କନକ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ ଉଭୟ କଂଗ୍ରେସ ଓ ଭକ୍ତଦାସଙ୍କ ପାଇଁ ବଡ଼ ପରୀକ୍ଷା ହେବ । ତେଣୁ ଭକ୍ତଦାସ ସ୍ଥାନୀୟ ନେତାଙ୍କୁ ନେଇ ରଣନୀତି କରୁଛନ୍ତି । ଆଦିବାସୀ ଭୋଟ ଓ ଅନୁକମ୍ପା ଭୋଟ ଆଶା ରଖିଛି କଂଗ୍ରେସ ।
ନୂଆପଡ଼ା ଉପନିର୍ବାଚନ କଂଗ୍ରେସ ପାଇଁ ଅଗ୍ନିପରୀକ୍ଷା ହେବାକୁ ଯାଉଛି । ବିଶେଷକରି ପିସିସି ସଭାପତି ଭକ୍ତ ଦାସଙ୍କ ନିଜ ସଂସଦୀୟ କ୍ଷେତ୍ରରେ ନୂଆପଡ଼ା ଆସୁଥିବାରୁ ଏହି ନିର୍ବାଚନ ଭକ୍ତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ । ତେଣୁ ଏହି ଆସନରୁ କଂଗ୍ରେସକୁ ଜିତାଇବା ପାଇଁ ଭକ୍ତ ଦାସ ନୂଆପଡ଼ାରେ ଡେରା ପକାଇଛନ୍ତି । ପିସିସି ସଭାପତି ହେବା ପରେ ଭକ୍ତଙ୍କ ପାଇଁ ପ୍ରଥମ ନିର୍ବାଚନ ହୋଇଥିବାରୁ ପ୍ରଚାର ଜୋରଦାର କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ବି ଘରକୁ ଘର ବୁଲି ପ୍ରଚାର ଚଳାଇଛନ୍ତି । ୩ ଥର ହାରିବା ପରେ ଶେଷଥର ପାଇଁ ନିର୍ବାଚିତ କରିବାକୁ ନିବେଦନ କରିଛନ୍ତି ।
ଘାସିରାମ ମାଝୀ ନୂଆପଡ଼ାରେ ଚତୁର୍ଥ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି । ୨୦୨୪ରେ ସ୍ୱାଧୀନ, ୨୦୧୯ ଓ ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ହୋଇ ସେ ଭଲ ଭୋଟ ପାଇଥିଲେ । ନୂଆପଡ଼ା ଦିନେ କଂଗ୍ରେସର ଗଡ଼ ଥିଲା । ଜଗନ୍ନାଥ ପଟ୍ଟନାୟକ ୧୯୯୭ ଉପନିର୍ବାଚନରେ ବିଜୟୀ ହୋଇ ଜାନକୀବଲ୍ଲଭ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ବି ହୋଇଥିଲେ । ଏବେ କଂଗ୍ରେସ ପୁଣି ଅନୁକମ୍ପା ଭୋଟ ଆଶାରେ ରହିଛି । ଘାସିରାମଙ୍କ ପ୍ରତି ଗଣ୍ଡ ସଂପ୍ରଦାୟର ସମର୍ଥନ ରହିଛି । କଂଗ୍ରେସର ନିଜସ୍ୱ ପକେଟ୍ ଭୋଟ୍ ଅଛି । ଆଦିବାସୀଙ୍କ ସମର୍ଥନ ମିଳିବା ଆଶା ।
ନୂଆପଡ଼ା ରାଜନୀତିରେ ଘଡିକୋ ଘୋଡା ଛୁଟୁଛି । ଜୟ ଢୋଲକିଆ ବିଜେପିରେ ମିଶିବା ପରେ ଗଣିତ ଗୋଳମାଳିଆ ହେଲାଣି । ଆଉ ଏହି ଗୋଳିଆପାଣିରୁ ହାତକୁ ଉଠେଇବା ଚକ୍କରରେ ଅଛି କଂଗ୍ରେସ ।