କନକ ବ୍ୟୁରୋ : ବିଧାନସଭାର ଚଳିତ ଶୀତ ଅଧିବେଶନ ବେଶ ଗୁରୁତ୍ୱ ବହନ କରୁଛି । ମାସାଧିକ ସମୟ ଧରି ଚାଲିବାକୁ ଥିବା ଗୃହକାର୍ଯ୍ୟ ସୁରୁଖୁରରେ ଚାଲିବ କି ନାହିଁ ତାହା ସବୁଠୁ ବଡ଼ ପ୍ରଶ୍ନ । କାରଣ ବିରୋଧୀଙ୍କ ପାଖରେ ସରକାରଙ୍କୁ ଅକଳରେ ପକାଇବାକୁ ଏକାଧିକ ପ୍ରସଙ୍ଗ ରହିଛି । ଅନ୍ୟପଟେ ଶାସକ ଦଳ ମଧ୍ୟ ବିରୋଧୀଙ୍କୁ ସାମ୍ନା କରିବାକୁ ପୁରା ତୟାର । ଏସବୁ ଭିତରେ ଗୃହକାର୍ଯ୍ୟ ଚଲାଇବା ବାଚସ୍ପତିଙ୍କ ପାଇଁ ବଡ଼ ପରୀକ୍ଷା ।
ଏଥର ମାସେ ଯାଏଁ ବିଧାନସଭାର ଶୀତକାଳୀନ ଅଧିବେଶନ । ରାଜ୍ୟର ଅନେକ ବଡ ବଡ ପ୍ରସଙ୍ଗ ଯେମିତିକି ଏସ୍ଆଇ ପରୀକ୍ଷା କେଳେଙ୍କାରୀ, ଚାଷୀ ସମସ୍ୟା, ଆଇନଶୃଙ୍ଖଳା, ବାଲି ମାଫିଆଙ୍କ ଦାଦାଗିରି ଘଟଣା ରହିଛି । ହେଲେ ପ୍ରଶ୍ନ ଉଠୁଛି, ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ଗଠନମୂଳକ ଆଲୋଚନା ହେବ ତ ? ବିଧାନସଭାରୁ ବାହାରିବ ତ ସମାଧାନର ବାଟ ? ବିଗତ ଅଧିବେଶନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ହୋ ହଲ୍ଲା, ପ୍ରତିବାଦ, କୋଳାହଳ ଭିତରେ ଗୋଟିଏ ଦିନ ସ୍ୱାଭାବିକ ହୋଇପାରୁନଥିଲା ଗୃହକାର୍ଯ୍ୟ । ତେଣୁ ଚଳିତ ଅଧିବେଶନ ସ୍ୱାଭାବିକ ହେବ ନା ହୋହଲ୍ଲାରେ ସମୟ ଗଡ଼ିଯିବ ?
ଅଧିକ ପଢ଼ନ୍ତୁ : ନୂଆ ଇତିହାସର ସାକ୍ଷୀ ରହିବ ବିଧାନସଭା; ଆସନ୍ତାକାଲି ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ ମହାମହିମ
ଏଭଳି ଶଙ୍କା ଭିତରେ ଆଜି ବସିଥିଲା ସର୍ବଦଳୀୟ ବୈଠକ । ବାଚସ୍ପତି ସୁରମା ପାଢୀ ଗୃହକାର୍ଯ୍ୟକୁ ସ୍ୱାଭାବିକ ଭାବେ ଚଳାଇବାକୁ ଉଭୟ ଶାସକ ଓ ବିରୋଧୀଙ୍କୁ ପରାମର୍ଶ ଦେଇଛନ୍ତି । ହେଲେ ଏହା ଭିତରେ ବିଧାନସଭା ଫ୍ଲୋରକୁ ଓହ୍ଲାଇବା ପୂର୍ବରୁ ଶାସକ-ବିରୋଧୀ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି ।
ନୂଆପଡ଼ା ଉପ-ନିର୍ବାଚନ ପରେ ରାଜନୈତିକ ସମୀକରଣ ବଦଳିଛି । ବିଧାନସଭାରେ ବିଜେପିର ସଂଖ୍ୟା ବଢ଼ିଛି, ବିଜେଡି ଆସନ ହରାଇଛି । ଏହା ଭିତରେ ଦ୍ୱିତୀୟ ସ୍ଥାନକୁ ଉଠିଥିବା କଂଗ୍ରେସ ନିଜକୁ ବିରୋଧୀର ଆଖ୍ୟା ଦେଇ ଶାସକ ଦଳ ସହ ଲଢିବାକୁ ପ୍ରସ୍ତୁତ ହେଉଛି । ହେଲେ ବିଧାନସଭାରେ କାହାର ପଲ୍ଲା ଭାରି ରହୁଛି ? ପ୍ରସଙ୍ଗଭିତ୍ତିରେ କାହାର ଆଭିମୁଖ୍ୟ କ’ଣ ରହୁଛି ? ତାହା ଦେଖିବା ବାକି ରହିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/26/odisha-winter-assembly-session-2025-11-26-20-07-41.png)