କନକ ବ୍ୟୁରୋ: ଏଫ୍ଏମ୍ କଲେଜ ପୀଡିତାଙ୍କ ପରିବାରକୁ ଭେଟିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ବାଲେଶ୍ୱର ସ୍ଥିତ ପଳାସି ଗାଁରେ ପହଞ୍ଚି ପୀଡିତାଙ୍କ ବାପା-ମାଆଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ପିସିସି ସଭାପତିଙ୍କ ସହ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଓ ଅନ୍ୟ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ନମିଳିବା ଯାଏ କଂଗ୍ରେସ ଲଢ଼େଇ ଜାରି ରଖିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଭକ୍ତ ଚରଣ ଦାସ । ଏଥିସହ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି, ସ୍ଥାନୀୟ ବିଧାୟକ ଅଭିଯୁକ୍ତ ସହକାରୀ ପ୍ରଫେସରଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା ଚର୍ଚ୍ଚା ହେଉଛି ।
ସାଂସଦ, ଉଚ୍ଚଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଅଭିଯୋଗ ସତ୍ତ୍ୱେ ସଂପୂର୍ଣ୍ଣ ବ୍ୟବସ୍ଥା ଛାତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦେଇପାରି ନାହିଁ । ଯେଉଁ ସରକାର ଛାତ୍ରୀଙ୍କୁ ନ୍ୟାୟ ଦେବା କଥା ସେହି ସରକାର ଜୀବନ ହାରିବାକୁ ବାଧ୍ୟ କରିଛି । ନାରୀ ପାଇଁ ନ୍ୟାୟ ଲଢ଼େଇକୁ କଂଗ୍ରେସ ନିର୍ଣ୍ଣାୟକ ମୋଡ ଦେବ ବୋଲି କହିଛନ୍ତି ଭକ୍ତଚରଣ ଦାସ । ସେପଟେ, ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ରାଜଧାନୀରେ ବିଜେଡି ପକ୍ଷରୁ କ୍ୟାଣ୍ଡଲ ରାଲି କରାଯାଇଛି । ମାଷ୍ଟର କ୍ୟାଣ୍ଟିନ ଛକରୁ ଶହ ଶହ ବିଜେଡି କର୍ମୀ ହାତରେ ମହମବତୀ ଧରି ରାଲି କରିଥିଲେ ।
ମାଷ୍ଟର କ୍ୟାଣ୍ଟିନ ଛକରୁ ରାମ ମନ୍ଦିର ଯାଏଁ ରାଲି କରିଛନ୍ତି ବିଜେଡିର ନେତା ଓ କର୍ମୀ । ହାତରେ ମହମବତୀ ଧରି ପୀଡିତାଙ୍କୁ ନ୍ୟାୟ ଦାବିରେ ଏକାଠି ହୋଇଥିଲେ । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିଜୁ ଜନତା ଦଳ । ଆସନ୍ତାକାଲି ଏଫ୍ଏମ୍ କଲେଜ ପୀଡିତାଙ୍କୁ ନ୍ୟାୟ ଓ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଲୋକସେବା ଭବନ ଘେରାଉ କରିବାକୁ ବିଜେଡି ଡାକରା ଦେଇଛି । ଏହାକୁ ଦୃଷ୍ଟିରେ ରଖି ଲୋକସେବା ଭବନର ସମସ୍ତ କର୍ମଚାରୀଙ୍କୁ ସକାଳ ସାଢେ ୯ଟା ସୁଦ୍ଧା ପହଞ୍ଚିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ତାରାପ୍ରସାଦ ବାହିନୀପତି କହିଛନ୍ତି, ପୂରା ଘଟଣା ପାଇଁ ଏ ସରକାର ଦାୟୀ ।