କନକ ବ୍ୟୁରୋ : ଖୁବଶୀଘ୍ର ନିଗମ ଓ ବୋର୍ଡରେ ନିଯୁକ୍ତି ମିଳିବା ନେଇ ସଂକେତ ମିଳିବା ପରେ ଆଶାୟୀଙ୍କ କ୍ୟାମ୍ପ ଏବେ ଆକ୍ଟିଭ ମୋଡରେ । ନିଜ ନିଜ ସ୍ତରରେ ଲବି ଆରମ୍ଭ କଲେଣି ବିଜେପି ନେତା । ହେଲେ କାହାକୁ ଭରସିବେ ମୋହନ-ମନମୋହନ ଯୋଡ଼ି, ତାହାକୁ ନେଇ ସଂଶୟରେ ଆଶାୟୀ । ଏସବୁ ଭିତରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ।

Advertisment

ବିଜେପି ସରକାରର ୧୭ ମାସ ପରେ ବି ଏଯାଏଁ ହୋଇପାରିନି ବୋର୍ଡ ନିଗମରେ ନିଯୁକ୍ତି । ରେସରେ ସଂଖ୍ୟାଧିକ ଆଶାୟୀ । ହେଲେ ନିଯୁକ୍ତି କାହାକୁ ମିଳିବ ତାହା ଚୂଡ଼ାନ୍ତ ହୋଇପାରୁନି । ଏସବୁ ଭିତରେ ରାଜ୍ୟ ବିଜେପି ପ୍ରଭାରୀ ସିଧାସଳଖ କହିଛନ୍ତି, ଖୁବଶୀଘ୍ର ବୋର୍ଡ ନିଗମରେ ନିଯୁକ୍ତି ଦିଆଯିବ । ତାଲିକା ପ୍ରସ୍ତୁତ ସରିଛି, କେନ୍ଦ୍ରୀୟ ମୋହରକୁ ଅପେକ୍ଷା ଅଛି । ପ୍ରଭାରୀଙ୍କ ଏହି ପଦିଏ କଥା ନୂଆପଡ଼ାରୁ ଫେରିଥିବା ଛାମୁଆ ନେତାଙ୍କୁ ଉତ୍ସାହିତ କରିଛି । ଜୟଙ୍କ ବିଜୟ ପାଇଁ ଦିଆଯାଇଥିବା ଟାସ୍କକୁ ପୁରା କରିଥିବାରୁ ନିଗମ ପଦବୀ ପକ୍କା ବୋଲି ମନସ୍ଥିର କଲେଣି ଆଶାୟୀ । ତେବେ ଜୟଙ୍କ ପାଇଁ ନୂଆପଡା ଆସନ ଛାଡ଼ିଥିବା ବସନ୍ତ ପଣ୍ଡା, ପୁଅ ଅଭିନନ୍ଦନ ପଣ୍ଡା ଏହି ରେସରେ ସର୍ବାଗ୍ରେ ରହିଛନ୍ତି ।

ନୂଆପଡ଼ା ବିଜୟ ପରେ ରାଜ୍ୟରେ ସଙ୍ଗଠନକୁ ସୁଦୃଢ କରିବାକୁ ପ୍ରଥମଥର ପାଇଁ ନିଜ ଟିମ୍ ସହ ବୈଠକ କରିଛନ୍ତି ବିଜେପି ମୁଖିଆ । ବୁ୍‌ଥ୍ ସ୍ତରରେ ଦଳକୁ ଶକ୍ତିଶାଳୀ କରିବାକୁ ହୋଇଛି ବ୍ଲୁ-ପ୍ରିଣ୍ଟ । ଏହାସହ ଡିସେମ୍ବର ୨୫ରୁ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ଆରମ୍ଭ କରିବ ଦଳ । ସ୍ୱଦେଶୀ ଉତ୍ପାଦ କିଣିବା ଓ ବ୍ୟବହାର ପାଇଁ ସଂକଳ୍ପ ନେବେ କାର୍ଯ୍ୟକର୍ତ୍ତା । ନିଗମ ଓ ବୋର୍ଡରେ ନିଯୁକ୍ତି ପାଇଁ ଅଙ୍କକଷା ସରିଛି । ହେଲେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ସାମୟିକ ବ୍ରେକ୍ ଲାଗିଛି ।