କନକ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ ତାରିଖ ଘୋଷଣା ପରଠାରୁ ହଟସ୍ପଟ ପାଲିଟିଛି କୋମନା ବ୍ଲକ । ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଶାସକ ଦଳ ଓ ବିରୋଧୀ ଦଳର ବଡ ବଡ ନେତା ଏଠାକୁ ଆସି ପ୍ରଚାର କରିଛନ୍ତି । କିନ୍ତୁ ଏହି ବ୍ଲକର ମାଓପ୍ରବଣ ଅଞ୍ଚଳର ଏମିତି କିଛି ବୁଥ ରହିଛି, ଯେଉଁଠି ସୁରୁଖୁରରେ ଭୋଟ୍ କରାଇବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ।
ନୂଆପଡ଼ାର କୋମନା ବ୍ଲକର ସୁନାବେଡ଼ା ଅଞ୍ଚଳ । ଏହି ଅଞ୍ଚଳରେ ଦିନେ ମାଓବାଦୀଙ୍କ ବନ୍ଧୁକ ଗର୍ଜୁଥିଲା । ଆଜି ସେଠି ପୁଲିଂ ପାର୍ଟିକୁ ଧରି ପହଁଚିଛି ବାୟୁସେନାର ହେଲିକପ୍ଟରର । ମାଓ ପ୍ରବଣ ଅଞ୍ଚଳର ହୋଇଥିବାରୁ ସୁନାଦେଇ ହେଲିପ୍ୟାଡରୁ କଡ଼ା ସୁରକ୍ଷା ବଳୟ ଭିତରେ ପୁଲିଂ ଅଧିକାରୀ, ଅବଜରଭରମାନଙ୍କୁ ସିଆରପିଏଫ୍ କ୍ୟାମ୍ପକୁ ନିଆଯାଇଛି । ଆଜି ଅଧିକାରୀମାନଙ୍କୁ ସିଆରପିଏଫ୍ କ୍ୟାମ୍ପ ଭିତରେ କଡା ସୁରକ୍ଷା ବଳୟରେ ରଖାଯାଇଛି । ରାତି ପାହିଲେ ସକାଳୁ ସୁନାବେଡ଼ା ଜଙ୍ଗଲ ଭିତରେ ଥିବା ବୁଥ୍କୁ ଯିବେ । ୬ଟାରେ ହେବ ମକଡ୍ରିଲ୍ । ୭ଟାରୁ ଆରମ୍ଭ ହେବ ମତଦାନ ।
ଜଙ୍ଗଲ ଭିତରେ ଥିବା ସୋସେଙ୍ଗ ଓ ସୁନାବେଢ଼ା ପଞ୍ଚାୟତ ବୁଥ ଗୁଡିକ ଅତି ସମ୍ବେଦନଶୀଳ । ଛତିଶଗଡ ସୀମାକୁ ଲାଗିଥିବାରୁ ଏହି ଅଂଚଳରେ ପାଦେ ପାଦେ ରହିଛି ମାଓବାଦୀଙ୍କ ଭୟ । ତଥାପି ଗଣତନ୍ତ୍ରର ମହାପର୍ବ ନିର୍ବାଚନରେ ସମସ୍ତଙ୍କୁ ସାମିଲ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ଜଂଗଲ ଭିତରେ ଥିବା ୮ଟି ବୁଥରେ ଭୋଟ୍ ଗ୍ରହଣ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଭୋଟ୍ ଗ୍ରହଣ କେନ୍ଦ୍ରରେ ସିସିଟିଭି ଲାଗିଛି । ବୁଥରେ ପୁଲିଂ ଅଧିକାରୀ ପହଁଚିବା ପୂର୍ବରୁ ସ୍ଥାନୀୟ ଅଂଚଳରୁ ନିୟୋଜିତ ହୋଇଥିବା ବୁଥ୍ ଲେବୁଲ ଅଫିସରମାନେ ପହଁଚିଛନ୍ତି । ସୋସେଙ୍ଗ ପଂଚାୟତରେ ୯ଟି ଗାଁ ରହିଛି । ସେହିପରି ସୁନାବେଡ଼ାରେ ରହିଛି ପ୍ରାୟ ୧୫ଟି ଗାଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/10/mao-affected-booths-2025-11-10-23-12-04.png)