତଥାପି ଏତିକିରେ ସରିନି । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବାକୁ ଉଭୟ ବିଜେଡି ଓ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । ଆସନ୍ତାକାଲି ବିଜେଡି ଲୋକସେବା ଭବନ ଘେରାଉ କରିବା ସହ ୬ ଘଣ୍ଟିଆ ବାଲେଶ୍ୱର ବନ୍ଦ ଡାକରା ଦେଇଛି । ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ସ୍କୁଲ, କଲେଜ, ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ଅପିଲ କରିଛନ୍ତି ପିସିସି ସଭାପତି । ଯାହାକୁ ନେଇ ଶାସକ ବିଜେପି କହିଛି, ସମ୍ବେଦନଶୀଳ ଘଟଣାରେ ତୁରନ୍ତ ଆକ୍ସନ ନିଆଯାଇଛି । ଅପରାଧୀକୁ ଛାଡ଼ିବେନି କି ଅପରାଧକୁ ବରଦାସ୍ତ କରିବେନି ମୋହନ ସରକାର ।
ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ପ୍ରଶାସନ, ବ୍ୟବସ୍ଥା ଓ ସରକାରକୁ ଦାୟୀ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଅନ୍ୟପଟେ ସୋସିଆଲ ମିଡ଼ିଆରେ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ନ୍ୟାୟ ବଦଳରେ ସଙ୍ଗଠିତ ହତ୍ୟା କହି ବିଜେପି ସରକାରକୁ ଘେରିଛନ୍ତି ରାହୁଲ । ଜବାବରେ ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାର ଝିଅକୁ ନେଇ କଂଗ୍ରେସ ଓ ରାହୁଲ ଗାନ୍ଧୀ ରାଜନୀତି କରୁଛନ୍ତି । ଜୁଇରେ ଝିଅର ଚିତା ଜଳୁଥିବା ବେଳେ ଆଉ ରାଜନୀତି ନ କରିବାକୁ କହିଛନ୍ତି ସୌମ୍ୟାଶ୍ରୀଙ୍କ ବାପା ।
ସୌମ୍ୟାଶ୍ରୀଙ୍କ ନ୍ୟାୟ ଲଢ଼େଇରେ ନୀରବ ଥିବା ରାଜନୈତିକ ଦଳ ଏବେ ଗଳାଫଟାଇ ଗର୍ଜନ ତର୍ଜନ କରିବାରେ ବ୍ୟସ୍ତ । ପ୍ରଶ୍ନ ଉଠୁଛି, ସୌମ୍ୟାଶ୍ରୀଙ୍କ ନ୍ୟାୟ ଲଢ଼େଇ ବେଳେ କେଉଁଠି ଥିଲେ ରାଜନୈତିକ ଦଳ ? ଏହି ରାଜନୈତିକ ବୟାନବାଜି, ଆନ୍ଦୋଳନ କ’ଣ ସତରେ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେଇପାରିବ ?