Rajya Sabha Election Photograph: (Kanak News)
କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନ ପାଇଁ ଆଜି ସରଗରମ ରାଜ୍ୟ ରାଜନୀତି । ଆଜି ଥିଲା ନାମାଙ୍କନ ଦାଖଲର ଶେଷ ଦିନ । ବିଧାନସଭା ପରିସରରେ ଦେଖିବାକୁ ମିଳିଛି ହେଭିୱେଟଙ୍କ ଭିଡ଼ । ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଥିବା ରଣନୀତି ଭିତରେ ଆଜି ଏକାଧିକ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର । ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେ ୩ ସେଟ୍ ପେପର ଦାଖଲ କରିଛନ୍ତି । କିନ୍ତୁ ସବୁଠୁ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା ନାମାଙ୍କନ ସମୟରେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତି ଭକ୍ତ ଦାସଙ୍କୁ ଏକାଠି ବସିଥିବାର ଦେଖିବାକୁ ମିଳିଥିଲା । ନାମାଙ୍କନ ପତ୍ର ଦାଖଲ ବେଳେ ଉଭୟ ବିଜେଡି ଓ କଂଗ୍ରେସର ବିଧାୟକମାନେ ଉପସ୍ଥିତ ରହିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ । ସେହିପରି ରାଜ୍ୟସଭା ପାଇଁ ଅନ୍ୟତମ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ବିଶିଷ୍ଟ ଚିକିତ୍ସକ ଡାକ୍ତର ଦତ୍ତେଶ୍ୱର ହୋତା । ବିଜେଡି ଓ କଂଗ୍ରେସ ପକ୍ଷରୁ ମିଳିତ ପ୍ରାର୍ଥୀ ଭାବେ ସେ ନିଜର ଦାବିଦାରୀ ଉପସ୍ଥାପନ କରିଛନ୍ତି ।
ଅଧିକ ପଢ଼ନ୍ତୁ : ମାର୍ଚ୍ଚ ୧୬ରେ ରାଜ୍ୟସଭା ଭୋଟ୍, ଆଜି ନାମାଙ୍କନର ଶେଷ ସୁଯୋଗ
ଅନ୍ୟପଟେ ଅପରାହ୍ନରେ ଶ୍ରୀରାମ ମନ୍ଦିରରୁ ପୂଜାର୍ଚ୍ଚନା କରିବା ପରେ ବିଜେପି ଶିବିରରୁ ନାମାଙ୍କନ ଦାଖଲ କରିଛନ୍ତି ମନମୋହନ ସାମଲ ଓ ସୁଜିତ କୁମାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିଥିଲେ ମନମୋହନ ସାମଲ । ତା ପରେ ବିଜେପିର ଦ୍ୱିତୀୟ ପ୍ରାର୍ଥୀ ଭାବେ ନାଁ ଦାଖଲ କରିଥିଲେ ସୁଜିତ କୁମାର । ବିଜେପିର ଶତାଧିକ କର୍ମୀଙ୍କ ସହ ବିରାଟ ଆସି ଏହି ଦୁଇ ନେତା ନାମାଙ୍କନ ଦାଖଲ କରିଛନ୍ତି ।
ତା ପରେ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ରେସ୍ରେ ନାମାଙ୍କନ ଭରିଥିଲେ ସ୍ୱାଧୀନ ନେତା ଦିଲ୍ଲୀପ ରାୟ । ଆଜି ନାମାଙ୍କନ ଦାଖଲର ଶେଷ ସମୟ ସୀମା ଥିବାରୁ ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ଗହଣରେ ଆସି ପତ୍ର ଦାଖଲ କରିଛନ୍ତି । ଏହି ନିର୍ବାଚନ ରାଜ୍ୟ ରାଜନୀତିରେ କେଉଁ ମୋଡ଼ ଆଣୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ।
Follow Us