କନକ ବ୍ୟୁରୋ: ରାଜ୍ୟରେ ଖୁବଶୀଘ୍ର ମନ୍ତ୍ରିମଣ୍ଡଳର ହେବ ସମ୍ପ୍ରସାରଣ । ଏନେଇ ସ୍ପଷ୍ଟ କଲେ ରାଜ୍ୟ ସଭାପତି ମନମୋହନ ସାମଲ । କେନ୍ଦ୍ର ସହ ଏନେଇ ଆଲୋଚନା ହେବା ସହ ଅନେକ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମନମୋହନ କହିଛନ୍ତି । ଏଥିସହିତ ରାଜ୍ୟରେ ବୋର୍ଡ ଓ ନିଗମ ନିଯୁକ୍ତି ନେଇ ପୁର୍ବରୁ ଦୁଇଥର ବୈଠକ ସରିଥିବା ବେଳେ ତାଲିକା ବି ପ୍ରସ୍ତୁତ କରାଯାଇଛି ।
ଆଉ କିଛି ଚର୍ଚ୍ଚା ଆଲୋଚନା ପରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟ ସଭାପତି । ଆଗକୁ ନୂଆ ଟିମ୍ ସହ କାର୍ଯ୍ୟ କରିବେ ରାଜ୍ୟ ସଭାପତି ମନମୋହନ ସାମଲ । ଯୁବକ ଓ ବରିଷ୍ଠଙ୍କ ସହ ସମନ୍ଵୟ ରଖି ନୂଆ ରାଜ୍ୟ ଟିମ୍ ଗଠନ ହେବ । ସମସ୍ତ ବର୍ଗଙ୍କୁ ଗୁରୁତ୍ଵ ଦେଇ ଦଳ ପାଇଁ ନୂଆ ଟିମ୍ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି । ତେବେ ମନମୋହନଙ୍କୁ ନେଇ ଏବେ ଭାରି ଚର୍ଚ୍ଚା ।
ତେବେ ମନମୋହନ ଜଣେ ମାତ୍ର ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଥିବାରୁ ମନମୋହନ ସାମଲଙ୍କୁ ଔପଚାରିକ ଭାବେ ବିଜେପି ରାଜ୍ୟ ସଭାପତି ଘୋଷଣା କରାଯାଇଛି । ଚତୁର୍ଥଥର ଦଳର ଦାୟିତ୍ୱ ନେବା ପରେ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ମନମୋହନ । ସରକାରଙ୍କ ପଛରେ ଖୁଣ୍ଟ ଭଳି ଛିଡ଼ା ହେବ ଦଳ ଓ ସାଇନବୋର୍ଡ ପାର୍ଟିରୁ ସରକାର ଗଢ଼ିଛି ବିଜେପି । ତେଣୁ ବିଜେପି ସରକାର ଲମ୍ବା ଇନିଂସ ଖେଳିବ । ୨୦୩୬ ଓ ୨୦୪୭ ମସିହା ବି ଦେଖିବ ବିଜେପି ସରକାର ବୋଲି ସେ କହିଥିଲେ ।
ସରକାର ଆସିବା ପରେ, ଲୋକଙ୍କ ଆଶା ପୂରଣ କରିବାର ଦାୟିତ୍ୱ ବଢ଼ିଛି । ସରକାରକୁ ଆସିବା ପରେ ଆମେ ଶୋଇବା ନାହିଁ ବୋଲି ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି । ଏହି ଦୁଇପଦ କଥାରୁ ସ୍ପଷ୍ଟ ହେଉଛି ଯେ ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ସୂତ୍ରଧର ପାଲଟିବେ ମନମୋହନ ସାମଲ । ସରକାରଙ୍କ ସଫଳତାକୁ ଗାଁ ଗାଁରେ ପହଞ୍ଚାଇବାର ଦାୟିତ୍ୱ ନେବ ଦଳ । ହେଲେ ଏବେ ମନ୍ତ୍ରିମଣ୍ଡଳକୁ ନେଇ ସେ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ।