Growth Engine Photograph: (Kanak News)
କନକ ବ୍ୟୁରୋ : ବିକଶିତ ଭାରତର ଓଡିଶା ହେବ ଗ୍ରୋଥ୍ ଇଞ୍ଜିନ । ଓଡିଶାର ବିକାଶ ରହିଛି ରାଜ୍ୟ ସରକାରଙ୍କ ଫୋକସ୍ । ବଜେଟ ଅଭିଭାଷଣରେ ରାଜ୍ୟ ସରକାରଙ୍କ ସଫଳତା ବଖାଣିଲେ ରାଜ୍ୟପାଳ । ରାଜ୍ୟର ବିକାଶ ଓ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ରାଜ୍ୟପାଳ । ଶିକ୍ଷା କ୍ଷେତ୍ରରେ ମଧ୍ୟ ସରକାର ବ୍ୟାପକ ଉଦ୍ୟମ କରିଛନ୍ତି । ବାଣପୁର ମାଟିରୁ ଆକାଂକ୍ଷୀ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ, ୨୦୨୫-୨୬ରୁ ୨୦୨୮-୨୯ ପର୍ଯ୍ୟନ୍ତ ଚାରି ବର୍ଷରେ ୨୨୦୦ଟି ବିଦ୍ୟାଳୟ ପାଇଁ ୧୨୦୦୦ କୋଟି ଟଙ୍କା ବ୍ୟୟ ହେବ । ଆଧୁନିକ ଶ୍ରେଣୀକକ୍ଷ, ଡିଜିଟାଲ ସାଧନ ଓ କ୍ରୀଡ଼ା ସୁବିଧା ମାଧ୍ୟମରେ ଶିକ୍ଷା ଢାଞ୍ଚା ଓ ଶିକ୍ଷା ପରିବେଶର ମାନ ଉନ୍ନତି ପାଇବ । ପ୍ରତ୍ୟେକ ଶିଶୁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତାରେ ପାରଦର୍ଶୀ ହେବେ ବୋଲି ରାଜ୍ୟପାଳ କହିଛନ୍ତି ।
ରାଜ୍ୟରେ ନୂଆ ସରକାର୍ ଆସିବା ପରେ ୧୬ ଲକ୍ଷ ୪୨ ହଜାର ଲକ୍ଷପତି ଦିଦି ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୬ ଲକ୍ଷ ୧୯ ହଜାର ସୃଷ୍ଟି କରିବାକୁ ଧାର୍ଯ୍ୟ କରାଯାଇଥିଲା । SHG ସଦସ୍ୟ ମାନଙ୍କୁ ବାର୍ଷିକ ଅନ୍ୟୁନ ଏକ ଲକ୍ଷ ଟଙ୍କା ରୋଜଗାର କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ରାଜ୍ୟ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ସହାୟତା କ୍ଷେତ୍ରରେ ସରକାର ଅଶେଷ ସଫଳତା ପାଇଛନ୍ତି । ସୁଭଦ୍ରାରେ ଏପର୍ଯ୍ୟନ୍ତ ଆବେଦନ କଲେଣି ୧ କୋଟି ୧୨ ଲକ୍ଷରୁ ଅଧିକ ମହିଳା । ତିନୋଟି କିସ୍ତିରେ ଏକ କୋଟିରୁ ଅଧିକ ହିତାଧିକାରୀଙ୍କୁ ସୁଭଦ୍ରା ସହାୟତା ରାଶି ବାବଦରେ ୧୫ ଶହ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି ।
ଅଧିକ ପଢ଼ନ୍ତୁ : ରାଜ୍ୟ ସରକାରଙ୍କ ସଫଳତା ବଖାଣିଲେ ରାଜ୍ୟପାଳ ; କହିଲେ , ବିକାଶର ଗ୍ରୋଥ୍ ଇଞ୍ଜିନ ହେବ ଓଡ଼ିଶା
ସମୃଦ୍ଧ କୃଷକ ଯୋଜନାରେ ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ପାଇଁ ୬ ହଜାର କୋଟି ଟଙ୍କା ଏବଂ ସିଏମ୍ କିଶାନ ଯୋଜନାରେ ଆୟବୃଦ୍ଧି ପାଇଁ ୨୦୨୦ କୋଟି ଟଙ୍କା ବ୍ୟୟ କରାଯାଇଛି । ଫଳରେ ଚାଷୀ ପରିବାରର ମୁଣ୍ଡପିଛା ଆୟ ଯଥେଷ୍ଟ ବୃଦ୍ଧି ପାଇଛି ବୋଲି କହିଛନ୍ତି ରାଜ୍ୟପାଳ । ମେକ୍ ଇନ୍ ଓଡ଼ିଶାରେ ମଧ୍ୟ ରାଜ୍ୟ ସରକାରଙ୍କୁ ମିଳିଛି ଅଦ୍ଭୁତ ପୂର୍ବ ସଫଳତା । ୮୫ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିସାରିଲେଣି ସରକାର । ଦୁଇ ଲକ୍ଷ କୋଟିର ନିବେଶ ସହ ଏକ ଲକ୍ଷ ୬୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ।
ମେକ ଇନ ଓଡ଼ିଶା ୨୦୨୫ ରେ ମୋଟ ୭.୧ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ସମ୍ବାବନା ସୃଷ୍ଟି ହୋଇଥିବା ବେଳେ ୪ ଲକ୍ଷ ୬୫ ହଜାର ନିଯୁକ୍ତି ସୃଷ୍ଟି ହେବ । ଏହା ସହ ୩୪୩ ଟି ବୃହତ ଶିଳ୍ପକୁ ଅନୁମୋଦିତ କରାଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟ ମାସିକ ୧.୮୮ ଲକ୍ଷ ମେଟ୍ରିକ ଟନ୍ ଚାଉଳ କେନ୍ଦ୍ରରୁ ପାଉଛି । ରାଜ୍ୟର ୧୧ ହଜାର ୭୨୫ଟି ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ ୨.୯୧ ଲକ୍ଷ ପରିବାର ହିତାଧିକାରୀ ହୋଇଛନ୍ତି । ଏଥିସହ ୧୨.୩୬ ଲଷ ପରିବାରକୁ ଅନ୍ନଦୋୟ ଯୋଜନାରେ ବଣ୍ଟନ କରାଯାଉଛି । ଏହାବାଦ୍ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ୧.୧୫ ଲକ୍ଷ ପରିବାରକୁ ଅନ୍ତର୍ଭୂକ୍ତ କରି ୫ କେଜି ଚାଉଳ ପ୍ରଦାନ କରୁଛନ୍ତି ବୋଲି ରାଜ୍ୟପାଳ ନିଜ ଅଭିଭାଷଣରେ କହିଛନ୍ତି ।
ରାଜ୍ୟପାଳ ଅଭିଭାଷଣ ଶବ୍ଦରେ ଲମ୍ୱା, କିନ୍ତୁ କାର୍ଯ୍ୟରେ ଛୋଟ । ଏଭଳି କହି ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ଓଡିଶାରେ ଯେଭଳି ସ୍ଥିତି ଦେଶର ଆଉ କେଉଁ ରାଜ୍ୟରେ ନାହିଁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ସେପଟେ କଂଗ୍ରେସ କହିଛି ଯେ ରାଜ୍ୟପାଳ ଗୋଟିଏ ରାଜ୍ୟସରକାର ଗୋଟିଏ କଥା କହୁଛନ୍ତି । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟପାଳଙ୍କ ବଜେଟ ଅଭିଭାଷଣକୁ ସମାଲୋଚନା କରିଛି କଂଗ୍ରେସ ।
Follow Us