କନକ ବ୍ୟୁରୋ : ବିଜେପି ସରକାରରେ ସଙ୍ଗଠନ ଓ ସରକାର ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ଜୋରଦାର କସରତ ଆରମ୍ଭ ହୋଇଛି । ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ସମୀକ୍ଷା ଆରମ୍ଭ କରିଥିବାବେଳେ ସଙ୍ଗଠନ ନେଇ ନିଷ୍ପତ୍ତି ନେବାକୁ ୩୦ ଦିନରେ ୩ ଥର ଦିଲ୍ଲୀ ଗଲେଣି ରାଜ୍ୟ ସଭାପତି ମନମୋହନ ସାମଲ ।

Advertisment

ବିଜେପିକୁ ଘାରିଛି ସରକାର ଓ ସଙ୍ଗଠନ ଚିନ୍ତା । ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ସମୀକ୍ଷା କରୁଛନ୍ତି । ସେପଟେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସଙ୍ଗଠନ ସଜାଡ଼ିବା କାମରେ ଲାଗିଛନ୍ତି । ବିଭାଗମାନେ କେତେ କାମ କରିଛନ୍ତି, ଆଉ କେତେ ବାକି ଅଛି, ବିଭାଗୱାରୀ ସେବୁର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ । ୧୨ ଅଗଷ୍ଟରେ ଆଇନଶୃଙ୍ଖଳା ପରିସ୍ଥିତି, ୧୬ ଅଗଷ୍ଟରେ ମହିଳା ଓ ଶିଶୁ ବିକାଶ ଓ ୧୮ ତାରିଖରେ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା କରିଛନ୍ତି ମୋହନ । ସମୀକ୍ଷା ବୈଠକରେ ଶାସନତନ୍ତ୍ରକୁ ଆହୁରି କ୍ରିୟାଶୀଳ କରିବା ସହ ଖାଲପଡ଼ିଥିବା ପଦବୀ ପୂରଣ ପାଇଁ  ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ୱରରେ ବିଭାଗୱାରୀ ସମୀକ୍ଷା ଚାଲିଛି । ସେପଟେ ସଙ୍ଗଠନ ପୁନଃବିନ୍ୟାସ ପାଇଁ ମନମୋହନ ସାମଲ ଘନ ଘନ ଦିଲ୍ଲୀ ଗସ୍ତ କରୁଛନ୍ତି । ଜୁଲାଇ ୨୨ରୁ ଅଗଷ୍ଟ ୧୯ ମଧ୍ୟରେ ୩-୩ ଥର ଦିଲ୍ଲୀ ଗଲେଣି ବିଜେପି ରାଜ୍ୟ ସଭାପତି । ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭେଟିଛନ୍ତି । ଉଭୟଙ୍କ ମଧ୍ୟରେ ରାଜ୍ୟ ସଙ୍ଗଠନ ନେଇ ଆଲୋଚନା ହୋଇଥିବା ସୂଚନା ରହିଛି । ବାରମ୍ୱାର ଦିଲ୍ଲୀ ଗସ୍ତରୁ ସ୍ପଷ୍ଟ ହୋଇଛି ସଙ୍ଗଠନ ଓ ସରକାରରେ ସମନ୍ୱୟ ରକ୍ଷା ପାଇଁ କସରତ ଚାଲିଛି । ଦିଲ୍ଲୀରୁ ଫେରିବା ପରେ କୋର କମିଟି ବେଠକ ବସି ସଙ୍ଗଠନ ଓ ବୋର୍ଡ ନିଗମ ତାଲିକା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ ।

ଆଇନ ଶୃଙ୍ଖଳାଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ସରକାର ବ୍ୟାକଫୁଟରେ ଅଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ବିଭାଗୱାରୀ ସମୀକ୍ଷା କରି ନିଷ୍ପତ୍ତି ନେଉଛନ୍ତି । ସେପଟେ ସଙ୍ଗଠନ ସମନ୍ୱୟକୁ ଟ୍ରାକ୍‌କୁ ଆଣୁଛନ୍ତି ମନମୋହନ ।