କନକ ବ୍ୟୁରୋ: ନୂଆପଡ଼ା ନିର୍ବାଚନକୁ ନେଇ ବଢ଼ିଲାଣି ତାତି । ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ଏବେ ନୂଆପଡ଼ା ଦେଖିବ ଉପନିର୍ବାଚନ । ଖାଲି ଉପନିର୍ବାଚନ ଦେଖିବ ତାହା ନୁହେଁ ବରଂ ଏଥର ନୂଆପଡ଼ା କାହାର ହେବ ତାହାକୁ ନେଇ ବି ବଢ଼ିଲାଣି ଚର୍ଚ୍ଚା । କାରଣ ନୂଆପଡ଼ା ବିଜେଡି ଦଖଲରେ ଥିଲା, ଏବେ ଉପନିର୍ବାଚନ ହେଲେ ବିଜେଡି ନିଜ ଗଡ଼ ବଞ୍ଚାଇପାରିବ କି ନାହିଁ ତାହାକୁ ନେଇ ବଢ଼ିଲାଣି ଦ୍ବନ୍ଦ୍ବ । କାରଣ ବିଧାନସଭା ଚାଲିଥିବା ପରେ ବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ତାଙ୍କୁ ଭଲ ବନ୍ଧୁ କହିବା ସହିତ ନୂଆପଡ଼ା ମୋର ଦାୟିତ୍ବ ବୋଲି କହିଥିଲେ । ବିଜ୍ଞପ୍ତି ପ୍ରକାଶ ନହେବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ଜିଲ୍ଲା ରାଜନୀତିକୁ ଆହୁରି ସରଗରମ କଲାଣି । 

ନୂଆପଡ଼ା ନିର୍ବାଚନକୁ ନେଇ ବଢ଼ିଲାଣି ଚର୍ଚ୍ଚା
କାହାର ହେବ ନୂଆପଡ଼ା
ବିଜେଡି ଗଡ଼ ବଞ୍ଚାଇପାରିବ ନା ବିଜେଡି ବାଜିମାତ୍‌ କରିବ
କଂଗ୍ରେସର ବିଧାୟକ ସଂଖ୍ୟା ବଢ଼ିବ କି ?
୪ ନଂ ଉପନିର୍ବାଚନ ଦେଖିବାକୁ ଯାଉଛି ନୂଆପଡ଼ା
୧୯୪୭ରେ ପ୍ରଥମ, ୭୪ରେ ଦ୍ବିତୀୟ, ୯୭ରେ ତୃତୀୟ
୨୦୨୫ରେ ହୋଇପାରେ ଚତୁର୍ଥ ଉପନିର୍ବାଚନ 

Advertisment

ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ । ଏବେ ନୁହେଁ ବରଂ ପୂର୍ବରୁ ୩ ଥର ଉପନିର୍ବାଚନ ହୋଇଛି । ଅବଶ୍ୟ ବିଜେଡି ସରକାରରେ ଥିବା ବେଳେ ଥରେ ବି ନୂଆପଡ଼ା ଉପନିର୍ବାଚନ ଦେଖିନାହିଁ ହେଲେ ଢୋଲକିଆଙ୍କ ପରଲୋକ ପରେ ୨୦୨୫ରେ ପୁଣି ଥରେ ଉପନିର୍ବାଚନ ଦେଖିପାରନ୍ତି ନୂଆପଡ଼ା ଭୋଟର । 

ଗତ ଦୁଇ ଦଶନ୍ଧିରେ କେମିତି ଅଛି ନୂଆପଡ଼ା ?

୨୦୦୦ ମସିହା ନିର୍ବାଚନରେ ମେଣ୍ଟ ସରକାର କଂଗ୍ରେସ ବିପକ୍ଷରେ ହୋଇଥିଲା ନିର୍ବାଚନ । ସେତେବେଳେ ବିଜେପି ହାତରେ ରହିଥିଲା ନୂଆପଡ଼ା ଆସନ, ବସନ୍ତ କୁମାର ପଣ୍ଡା ବିଜେପିରୁ ପ୍ରାର୍ଥୀ ହୋଇ ନିର୍ବାଚନ ଜିତି ବିଧାୟକ ହେଲେ ।  ପରେ ୨୦୦୪ରେ ରାଜେନ୍ଦ୍ର ଢୋଲକିଆ (ସ୍ବାଧୀନ) ଭାବେ ଜିତିଥିଲେ ଏହି ଆସନରୁ । ୨୦୦୯ରେ ମେଣ୍ଟ ଭାଙ୍ଗିଲା ଓ ରାଜେନ୍ଦ୍ର ଢୋଲକିଆଙ୍କୁ ବିଜେଡି ପ୍ରାର୍ଥୀ କଲା । ଢୋଲକିଆ ଦ୍ବିତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୪ରେ ବସନ୍ତ କୁମାର ପଣ୍ଡା (ବିଜେପି)ରୁ ଜିତିଥିଲେ । ୨୦୧୯ରେ ରାଜେନ୍ଦ୍ର ଢୋଲକିଆ (ବିଜେଡି)ରୁ ପୁଣି ଥରେ ଜିତିଲେ । ୨୦୨୪ରେ ରାଜେନ୍ଦ୍ର ଢୋଲକିଆ ନୂଆପଡ଼ାରୁ ପୁଣି ଥରେ ନିର୍ବାଚିତ ହୋଇଥିଲେ । 

କେଉଁ ଦଳ ବି ଘୋଷଣା କରିନାହାନ୍ତି ପ୍ରାର୍ଥୀ ?

ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ାରେ ଉପନିର୍ବାଚନ ହେବ ଏଥରେ କୌଣସି ଦ୍ବିମତ ନାହିଁ । କିନ୍ତୁ ନିର୍ବାଚନ କେବେ ହେବ ସେନେଇ ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ଆଉ ଏହାରି ଭିତରେ କିନ୍ତୁ ତିନିଦଳ ପକ୍ଷରୁ ଅଙ୍କକଷା ଆରମ୍ଭ ହୋଇଗଲାଣି । ଶାସକ ବିଜେପି ପକ୍ଷରୁ ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ପୁଣି ଥରେ ପ୍ରାର୍ଥୀ ରେସରେ ଥିବା କୁହାଯାଉଛି । ସେପଟେ, ବିଜେଡି ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅଙ୍କୁ ଦଳକୁ ଆଣି ପ୍ରାର୍ଥୀ କରିପାରେ । ଆଉ କଂଗ୍ରେସ ମଧ୍ୟ ଘାସିରାମ ମାଝୀଙ୍କୁ ଏକ ପ୍ରକାର ପ୍ରାର୍ଥୀ ଭାବେ ଅନୌପଚାରିକ ଘୋଷଣା କରି ପ୍ରସ୍ତୁତି ଆରମ୍ଭ କରିଛି । ତେବେ ଏଥର ନୂଆପଡ଼ା କାହା ଖାତାକୁ ଯାଉଛି ତାହା ସମୟ କହିବ ।