କନକ ବ୍ୟୁରୋ: ଚାକିରି ସରକାରୀ, ହେଲେ ଦୁର୍ନୀତି କରିବାରେ ବାବୁ ବ୍ୟସ୍ତ । ଅର୍ଥାତ୍‌ ପିସି ନେଇ ମାଲାମାଲ ହେଉଛନ୍ତି ବାବୁ । ଅବଶ୍ୟ ବାବୁଙ୍କ ଦୁର୍ନୀତି କିଛି ନୂଆ କଥା ନୁହେଁ ହେଲେ କେତେ ଟଙ୍କାର ଦୁର୍ନୀତି ହୋଇଛି ଓ କେତେ ଜଣ ବାବୁ ଦୁର୍ନୀତି କରିଛନ୍ତି ତାହାର ଉତ୍ତର ଆସିବା ପରେ ପୁଣି ଥରେ ପ୍ରଶ୍ନ ଉଠିଲାଣି, ପୁରୁଣା ସରକାରରେ ସ୍ଥିତି ଯାହା ଥିଲା ନୂଆ ସରକାରରେ ବି ସ୍ଥିତି ସମାନ ହେଲାଣି କି । କାରଣ କଂଗ୍ରେସ ବିଧାୟିକ ସୋଫିଆ ଫିର୍ଦ୍ଦୋସ୍‌ ବିଧାନସଭାରେ ଦୁର୍ନୀତିକୁ ନେଇ ପ୍ରଶ୍ନ କରିବା ପରେ ସରକାର ବି ଉତ୍ତର ରଖିଛନ୍ତି ।

Advertisment

ସୋଫିଆ ପଚାରିଲେ ଦୁର୍ନୀତି କେତେ ହୋଇଛି ?
ବିଧାନସଭାରେ ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ
ସରକାରୀ ଦୁର୍ନୀତିଗ୍ରସ୍ତ ବାବୁଙ୍କ ଖୋଲିଲା ମୁଖା

୧୫ ମାସରେ 
୪, ୭୩୦ ଅଧିକାରୀଙ୍କ ଦେହରେ
ଲାଗିଛି ଦୁର୍ନୀତିର ଛିଟା

ସରକାର ବଦଳିଲା, ହେଲେ ଦୁର୍ନୀତି କମିଲାଣି । ପୁରୁଣାରେ ଯାହା ହେଉଥିଲା ନୂଆରେ ବି ସମାନ ସ୍ଥିତି । ଅର୍ଥାତ୍‌ ସରକାରୀ ବାବୁମାନେ ଦୁର୍ନୀତିରୁ ମୁକ୍ତ ହୋଇପାରିଲେ ନାହିଁ । ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ପରେ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥା । କିଛିଦିନ ତଳେ ମୁଖ୍ୟ ଶାସନ ସଚିବ ଚିଠି ଲେଖି ଦୁର୍ନୀତି ରୋକିବାକୁ ନିର୍ଦ୍ଦେଶ ଦେଇଥିଲେ । ବାବୁଙ୍କୁ ଭିଜିଲାନ୍ସ ଧରିବା ପୂର୍ବରୁ ବିଭାଗ ଦୁର୍ନୀତି ଧରୁ ବୋଲି ଲେଖିଥିଲେ । କିନ୍ତୁ ସ୍ଥିତିରେ କୌଣସି ସୁଧାର ଆସିବା ପରି ମନେ ହେଉନି । ସୋମବାର କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍‌ ଏନେଇ ପ୍ରଶ୍ନ କରିବା ପରେ ଗୃହରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୧୫ ମାସରେ ୪, ୭୩୦ ଅଧିକାରୀଙ୍କ ବିରୋଧରେ ଆସିଛି ଦୁର୍ନୀତି ଅଭିଯୋଗ । ୨୮୪ ଅଭିଯୋଗରେ ମାମଲା ହୋଇଥିବା ବେଳେ ୨୩୦ ମାମଲାର ତଦନ୍ତ ଶେଷ ହୋଇଛି । ୨୧ ଟି ମାମଲାରେ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗକୁ ସୁପାରିସ୍‌ କରିଛି ଭିଜିଲାନ୍ସ । ୧୩୩ଟି ଆପରାଧିକ ମାମଲା ରୁଜୁ ହୋଇଛି । 

୧୫ ମାସରେ
୨୭୮ ମାମଲା ରୁଜୁ କରିଛି ଭିଜିଲାନ୍ସ
୩୪୯ ସରକାରୀ କର୍ମଚାରୀଙ୍କ ବିରୋଧରେ ହୋଇଛି ଆକ୍ସନ

ମାତ୍ର ୧୫ ମାସ ଭିତରେ ୩୪୯ ସରକାର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଆଉ ସେମାନଙ୍କଠାରୁ ଜବତ ହୋଇଛି ୯.୫୫ କୋଟି ନଗଦ ଟଙ୍କା ଓ ବ୍ୟାଙ୍କରେ ଜମା ଅଛି ୪୪ କୋଟି ୨୨ ଲକ୍ଷ ୯୫ ହଜାର ଟଙ୍କା । ଖାଲି ଏତିକି ନୁହେଁ ଦୁର୍ନୀତିଗ୍ରସ୍ତ ବାବୁଙ୍କଠାରୁ ୧୨ କୋଟି ୨୪ ଲକ୍ଷ ୨୦ ହଜାର ଟଙ୍କାର ସୁନା ଅଳଙ୍କାର ସହ ୧୩୨ କୋଟି ୯୦ ଲକ୍ଷ ୯୪ ହଜାର ୨୨୩ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ମଧ୍ୟ ଜବତ ହୋଇଛି । ଏହାସହ ୧୫ ମାସରେ ୧୨୪ ଜଣ ଦୁର୍ନୀତିଖୋର କର୍ମଚାରୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛି । 

ମୋଟ୍‌ ଉପରେ ରାଜ୍ୟରେ ନୂଆ ସରକାର ଆସିବା ପରେ ଦୁର୍ନୀତି କମିବ ବୋଲି କୁହାଯାଉଥିଲା । ହେଲେ ବିଧାନସଭାର ଉତ୍ତର ଗୋଟିଏ କଥା ସ୍ପଷ୍ଟ କରୁଛି ସରକାର ଯେତେ ଝାଡିଝୁଡ଼ି ହେଲେ ବି ଦୁର୍ନୀତିର ଦାଗ କିନ୍ତୁ ପୋଛି ପାରୁନାହାନ୍ତି ।