କନକ ବ୍ୟୁରୋ : ରାତି ପାହିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ । ଆସନ୍ତା ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ନବୀନଙ୍କ ଏଥରର ଗସ୍ତକୁ ରାଜନୈତିକ ମହଲ ଅତ୍ୟନ୍ତ ଗୁରୁତ୍ବ ଦେଉଛନ୍ତି । ଏମିତିରେ ବି ନବୀନ ଅସୁସ୍ଥ ଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଟେଲିଫୋନ କରି ଦିଲ୍ଲୀରେ ସାକ୍ଷାତ ପାଇଁ ପରାମର୍ଶ ଦେଇଥିଲେ । ଏଣୁ ନବୀନ ଦିଲ୍ଲୀ ଗଲେ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ ହୋଇପାରେ ବୋଲି ଗୋଟିଏ ମହଲ ଚର୍ଚ୍ଚା କରୁଛନ୍ତି । ହେଲେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ନବୀନଙ୍କ ଗସ୍ତର ବିଶଦ ତଥ୍ୟ ମିଳିପାରିନାହିଁ ।
ଅନ୍ୟପକ୍ଷରେ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ଆଜି ଅପରାହ୍ନରେ ନବୀନ ନିବାସରେ ବିଜେଡି ରାଜନୈତିକ ବ୍ୟାପାର କମିଟି ବୈଠକ ବସିଥିଲା । ଏହି ବୈଠକରେ ନବୀନ ବିଜେଡି ସଂଗଠନ ସୁଦୃଢ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ଦଳୀୟ ନେତାଙ୍କୁ ପରାମର୍ଶ ଦେଇଥିଲେ । ବିଶେଷକରି ଯୁବ, ଛାତ୍ର ଓ ମହିଳା ସଂଗଠନକୁ ଆହୁରି ସକ୍ରିୟ କରିବା ସହ, ତୃଣମୂଳ ସ୍ତରରେ ଲୋକଙ୍କ ସହିତ ଯୋଡ଼ି ହୋଇରହିବା ଲାଗି ନିର୍ଦ୍ଦେଶ ଦେଇଥିଲେ ।
ସେହିପରି, ଦଳିତ, ଆଦିବାସୀ ଓ ମହିଳାଙ୍କ ବିରୋଧରେ ହେଉଥିବା ଅତ୍ୟାଚାର ସହିତ ଏବେ ହୋଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବିଭ୍ରାଟକୁ ଆଗାମୀ ବିଧାନସଭା ଅଧିବେଶନରେ ଉଠାଇବାକୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ । ଅର୍ଥାତ୍ ରାଜ୍ୟସ୍ତରରେ ବିଜେପି ବିିରୋଧରେ ବିଜେଡି କଠୋର ଆଭିମୁଖ୍ୟ ଗ୍ରହଣ କରିବ, ଏହା ସ୍ପଷ୍ଟ ହୋଇଯାଇଛି ।
ଉଲ୍ଲେଖଥାଉକି, ଯେଉଁ ପ୍ରସଙ୍ଗଟି ଉପରେ ଏବେ ସାରା ରାଜ୍ୟର ଆଖି ରହିଛି, ସେ ପ୍ରସଙ୍ଗରେ ନବୀନ ଓ ତାଙ୍କ ଟିମ୍ ପୂରା ନିରବ ଅଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ ଦେବ, ସେ କାର୍ଡ ଖୋଲାଯାଇନାହିଁ । ‘ଠିକଣା ସମୟରେ’ ନବୀନ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ ବୋଲି ଦଳର ବରିଷ୍ଠ ନେତାମାନେ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ନବୀନଙ୍କ ଦିଲ୍ଲୀଗସ୍ତ ପରିପ୍ରେକ୍ଷୀରେ ଦଳର ଉପରାଷ୍ଟ୍ରପତି ନିର୍ବାଚନ ରଣନୀତି ଏବେ ଜାତୀୟ ରାଜନୀତିରେ ମଧ୍ୟ ଆଲୋଚନାର ବିଷୟ ହେଲାଣି । ଶାସନରେ ଥିବା ବେଳେ ବିଜେପି ପ୍ରତି ଅପେକ୍ଷାକୃତ ନରମ ମନୋଭାବ ପୋଷଣ କରି ଆସିଥିବା ନବୀନ, ଏବେ ବିରୋଧୀ ଭୂମିକା ନିର୍ବାହ କରି ବିଜେପି ବିରୋଧରେ ଭୋଟ୍ ଦେବେ ନା ରକ୍ଷଣାତ୍ମକ କୌଶଳ ଅବଲମ୍ବନ କରି ଭୋଟ୍ ଦାନରୁ ବିରତ ରହିବା ଲାଗି ଦଳୀୟ ସାଂସଦଙ୍କୁ ପରାମର୍ଶ ଦେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ଗୋଟିଏ ଗୋଷ୍ଠୀ ଏକଥା ବି କହିଲେଣି ଯେ ନବୀନଙ୍କ ବିଜେଡି ରାଜ୍ୟ ସରକାରଙ୍କ ପ୍ରତି କଠୋର ଓ କେନ୍ଦ୍ର ପ୍ରତି ନରମ ହେଲେ,ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।