କନକ ବ୍ୟୁରୋ: ନାରୀ ସୁରକ୍ଷା ପାଇଁ ଆନ୍ଦୋଳନ କଲେ, ଗର୍ଜିଲେ…ପୁଲିସ ସହ ଧସ୍ତାଧସ୍ତି ବି କଲେ । ହେଲେ ନିଜେ ହିଁ ଦୁଷ୍କର୍ମ କଲେ । ଛାତ୍ରକଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ଅଭିଯୋଗ ହେବା ପରେ ସଙ୍ଗେ ସଙ୍ଗେ ମଞ୍ଚେଶ୍ୱର ପୁଲିସ୍‌ ଅଭିଯୁକ୍ତ ଉଦିତଙ୍କୁ ଗିରଫ କରିଛି । ଖାଲି ଗିରଫ କରିଛି ତାହା ନୁହେଁ ବରଂ ରାଜ୍ୟରେ ଏହି ଘଟଣାକୁ ନେଇ ରାଜନୀତି ବି ଜୋର ଧରିଛି । କାରଣ ଗତ ବିଧାନସଭାରେ କଂଗ୍ରେସ ନାରୀ ନିର୍ଯାତିତ ପ୍ରସଙ୍ଗରେ ତମ୍ବିତୋଫାନ୍‌ କରିଥିଲା । ତୁରନ୍ତ ସରକାର ଷ୍ଟାଣ୍ଡିଂ କମିଟି ଗଠନ କରିବା ଦାବିରେ ଅଡି ବସିଥିଲା । ସ୍ଥିତି ଏମିତି ହୋଇଥିଲା କଂଗ୍ରେସ ବିଧାୟକଙ୍କୁ ସସ୍‌ପେଣ୍ଡ କରିଥିଲେ ବାଚସ୍ପତି । ହେଲେ ଏହାରି ଭିତରେ ଖୋଦ୍‌ କଂଗ୍ରେସ ନେତାଙ୍କ କଳାକାରନାମା ସାମ୍ନାକୁ ଆସିବା ପରେ ଉଭୟ ଶାସକ ଓ ବିରୋଧୀ କଂଗ୍ରେସକୁ ଘେରିଛନ୍ତି ।

Advertisment

ଅଭିଯୋଗ ହେଲା
କଂଗ୍ରେସ ଆକ୍ସନ ନେଲା
କଣ ଘଟିଥିଲା ସେଦିନ ରାତିରେ

ଅଭିଯୁକ୍ତ ଉଦିତ ପ୍ରଧାନ । ଛାତ୍ର କଂଗ୍ରେସର ସଭାପତି । ତାଙ୍କ ନାଁରେ ଜଣେ ଛାତ୍ରୀ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମୃଦୁ ପାନୀୟରେ ନିଶା ଦେଇ ହୋଟେଲ୍‌ରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଗିରଫ କରିଛି । ମଞ୍ଚେଶ୍ୱର ଥାନା ପୁଲିସ୍‌ ରବିବାର ରାତିରେ ଉଦିତଙ୍କୁ ଉଠାଇ ନେଇଛି । ପରେ କୋର୍ଟ ଚାଲାଣ କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି ।  ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ଚଳିତ ବର୍ଷ ମାର୍ଚ୍ଚ ୧୮ତାରିଖ ଅପରାହ୍ନରେ ସେ ଓ ତାଙ୍କର ଜଣେ ବାନ୍ଧବୀ ଏବଂ ଜଣେ ସହପାଠୀଙ୍କ ସହ ମିଶି ମାଷ୍ଟରକ୍ୟାଣ୍ଟିନ୍‌ ଛକକୁ ବୁଲିବାକୁ ଯାଇଥିଲେ । ସେଠାରେ ସହପାଠୀ ଜଣକ ଉଦିତ ପ୍ରଧାନଙ୍କୁ ସେମାନଙ୍କ ସହ ପରିଚିତ କରାଇଥିଲେ ।

ଏହାପରେ ଉଦିତଙ୍କ ଗାଡ଼ିରେ ସେମାନେ ନୂଆପଲ୍ଲୀସ୍ଥିତ ଏକ ହୋଟେଲକୁ ଯାଇଥିଲେ । ହୋଟେଲ୍‌ରେ ସେମାନେ ମଦ ପିଇଥିଲେ । କିନ୍ତୁ ପୀଡ଼ିତା ମଦ ପିଇବାକୁ ମନା କରିଥିଲେ । ତେଣୁ ଉଦିତ ତାଙ୍କୁ ମୃଦୁପାନୀୟ ପିଇବାକୁ କହିଥିଲା । ସେ କୌଶଳକ୍ରମେ ସେଥିରେ କୌଣସି ନିଶା ମିଶାଇ ତାଙ୍କୁ ପିଇବାକୁ ଦେଇଥିଲେ । ମୃଦୁ ପାନୀୟ ପିଇବାର କିଛି ସମୟ ପରେ ତାଙ୍କ ମୁଣ୍ଡ ଘୂରାଇ ଦେଇଥିଲା । ତେଣୁ ତୁରନ୍ତ ଘରେ ଛାଡ଼ିଦେବାକୁ ସେ କହିଥିଲେ । ମାତ୍ର ଉଦିତ ଓ ଅନ୍ୟମାନେ ତାଙ୍କୁ ଯିବାକୁ ଦେଇ ନଥିଲେ। ଏହାପରେ ସେ ସଂଜ୍ଞାହୀନ ହୋଇପଡ଼ିଥିଲେ । ତାଙ୍କର ହୋସ୍‌ ଫେରିବା ବେଳକୁ ସେ ଦେଖିଲେ ଯେ ଉଦିତ ତାଙ୍କ ସହିତ କିଛି ଖରାପ କାମ କରିଛନ୍ତି । ପରେ ସେ ବୁଝିଲେ ଯେ ଉଦିତ ତାଙ୍କୁ ଦୁଷ୍କର୍ମ କରିଛନ୍ତି । ଏନେଇ ସେ ପଚାରିବାରୁ ଉଦିତ ତାଙ୍କୁ ଧମକ ଦେଇଥିଲେ । ଅଭିଯୋଗ କଲେ, ତାଙ୍କୁ ଭୟଙ୍କର ପରିଣତି ଭୋଗିବାକୁ ପଡ଼ିବ ବୋଲି କହିଥିଲେ । କିଛି ଏମିତି ମାମଲା ସାମ୍ନାକୁ ଆସିବା ପରେ ଜୋରଦାର ଚର୍ଚ୍ଚା ବଢିଛି ।

ନେତା ଥିବାରୁ ଡରିଥିଲେ ପୀଡ଼ିତା
ସାହସ କଲେ, ମାମଲା କଲେ
ସଙ୍ଗିନ ଦଫା ଲାଗିଲା ଉଦିତଙ୍କ ବିରୋଧରେ
ଦଳରୁ ନିଲମ୍ବନ କଲା କଂଗ୍ରେସ

ଉଦିତ ଛାତ୍ର କଂଗ୍ରେସର ନେତା ହୋଇଥିବାରୁ ପୀଡ଼ିତା ଜଣକ ଡରିଥିଲେ । ତେଣୁ ସେହି ସମୟରେ ମାମଲା ରୁଜୁ କରିନଥିଲେ । ହେଲେ ପରବର୍ତ୍ତୀ ସମୟରେ ସାହସ ଜୁଟାଇବା ପରେ ଥାନାରେ ମାମଲା ହେଲା । ତେବେ ଉଦିତଙ୍କ ବିରୋଧରେ ସଙ୍ଗିନ ଦଫା ଲଗାଇଛି ପୁଲିସ୍‌...
ଦଫା ୬୪(୧) – ବଳପୂର୍ବକ ସମ୍ମତି ନେବା
ଦଫା ୧୨୩ – ଦୁଷ୍କର୍ମ
ଦଫା ୨୯୬ – ନିଶା ଦ୍ରବ୍ୟ ପ୍ରୟୋଗ କରି ଦୁଷ୍କର୍ମ କରିବା
ଦଫା ୭୪ – ଅପରାଧ ଲୁଚାଇବା କିମ୍ବା ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିବା
ଦଫା ୩୫୧(୨) – ମହିଳା ହିଂସା ଏବଂ ଅମାନବିକ ଅପରାଧ 

ଏହି ଦଫା ଲାଗିବା ପରେ ଆଗାମୀ ଦିନରେ ପୁଲିସ୍‌ କି କାର୍ଯ୍ୟାନୁଷ୍ଠାନ ନେଉଛି ଏବଂ ପୀଡ଼ିତା କେବେ ନ୍ୟାୟ ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।