କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣୁଛନ୍ତି । ହେଲେ ଲୋକଙ୍କ ଅଭିଯୋଗ ଶୁଣିବାକୁ ବାବୁଙ୍କର ଯେମିତି ନାହିଁ ଆନ୍ତରିକତା । ଦକ୍ଷିଣାଞ୍ଚଳ ଆର୍ଡିସି ଜିଲ୍ଲାପାଳଙ୍କୁ ଚିଠି ଲେଖି ଏନେଇ ତାଗିଦ୍ କରିଛନ୍ତି । ମାସ ମାସ ଧରି ଅଭିଯୋଗ ପଡ଼ି ରହୁଥିବାରୁ ଉଦ୍ବେଗ ପ୍ରକାଶ କରିଛନ୍ତି ରାଜସ୍ୱ ଆୟୁକ୍ତ ।
ଲୋକଙ୍କ ଅଭିଯୋଗର ହେବ ଶୁଣାଣି ଓ ଚୁଟ୍କିରେ ହେବ ସମସ୍ୟାର ସମାଧାନ । ନୂଆ ସରକାରଙ୍କ ପକ୍ଷରୁ ଏଭଳି ପ୍ରତିଶ୍ରୁତି ମିଳିଥିଲା । ନିଜେ ମୁଖ୍ୟମନ୍ତ୍ରୀ ରାଜଧାନୀରେ ଘଣ୍ଟା ଘଣ୍ଟା ଧରି ଅଭିଯୋଗ ଶୁଣୁଛନ୍ତି । ହେଲେ ରାଜଧାନୀରୁ ଜିଲ୍ଲାସ୍ତରକୁ ଯାଉଥିବା ଅଭିଯୋଗ ଫାଇଲ୍ର ଭାଗ୍ୟ ନାଲିଫିତା ତଳେ ସେମିତି ଚାପି ହୋଇ ରହୁଛି । ଯାହାର ଲେଖାଯୋଖା ପ୍ରମାଣ ହେଉଛି ଏହି ଚିଠି । ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅଧୀନରେ ଥିବା ୮ ଜିଲ୍ଲାରେ ଦୀର୍ଘ ଦିନ ହେବ ପଡ଼ିରହିଛି ୨୦୭ ଅଭିଯୋଗ ଫାଇଲ୍ । ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଜିଲ୍ଲାରେ ମାସ ମାସ ଧରି ଗଡ଼ୁଛି ଅଭିଯୋଗ । ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ତାଗିଦ୍ କରିବା ସହ ୨୦୭ ଅଭିଯୋଗକୁ ଜିଲ୍ଲାପାଳ ମାନେ ବ୍ୟକ୍ତିଗତ ଭାବେ ଯାଞ୍ଚ କରି ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦକ୍ଷିଣାଞ୍ଚଳ ଆର୍ଡିସି ।
ଜିଲ୍ଲାରୁ ଭୁବନେଶ୍ୱର, ଭୁବନେଶ୍ୱରରୁ ପୁଣି ଜିଲ୍ଲା । ଅଭିଯୋଗ ନେଇ ଆସୁଥିବା ଲୋକଙ୍କୁ ଏମିତି ହଲାପଟା ହେବାକୁ ପଡ଼ୁଛି । ଭୁବନେଶ୍ୱରରୁ ଯାଉଥିବା ଅଭିଯୋଗକୁ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ହେଲେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ’ କରି ଉଡ଼ାଇ ଦେଉଛନ୍ତି ବାବୁ । ପ୍ରଶ୍ନ ଉଠୁଛି, ଲୋକଙ୍କ ଅଭିଯୋଗର ତ୍ୱରିତ ସମାଧାନ ପାଇଁ କାହିଁକି ଢିଲା ମାରୁଛନ୍ତି ବାବୁ ? ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ନମାନି ମନମାନି କରୁଥିବା ବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କାହିଁକି ହେଉନି ? ଏସବୁ ଭିତରେ ସରକାରଙ୍କୁ କଟାକ୍ଷ ବାଣ ମାରିଛନ୍ତି ବିରୋଧୀ । କହିଛନ୍ତି, ଅଭିଯୋଗ ଶୁଣାଣି କେବଳ ପ୍ରହସନ ପାଲଟିଛି ।
ସରକାରୀ ହିସାବରେ ଏବେ ସୁଦ୍ଧା ୮୮ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି । ହେଲେ ତୃଣମୂଳସ୍ତରରେ ମାସ ମାସ ଧରି ଅଭିଯୋଗର ଶୁଣାଣି ନହୋଇ ପଡ଼ି ରହିବା ଅଭିଯୋଗକାରୀଙ୍କୁ ନିରାଶ କରିଛି ।