କନକ ବ୍ୟୁରୋ : ନିର୍ବାଚନ ସରି ଦେଢ଼ ବର୍ଷ ହୋଇଗଲାଣି । ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । କିନ୍ତୁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ନିଜ ଘର ସଜାଡି ପାରୁନାହାନ୍ତି । ଖୋଦ ଶାସନ ଗାଦିରେ ବସିଥିବା ବିଜେପିର ସାଂଗଠନିକ ପୁର୍ନବିନ୍ୟାସ ସରିନାହିଁ । ବିରୋଧୀଙ୍କ ଛାମୁଆ ସଂଗଠନ ଓ ଜିଲ୍ଲା ସଂଗଠନ କାମ ଅଧାରେ ପଡ଼ି ରହିଛି । ଏପରି ସ୍ଥିତିରେ କେମିତି ପଞ୍ଚାୟତ ନିର୍ବାଚନ ପାଇଁ ମଇଦାନ ପ୍ରସ୍ତୁତ କରିବେ ତାକୁ ନେଇ ନେତା କର୍ମୀ ଶଙ୍କାରେ ପଡ଼ିଛନ୍ତି ।
ରାଜ୍ୟ ରାଜନୀତିରେ ଏବେ ଦବଦବା ଦେଖାଇବାକୁ ଆଗଭର ଶାସକ-ବିରୋଧୀ । ହେଲେ ଏଯାଏଁ ଶାସକ-ବିରୋଧୀ ଶିବିରରେ ସରିନି ସାଙ୍ଗଠନିକ ପୁନର୍ବିନ୍ୟାସ । ୩ ପ୍ରମୁଖ ଦଳ କେବଳ ରାଜଧାନୀରେ ନିଜ ଉପସ୍ଥିତି ଜାହିର କରୁଛନ୍ତି, କିନ୍ତୁ ତୃଣମୂଳସ୍ତରରେ ସଙ୍ଗଠନ ନାହିଁ । ବିରୋଧୀରୁ ସିଧା ଶାସନ ଗାଦିରେ ପହଞ୍ଚିଛି ବିଜେପି, ହେଲେ ଏବେବି ସଂଗଠନ ପୁରା ଟ୍ରାକକୁ ଫେରିନି । ମନମୋହନ ସାମଲ ସଭାପତି ଦାୟିତ୍ୱ ନେଇସାରିଛନ୍ତି, କିନ୍ତୁ ତାଙ୍କର ପୂରା ଟିମ ବାଛି ପାରି ନାହାନ୍ତି । କୁହାଯାଉଛି ରାଷ୍ଟ୍ରୀୟ ସଭାପତି ଚୟନ ପରେ ରାଜ୍ୟ କାର୍ଯ୍ୟକାରିଣୀରେ ବାଜିବ ମୋହର ।
ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ମଧ୍ୟ ସଂଗଠନ କାମ ଅଧପନ୍ତରିଆ ହୋଇପଡ଼ି ରହିଛି । ବିଜେଡିର ତିନି ଛାମୁଆ ସଂଗଠନ ଛାତ୍ର, ଯୁବ ଓ ମହିଳା ଘୋଷଣା ହୋଇପାରୁନି । ୫ ସାଙ୍ଗଠନିକ ଜିଲ୍ଲା ବାଲେଶ୍ୱର, ରାୟଗଡ଼ା, ଢେଙ୍କାନାଳ, କୋରାପୁଟ, ଖୋର୍ଦ୍ଧାରେ ସଭାପତି ଘୋଷଣା କରିନି ଦଳ । ଏହାବାଦ ରାଜ୍ୟ କାର୍ଯ୍ୟକାରିଣୀ ଓ ରାଜ୍ୟ ପରିଷଦ ତାଲିକା ଉପରୁ ପରଦା ହଟୁନି ।
ଅନ୍ୟପଟେ କଂଗ୍ରେସ ଛାମୁଆ ସଂଗଠନ ଦାୟିତ୍ୱ ବାଣ୍ଟିଥିଲେ ମଧ୍ୟ ଜିଲ୍ଲାସ୍ତରରେ ପଛୁଆ ରହିଛି । ବିଳମ୍ୱରେ ଆରମ୍ଭ ହୋଇଛି ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା । ପିସିସି ନୁହେଁ ଏଆଇସିସି ବାଛିବ କଂଗ୍ରେସର ଜିଲ୍ଲା ମଙ୍ଗୁଆଳ । ସେପଟେ ତିନି ରାଜନୈତିକ ଦଳର ସାଂଗଠନିକ ଅଡୁଆକୁ ନେଇ ମତ ରଖିଛନ୍ତି ରାଜନୀତି ସମୀକ୍ଷକ ।
ପ୍ରସଙ୍ଗକୁ ନେଇ ବିରୋଧୀ ଲଢ଼ୁଛନ୍ତି ଓ ଶାସକ ଦଳ କାଉଣ୍ଟର କରୁଛନ୍ତି । ତିନି ପ୍ରମୁଖ ରାଜନୈତିକ ଦଳର ସାଂଗଠନିକ ଅଡୁଆ ତୃଣମୂଳସ୍ତରର ନେତା ଓ କର୍ମୀଙ୍କୁ ସଂଶୟରେ ପକାଇଛି ।