କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖଉଛି ବିହାର ରାଜନୀତି ସେତିକି ସରଗରମ ହେଉଛି । ବୟାନବାଜି, ଦଳ ଡିଆଁ ରାଜନୀତି ଭିତରେ କିଏ ହେବେ ବିହାର ମୁଖ୍ୟମନ୍ତ୍ରୀ ସେନେଇ ଆସିଛି ଏକ ସର୍ଭେ ରିପୋର୍ଟ । ଏନଡିଏରୁ ମୁଖ୍ୟମନ୍ତ୍ରୀ ଚେହେରା ନୀତିଶ କୁମାର କୁହାଯାଉଥିବା ବେଳେ ଇଣ୍ଡିଆ ଆଲାଏନ୍ସରୁ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ହେବେ ବୋଲି ନିଶ୍ଚିତ ହୋଇଛି, କିନ୍ତୁ ସି-ଭୋଟରର ତାଜା ସର୍ଭେ ରିପୋର୍ଟରୁ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । କିଏ ପିନ୍ଧିବ ମୁଖ୍ୟମନ୍ତ୍ରୀ ମୁକୁଟ ନିର୍ବାଚନ ପରେ ତାହା ସ୍ପଷ୍ଟ ହେବ, କିନ୍ତୁ ଜନସାଧାରଣଙ୍କ ମନୋଭାବ ଅନେକ କଥା ସ୍ପଷ୍ଟ କରୁଛି । ତାଜା ସର୍ଭେରୁ ଯାହା ସାମ୍ନାକୁ ଆସିଛି, ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଗରେ ଅଛନ୍ତି ।
ଫେବୃଆରୀ ତୁଳନାରେ କମିଛି ତେଜସ୍ୱୀଙ୍କ ଲୋକପ୍ରିୟତା
ଜୁନ୍ ୨୦୨୫ର ସି-ଭୋଟର ସର୍ଭେ ଅନୁଯାୟୀ, ୩୫ ପ୍ରତିଶତ ଲୋକଙ୍କ ପସନ୍ଦ ସହିତ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆରଜେଡି ନେତା ତେଜସ୍ୱୀ ଯାଦବ ଶୀର୍ଷରେ ଅଛନ୍ତି । ଫେବୃଆରୀରେ ତାଙ୍କର ଲୋକପ୍ରିୟତା ୪୧% ଥିଲା, ଏପ୍ରିଲରେ ୩୬% ଥିଲା ଏବଂ ଏବେ ଜୁନ୍ ମାସରେ ଏହା ୩୫%କୁ ହ୍ରାସ ପାଇଛି । ଏହି ୬ ପ୍ରତିଶତ ହ୍ରାସ ତେଜସ୍ୱୀ ଯାଦବଙ୍କ ପାଇଁ ସତର୍କ ଘଣ୍ଟି ହୋଇପାରେ ।
ରେସ୍ର ଦ୍ୱିତୀୟ ସ୍ଥାନରେ ପ୍ରଶାନ୍ତ କିଶୋର
ଅନ୍ୟପକ୍ଷରେ, ଯଦି ଆମେ ନୀତିଶ କୁମାରଙ୍କ କଥା କହିବା, ତେବେ ଫେବୃଆରୀରେ ୧୮ ପ୍ରତିଶତ ଲୋକ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ପସନ୍ଦ କରୁଥିଲେ । ଏପ୍ରିଲରେ ଏହି ସଂଖ୍ୟା ୧୫% ଥିଲା ଏବଂ ଜୁନରେ ଏହା ପୁଣି ୧୭ ପ୍ରତିଶତକୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ, ଜନ ସୂରଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଏହି ସର୍ଭେରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଫେବୃଆରୀରେ ତାଙ୍କର ଲୋକପ୍ରିୟତା ୧୫ ପ୍ରତିଶତ ଥିଲା, ତା'ପରେ ଏପ୍ରିଲରେ ଏହା ୧୭ ଏବଂ ଜୁନରେ ୧୮% ହୋଇଗଲା । ଏହାର ଅର୍ଥ ହେଉଛି ପ୍ରଶାନ୍ତ କିଶୋର ମଧ୍ୟ ଏହି ନିର୍ବାଚନରେ ବହୁତ କିଛି କରିପାରିବେ । ଏହା ସହିତ, ପ୍ରଶାନ୍ତ କିଶୋର ମୁଖ୍ୟମନ୍ତ୍ରୀ ଦୌଡ଼ରେ ଜନସାଧାରଣଙ୍କ ଦ୍ୱିତୀୟ ପସନ୍ଦ ପାଲଟିଛନ୍ତି ।
ଚିରାଗ ଏବଂ ସମ୍ରାଟ ଚୌଧୁରୀ କେଉଁ ସ୍ଥାନରେ?
ଲୋକ ଜନଶକ୍ତି ପାର୍ଟି ନେତା ଏବଂ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ବିହାରରୁ ନିର୍ବାଚନ ଲଢ଼ିବା ମୁଡ୍ରେ ଅଛନ୍ତି । ଏହି ସମୟରେ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ଲୋକପ୍ରିୟତାରେ ଚିରାଗଙ୍କ ପ୍ରତି ବଢ଼ିଥିବା ଦେଖିବାକୁ ମିଳିଛି । ଏହା ଏକ ଭଲ ସଙ୍କେତ, ଫେବୃଆରୀରେ କେବଳ ୪ ପ୍ରତିଶତ ଲୋକ ତାଙ୍କୁ ପସନ୍ଦ କରିଥିଲେ ମଧ୍ୟ ଜୁନରେ ଏହା ୧୦ ପ୍ରତିଶତକୁ ବୃଦ୍ଧି ପାଇଛି । ଏପ୍ରିଲରେ ଏହି ସଂଖ୍ୟା ୬ ପ୍ରତିଶତ ଥିଲା । ସେହିପରି ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଲୋକପ୍ରିୟତାରେ ମଧ୍ୟ ପରିବର୍ତ୍ତନ ଆସିଛି । ଫେବୃଆରୀରେ ୮% ଲୋକ ତାଙ୍କୁ ପସନ୍ଦ କରିଥିଲେ, ଏପ୍ରିଲରେ ଏହା ୧୩%ରେ ପହଞ୍ଚିଥିଲା, କିନ୍ତୁ ଜୁନରେ ଏହା ପୁଣି ୧୦%କୁ ହ୍ରାସ ପାଇଛି । ତେବେ ବିହାର ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବେ ତାହା ନିର୍ବାଚନର ଫଳାଫଳ ଆସିବା ପରେ ସ୍ପଷ୍ଟ ହେବ ।