କନକ ବ୍ୟୁରୋ : ଦିଲ୍ଲୀରେ ବିଜେପିର ବଡ଼ ରଣନୀତି । ସଂସଦରେ ବିରୋଧୀଙ୍କୁ କାଉଣ୍ଟର ଲାଗି ଅଣ୍ଟା ଭିଡ଼ିଛି ଦଳ । କେନ୍ଦ୍ରୀୟ ନେତୃତ୍ୱଙ୍କୁ ସାକ୍ଷାତ ଓ ସାଂସଦଙ୍କ ସହ ବଡ଼ ବୈଠକ କରିଛନ୍ତି ମନମୋହନ ସାମଲ । କୁହାଯାଉଛି, ଦିଲ୍ଲୀରୁ ଫେରିଲେ ସଂଗଠନ ଓ ସରକାରୀ ସ୍ତରରେ ବଡ଼ ପରିବର୍ତ୍ତନ ହୋଇପାରେ ।

Advertisment

ରାଜ୍ୟରେ ନାରୀ ସୁରକ୍ଷା ପ୍ରସଙ୍ଗକୁ ବଡ଼ ଅସ୍ତ୍ର କରିଛି କଂଗ୍ରେସ । ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର କେନ୍ଦ୍ରୀୟ ନେତା ଏହାକୁ ଗୁରୁତ୍ୱର ସହ ନେବା ପରେ ଏହା ଏବେ ଜାତୀୟ ପ୍ରସଙ୍ଗ ପାଲଟିଛି । ଏପରିକି ସଂସଦର ମୌସୁମୀ ଅଧିବେଶନରେ ଏକ ମୁଲତବୀ ପ୍ରସ୍ତାବ ମଧ୍ୟ ଆଣିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା । କଂଗ୍ରେସର ଏହି ଆକ୍ରମଣାତ୍ମକ ରଣନୀତିକୁ କାଉଣ୍ଟର କରିବା ପାଇଁ କସରତ ଆରମ୍ଭ କରିଛି ବିଜେପି । ରାଜ୍ୟ ବିଜେପି ମୁଖିଆଙ୍କ ଉପସ୍ଥିତିରେ ଦିଲ୍ଲୀରେ ସାଂସଦମାନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଯେଉଁଥିରେ ବିରୋଧୀଙ୍କ ପ୍ରତିଟି ଆକ୍ରମଣ ଜବାବ ଦେବା ଏବଂ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉଠାଇବା ପାଇଁ ରଣନୀତି ପ୍ରସ୍ତୁତ କରିଛି ଦଳ ।

ରାଜ୍ୟ ବିଜେପିର ପୁଣିଥରେ ମଙ୍ଗ ଧରିବା ପରେ ମନମୋହନ ସାମଲଙ୍କ ଦିଲ୍ଲୀ ଗସ୍ତ ଅନେକ ଦିଗକୁ ଇଙ୍ଗିତ କରୁଛି । ମନମୋହନଙ୍କ ସାଙ୍ଗରେ ରହିଛନ୍ତି ସଂଗଠନ ମହାମନ୍ତ୍ରୀ ଓ ବିଜେପି ରାଜ୍ୟ ପ୍ରଭାରୀ । ରାଜ୍ୟ ସଂଗଠନକୁ ବଳ ଦେବା ପାଇଁ କେନ୍ଦ୍ରୀୟ ନେତୃତ୍ୱ ସହ ବୈଠକ କରିଛନ୍ତି ନୂଆ ସଭାପତି । ଏହାସହ ଦଳରେ କୌଣସି ମତଭେଦ ନାହିଁ ବୋଲି ବାର୍ତ୍ତା ଦେବାକୁ ମଧ୍ୟ ଦିଲ୍ଲୀରେ କସରତ କରାଯାଉଥିବା ଚର୍ଚ୍ଚା ହେଉଛି । ଏସବୁ ଭିତରେ ଦୀର୍ଘ ୧୩ ମାସ ଧରି ରାଜ୍ୟରେ ଖାଲିପଡ଼ିଥିବା ବିଭିନ୍ନ ବୋର୍ଡ ଓ ନିଗମ ପଦ ପୂରଣ ପାଇଁ ମଧ୍ୟ ଆଲୋଚନା ହୋଇଥିବା କୁହାଯାଉଛି । ଏପରିକି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ କେନ୍ଦ୍ରୀୟ ନେତୃତ୍ୱଙ୍କ ଇନପୁଟ୍‌ ଚାହିଛନ୍ତି ମନମୋହନ ।

ସଭାପତିଙ୍କ କାନ୍ଧରେ ସରକାର ଓ ସଂଗଠନ ଭିତରେ ସମନ୍ୱୟ ରଖିବାର ଗୁରୁଦାୟିତ୍ୱ । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ରହିଛି । ତା’ ପୂର୍ବରୁ ସରକାର ଭାବମୂର୍ତ୍ତି ସଜାଡ଼ିବା ସହ ସଂଗଠନକୁ ଶକ୍ତିଶାଳୀ କରିବା ସଭାପତିଙ୍କ ପାଇଁ ବଡ଼ ଆହ୍ୱାନ ।