କନକ ବ୍ୟୁରୋ : ବିଜେଡି ସରକାର ସମୟରେ ରାଜ୍ୟରେ ବିଜେପି ଓ କଂଗ୍ରେସର ପ୍ରଭାବ ସେମିତି ଦେଖିବାକୁ ମିଳୁନଥିଲା । ତୃଣମୂଳସ୍ତରରେ ସଂଗଠନ ଦୁର୍ବଳ ଅବସ୍ଥାରେ ଥିଲା । ସରକାର ବଦଳିବା ପରେ ଅନୁମାନ କରାଯାଉଥିଲା ବିରୋଧୀ ଦଳ ଭାବେ ବିଜେଡି ଓ କଂଗ୍ରେସର ଦବଦବା ଦେଖିବାକୁ ମିଳିଛି । ବିଜେଡି ଛିଡି ଛିଡି ଯାଉଥିବାରୁ ରାଜ୍ୟରେ କଂଗ୍ରେସ ଶକ୍ତିଶାଳୀ ହେବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସେମିତି କିଛି ଦେଖିବାକୁ ମିଳୁନି ।

Advertisment

ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ବିଜେଡି ଛିଡ଼ି ଛିଡ଼ି ଚାଲିଛି । ରାଜ୍ୟରେ ଏକଦା ଏକ ନମ୍ବର ଥିବା ଦଳ ଦିନକୁ ଦିନ ଦୁର୍ବଳ ହେଉଛି । କଂଗ୍ରେସ ବି ସେମିତି ବଢ଼ିବା ଭଳି ଦେଖାଯାଉନାହିଁ । ପ୍ରଥମେ ପ୍ରଥମେ ବିଭିନ୍ନ ପ୍ରସଙ୍ଗରେ ବିଧାନସଭା ଭିତରେ ଓ ବାହାରେ ଡବଲ ଇଞ୍ଜିନ ସରକାରକୁ ଭକ୍ତଙ୍କ ଟିମ ଅକଳରେ ପକାଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଶୀଥିଳ ପଡିଯାଇଛି । ବଦଳୁଥିବା ରାଜ୍ୟ ରାଜନୈତିକ ସମୀକରଣରୁ କଂଗ୍ରେସ କିଛି ଫାଇଦା ଉଠାଇ ପାରୁନି । ଭକ୍ତ ଚରଣ ଦାସ ପିସିସି ଦାୟିତ୍ୱ ନେବା ପରଠାରୁ କଂଗ୍ରେସରେ କୌଣସି ବଡ଼ ନେତା ମିଶିବାର ନଜିର ନାହିଁ । ମହମ୍ମଦ ମୋକିମଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ଉପକୂଳ କଂଗ୍ରେସରେ ବିଦ୍ରୋହର ସ୍ୱର ଉଠିଛି । ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଆସୁଥିବାରୁ ସମସ୍ତଙ୍କୁ ସାଥୀରେ ନେଇ ଆଗକୁ ଚାଲିବା ଭକ୍ତଙ୍କ ପାଇଁ ଆହ୍ୱାନ ପାଲଟିଛି ।

ଅଧିକ ପଢ଼ନ୍ତୁ : ରାଜ୍ୟସଭା ନିର୍ବାଚନ, ନବୀନଙ୍କ ପାଇଁ ଅଗ୍ନିପରୀକ୍ଷା; ସମୟ ମାଗି ଭକ୍ତ ନିରାଶ, ନିରବ ବିଜେଡି ସୁପ୍ରିମୋ !

ଭକ୍ତ ଯଦିଓ ଜିଲ୍ଲା ଜିଲ୍ଲା ବୁଲି ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି, ତଥାପି ଏପର୍ଯ୍ୟନ୍ତ ସମସ୍ତ ଜିଲ୍ଲା, ବୁଥ୍, ମଣ୍ଡଳ ଓ ପଂଚାୟତସ୍ତରରେ କମିଟି ଗଠନ ହୋଇପାରିନି । ବରିଷ୍ଠ ନେତାଙ୍କୁ ଏକାଠି ଦେଖିବାକୁ ମିଳୁନି । ବିଜେଡି ସ୍ଥିତି ଆହୁରି ସାଂଘାତିକ । ଦଳ ଭିତରେ ଭିତରେ ବିରୋଧୀଙ୍କ ସଂଖ୍ୟା ବଢ଼ି ଚାଲିଛି । ଦଳ ବିରୋଧୀଙ୍କୁ ସୁପ୍ରିମୋ ବାହାର ବାଟ ଦେଖାଉଛନ୍ତି । ଅସନ୍ତୁଷ୍ଟ ଦଳ ଛାଡି ବିଜେପିରେ ସାମିଲ ହେଉଛନ୍ତି । ସେପଟେ ସରକାରକୁ ଦୁଇ ବର୍ଷ ପୂରିଥିଲେ ବି ନିଗମ, ବୋର୍ଡ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେଇପାରିନି ଶାସକ ଦଳ । ଯାହାକୁ ନେଇ ଦଳ ଭିତରେ ଅସନ୍ତୋଷ କୁହୁଳୁଛି ।

୨୦୨୯ ନିର୍ବାଚନ ପୂର୍ବରୁ ପଞ୍ଚାୟତ ଓ ପୌର ନିର୍ବାଚନ ସବୁ ଦଳ ପାଇଁ ଏସିଡ୍ ଟେଷ୍ଟ ହେବ । ଯିଏ ବାଜି ମାରିବ ସେହି ଦଳର ନେତା ଓ କର୍ମୀଙ୍କ ମନୋବଳ ବଢ଼ିବ ।