କନକ ବ୍ୟୁରୋ : ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ, ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନଙ୍କୁ ସମର୍ଥନ ଜଣାଇବା ପାଇଁ ପ୍ରମୁଖ ବିରୋଧୀଙ୍କୁ ଫୋନ୍ କରିଛନ୍ତି ରାଜନାଥ ସିଂହ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ, ସୋନିଆ ଗାନ୍ଧୀଙ୍କଠାରୁ ଆରମ୍ଭ କରି ଡିଏମ୍‌କେ ସୁପ୍ରିମୋ ଏମ୍‌କେ ଷ୍ଟାଲିନ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଫୋନ୍‌ କରିଛନ୍ତି ରାଜନାଥ । କୁହାଯାଉଛି ସମସ୍ତ ରାଜନୈତିକ ଦଳ ସହ ସୁ-ସମ୍ପର୍କ ଯୋଗୁଁ ରାଜନାଥଙ୍କୁ ଏହି ଦାୟିତ୍ୱ ଦେଇଛି ଦଳ । ବିଶେଷ କରି ସହମତି ଭିତ୍ତିରେ ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳଙ୍କୁ, ରାଜ୍ୟସଭା ଅଧ୍ୟକ୍ଷ ଭାବେ ନିର୍ବାଚିତ କରିବାକୁ ବିଜେପିର ଯୋଜନା ରହିଛି । ନିର୍ବିବାଦୀୟ ଚେହେରା ଭାବେ ସିପି ରାଧାକ୍ରିଷ୍ଣନ ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ ହେବେ ବୋଲି ଦଳ ଆଶା କରୁଛି ।

Advertisment

୨୦୨୪ ନିର୍ବାଚନ ପରେ ବିଜେଡି-ବିଜେପି ସମୀକରଣ ବଦଳି ଯାଇଥିବାରୁ ନବୀନଙ୍କ ପଦକ୍ଷେପ ଉପରେ ନଜର ରହିଛି । ରାଜ୍ୟରେ ବିଜେଡି ପ୍ରମୁଖ ବିରୋଧୀ ଦଳ ହୋଇଥିବାରୁ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ ନା ବିରୋଧ ତାହା ବେଶ ଗୁରୁତ୍ୱ ରଖୁଛି । ଲୋକସଭାରେ ଏନ୍‌ଡିଏର ୨୯୩ ପ୍ରାର୍ଥୀ ଅଛନ୍ତି । ରାଜ୍ୟସଭାରେ ଏନ୍‌ଡିଏର ଅଛନ୍ତି ୧୩୩ ସଦସ୍ୟ । ବିଜେଡିର ଅଛନ୍ତି ମାତ୍ର ୭ ଜଣ ରାଜ୍ୟସଭା ସାଂସଦ । ଉପରାଷ୍ଟ୍ରପତି ନିର୍ବାଚନ ନେଇ ବିଜେଡି ଉପରେ ଚାପ ନାହିଁ ।

ହେଲେ ବିଜେଡିର ଭୂମିକା ଉପରେ ସମସ୍ତଙ୍କ ଆଖି । କାରଣ ଏହାର ତିନିଟି ସମ୍ଭାବ୍ୟ ସମୀକରଣ ଦେଖା ଯାଉଛି । 
୧- ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କଲେ ବିଜେପିକୁ ସମର୍ଥନ ବୋଲି ବାର୍ତ୍ତା ଯିବ, ଯାହାର ଫାଇଦା କଂଗ୍ରେସକୁ ମିଳିବ
୨- ସେପଟେ ଇଣ୍ଡି ମେଣ୍ଟର ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଲେ, ଜାତୀୟ ରାଜନୀତିରେ ନୂଆ ସମୀକରଣ ନଜର ଆସିବ
୩- ସମଦୂରତ୍ୱ ନୀତି ଆପଣାଇଲେ ଦିଲ୍ଲୀ ରାଜନୀତିରେ ନିଜର ଓଜନ ହରାଇବ ବିଜୁ ଜନତା ଦଳ

ୱାକଫ୍ ବିଲ୍ ସମୟରେ ପଦାରେ ପଡ଼ିଥିଲା ବିଜେଡି କନ୍ଦଳ । ଏନଡିଏକୁ ସମର୍ଥନ ଦେବା ଯୋଗୁଁ ବିଜେଡିର ସଂସଦୀୟ ଦଳ ଦୁଇ ଭାଗ ହୋଇଯାଇଥିଲା । ଏହାପରେ ସଂସଦରେ ଅପରେସନ୍ ସିନ୍ଦୁର ଚର୍ଚ୍ଚା ହେଉ କିମ୍ବା କଂଗ୍ରେସର ଭୋଟ୍‌ ଚୋରି ଅଭିଯୋଗ ପ୍ରସଙ୍ଗରେ ଦ୍ୱନ୍ଦ୍ୱାତ୍ମକ ରହିଛି ବିଜେଡି ଆଭିମୁଖ୍ୟ । ଏବେ ପୁଣି ଉପରାଷ୍ଟ୍ରପତି ନିର୍ବାଚନକୁ ଅପେକ୍ଷା କରାଯାଇଛି ।