କନକ ବ୍ୟୁରୋ : ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କୁ ୭୫ତମ ଜନ୍ମଦିବସରେ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀଙ୍କ ନିବନ୍ଧକୁ କଂଗ୍ରେସ ତୀବ୍ର ସମାଲୋଚନା କରିଛି । ପ୍ରଧାନମନ୍ତ୍ରୀଙ୍କ ଲିଖିତ ନିବନ୍ଧ ଦେଶର ବିଭିନ୍ନ ଭାଷାର ସମ୍ବାଦ ପତ୍ରରେ ପ୍ରକାଶିତ ହୋଇଛି ।
ପ୍ରଧାନମନ୍ତ୍ରୀ ଲିଖିତ ସ୍ତମ୍ଭରେ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କ ଜ୍ଞାନ ଗରିମା ଓ ଉଚ୍ଚ ନେତୃତ୍ୱକୁ ପ୍ରଶଂସା କରାଯାଇଛି । ମୋହନଙ୍କ କାର୍ଯ୍ୟକାଳ ମଧ୍ୟରେ ସଂଘକୁ ଏକ ଗୁଣାତ୍ମକ ପରିବର୍ତ୍ତନ ଅଣାଯାଇଛି । ଯାହାକି ଆରଏସ୍ଏସ୍ର ୧୦୦ ବର୍ଷ ଇତିହାସରେ ବେଶ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ମୋହନଙ୍କୁ ବସୁଧୈବ କୁଟୁମ୍ବକମ୍କୁ ଚଳନ୍ତି ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି ।
ମାତ୍ର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହାକୁ ପ୍ରଧାନମନ୍ତ୍ରୀଙ୍କର ଆରଏସ୍ଏସ୍ ତୁଙ୍ଗ ନେତୃତ୍ୱକୁ ସନ୍ତୁଷ୍ଟ କରିବାର ଏକ ହୀନ ପ୍ରୟାସ ବୋଲି ଅଭିହିତ କରିଛି । ଏହି ସ୍ତମ୍ଭରେ ପ୍ରଧାନମନ୍ତ୍ରୀ ଆଜିର ଦିନରେ ସ୍ୱାମୀ ବିବେକାନନ୍ଦଙ୍କ ଚର୍ଚ୍ଚିତ ଚିକାଗୋ ଅଭିଭାଷଣ ଓ ୯/୧୧ ଅଲ-କାଏଦା ଆକ୍ରମଣ କଥା ମନେ ପକାଇଥିଲେ ମଧ୍ୟ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରଥମ ସତ୍ୟାଗ୍ରହ ଆହ୍ୱାନକୁ ଭୁଲି ଯିବାକୁ ଶ୍ରେୟ ମଣିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।
ଜଣେ ନେତା ୭୫ ବର୍ଷ ହେଲେ ସାଧାରଣ ଜୀବନରୁ ଅବ୍ୟାହତି ନେବା ଉଚିତ ବୋଲି ମୋହନ ମତ ଦେଇଥିଲେ । ଯାହା ସେପ୍ଟେମ୍ବର ୧୭ ତାରିଖରେ ୭୫ ବର୍ଷରେ ପଦାର୍ପଣ କରୁଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଉଦ୍ଦିଷ୍ଟ ବୋଲି କଂଗ୍ରେସ ମତ ଦେଇଥିଲା । ମାତ୍ର ଏହା ପରେ ଲାଲକିଲ୍ଲାରୁ ସ୍ୱାଧୀନତା ଦିବସ ଅଭିଭାଷଣରେ ମୋଦୀ ଆରଏସଏସକୁ ଭୂୟସୀ ପ୍ରଶଂସା କରିଥିଲେ । ଠିକ୍ ଏହା ପରେ ୭୫ବର୍ଷରେ ଅବସର ନେବା କଥା କହିନାହାନ୍ତି ବୋଲି ମୋହନ ଭାଗବତ ସ୍ପଷ୍ଟୀକରଣ ଦେଇଥିଲେ । ଆଉ ପ୍ରଧାନମନ୍ତ୍ରୀଙ୍କ ଆଜିର ନିବନ୍ଧ ତାର ଉତ୍ତର ବୋଲି କଂଗ୍ରେସ ଉଲ୍ଲେଖ କରିବାକୁ ପଛାଇ ନାହିଁ ।