Odisha MLA Salary Hike Photograph: (Kanak News)
କନକ ବ୍ୟୁରୋ : ବିଧାୟକଙ୍କ ବର୍ଦ୍ଧିତ ଦରମା ଓ ଭତ୍ତା ବିଧେୟକକୁ ନେଇ ପୂର୍ବ ଅଧିବେଶନରେ ଅକଳରେ ପଡ଼ିଥିଲା ସରକାର । ଗୃହରେ ପାରିତ ହୋଇଥିଲେ ମଧ୍ୟ ରାଜ୍ୟପାଳଙ୍କ ଅନୁମୋଦନ ମିଳିନି । ଏଭଳିସ୍ଥଳେ ବିଧେୟକକୁ ନେଇ ଜନଆକ୍ରୋଶ ଥିବାରୁ ଶାସକ-ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଛି କାଦୁଆଫିଙ୍ଗା ରାଜନୀତି । ପରସ୍ପର ମୁଣ୍ଡରେ ବିଧେୟକ ଅଠା ବୋଳିଛନ୍ତି ଶାସକ-ବିରୋଧୀ ।
ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ପାଇଁ ଶୀତ ଅଧିବେଶନରେ ଆସିଥିବା ବିଧେୟକର ଭବିଷ୍ୟତ ଏବେ ଅନ୍ଧାରକୁ ଠେଲି ହୋଇଯାଇଛି । ଗୃହରେ ପାରିତ ହୋଇଥିଲେ ମଧ୍ୟ ବିଧେୟକରେ ଆଇନର ମୋହର ବାଜିନି । ଏହା ଭିତରେ ୩ ଗୁଣାରୁ ଅଧିକ ଦରମା ଓ ଭତ୍ତା ବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କ ଅସନ୍ତୋଷ ଓ ଆକ୍ରୋଶ ସରକାର ଦେଖି ସାରିଛନ୍ତି । ସମାଲୋଚନାର ଶିକୁଳିରେ ଛନ୍ଦି ହୋଇ କଲବଲ ହୋଇଛି ଶାସକ ଦଳ । ତେଣୁ ନୂଆ ରୂପରେ ନୂଆ ବିଧେୟକ ଆଣିବାକୁ ଯୋଜନା କରୁଛନ୍ତି ସରକାର । ଜନଆକ୍ରୋଶରୁ ବର୍ତ୍ତିବାକୁ ବୁଲେଇ ବଙ୍କେଇ ସମାନ ଦରମା ହାତେଇବାକୁ ଅଙ୍କକଷା ଚାଲିଥିବା ଚର୍ଚ୍ଚା ହେଉଛି । ଏଥିପାଇଁ ଭିନ୍ନ ଭିନ୍ନ କ୍ଷେତ୍ର ବାବଦକୁ ଟଙ୍କା ଆବଣ୍ଟନ କରାଯାଇପାରେ । ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ପଞ୍ଜାବ, କେରଳ ଭଳି ରାଜ୍ୟରେ ଏଭଳି ଢଙ୍ଗରେ ବଢ଼ିଛି ବିଧାୟକଙ୍କ ଦରମା ଓ ଭତ୍ତା ।
ଅଧିକ ପଢ଼ନ୍ତୁ : ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ; ଚତୁର୍ଥ ଆସନରେ ସମର୍ଥନ ଦେବୁ କହି ବିଜେଡି ବଢ଼ାଇଲେ ସସପେନ୍ସ
ସମାଲୋଚନା, ଆକ୍ଷେପ ଭିତରେ ଏବେ ବି ଉଭୟ ବିରୋଧୀ ଓ ଶାସକ ଦଳର ସଂଖ୍ୟାଧିକ ବିଧାୟକ ବର୍ଦ୍ଧିତ ଦରମା ଓ ଭତ୍ତାର ମୋହ ଛାଡିପାରୁନାହାନ୍ତି । ଅଧିକ ଖର୍ଚ୍ଚର ଆଳ ଦେଖାଇ ପୁରୁଣା ବିଧେୟକକୁ କାହିଁକି ଲାଗୁ କରାଯାଉନି ବୋଲି ପ୍ରଶ୍ନ କରୁଛନ୍ତି । ଶାସକ ଦଳର ବିଧାୟକ ଜୟନାରାୟଣ କହିଛନ୍ତି, ବର୍ଦ୍ଧିତ ଦରମା ପ୍ରସଙ୍ଗରେ ବିଜେଡି ୟୁ-ଟର୍ଣ୍ଣ ମାରିଛି । ସରକାର ଯାହା ନିଷ୍ପତ୍ତି ନେବେ ଆମର ‘ହଁ’ । ଅନ୍ୟପଟେ ବିରୋଧୀ ବିଜେଡି ଓ କଂଗ୍ରେସ, ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଛନ୍ତି । ହେଲେ ପ୍ରଶ୍ନ ଉଠୁଛି, ବିଧାୟକ ଯଦି ବର୍ଦ୍ଧିତ ଦରମା ନେବାକୁ ଆଗ୍ରହୀ ତେବେ ବିଲ୍ର ପୁନର୍ବିଚାର ପାଇଁ କହିଲା କିଏ ?
ସରକାରଙ୍କ କୋର୍ଟରେ ବିଧାୟକଙ୍କ ବର୍ଦ୍ଧିତ ଦରମା ଓ ଭତ୍ତା ବଲ୍ । ତେଣୁ ସରକାର କି ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ନଜର ।
Follow Us