କନକ ବ୍ୟୁରୋ: ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଓଡ଼ିଶା ଫେରୁଛନ୍ତି । ମଧ୍ୟାହ୍ନରେ ଭୁବନେଶ୍ୱର ଫେରିବେ ନବୀନ ପଟ୍ଟନାୟକ । ଗତ ୨୦ ତାରିଖରେ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିଲେ । ୨୨ ତାରିଖରେ ତାଙ୍କର ଅପରେସନ ହୋଇଥିଲା । ସେ ଏବେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଡ଼ାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସାରେ ଥିଲେ । ସୁସ୍ଥ ହେବା ପରେ ଆଜି ମୁମ୍ବାଇରୁ ଭୁବନେଶ୍ୱର ଫେରିବେ । ତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରୁ ଦଳୀୟ ନେତା ଓ କର୍ମୀ ନବୀନ ନିବାସ ଯାଏଁ ସ୍ୱାଗତ କରିବେ । ଏନେଇ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ସୂଚନା ଦେଇଛନ୍ତି ।

Advertisment

ତେବେ ନବୀନ ମୁମ୍ବାଇ ଯିବା ପରେ ଦେବୀ ମିଶ୍ର ସଂଗଠନର ଦାୟିତ୍ବ ବୁଝୁଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୨୨ ତାରିଖରେ ମୁମ୍ବାଇ ଯାଇଥିଲେ । ସର୍ଭାଇକାଲ ଆର୍ଥ୍ରାଇଟ୍ସ ଚିକିତ୍ସା ପାଇଁ ବିଜେଡି ମୁଖିଆ ମୁମ୍ବାଇ ଯାଉଥିଲେ । ତାଙ୍କ ଅନୁପସ୍ଥିତିରେ ଦଳ କେମିତି ଠିକ ଭାବେ ଚାଲିବ ସେନେଇ ବନ୍ଦୋବସ୍ତ ବି କରିଥିଲେ । ନିଜେ ନବୀନ ଏନେଇ ନୋଟିସ୍ ଜାରି କରିବା ସହ ତାଙ୍କ ଅନୁପସ୍ଥିତିରେ ଦଳର ରାଜନୈତିକ ବ୍ୟାପାର କମିଟି ସବୁକିଛି ବୁଝାବୁଝି କରିବ ବୋଲି କହିଥିଲେ । ସେହିପରି ଦଳର ବରିଷ୍ଠ ଉପସଭାପତି ଥିବା ଦେବୀ ମିଶ୍ର ଦଳର ବିଭିନ୍ନ ଶାଖାର କାର୍ଯ୍ୟକ୍ରମ ମଧ୍ୟରେ ସମନ୍ୱୟ ରଖିବେ ବୋଲି ନୋଟିସ୍ କରିଛନ୍ତି ନବୀନ ପଟ୍ଟନାୟକ । ଯାହାପରେ ଦେବୀ ମିଶ୍ର ବିଜେଡିର ନମ୍ବର-ଟୁ ନେତା କି ବୋଲି ଚର୍ଚ୍ଚା ସୃଷ୍ଟି ହୋଇଥିଲା ।

ଅଭିଜ୍ଞତାରେ ଦେଖିବାକୁ ଗଲେ ଦେବୀ ବହୁ ଆଗରେ । ୬-୬ ଥରର ବିଧାୟକ ଆଉ ସରକାର ଥିଲା ବେଳେ ଏକାଧିକ ବାର ମନ୍ତ୍ରୀ ବି ହୋଇଥିଲେ । ନବୀନଙ୍କ ଅନୁପସ୍ଥିତିରେ ଦଳର ବରିଷ୍ଠ ସଦସ୍ୟଭାବେ ତାଙ୍କୁ ଦାୟିତ୍ୱ ଦେବା କିଛି ଭୁଲ୍‌ କଥା ନୁହେଁ । ହେଲେ ବିଜେଡିରେ ଅନେକ ନେତା ଥିଲେ ବି ଅନ୍ୟ ନେତାଙ୍କୁ ଦାୟିତ୍ୱ ନଦେଇ କାହିଁକି ଦେବୀଙ୍କୁ ଦାୟିତ୍ୱ ଦିଆଗଲା ତାହା  ଆଲୋଚନାର ବିଷୟ ପାଲଟିଥିଲା । କାହିଁକି ନା ଯେବେଠୁ ଦଳ ସରକାରରୁ ଗଲାଣି ସେବେଠୁ ଦଳରେ ଏକାଧିକ ନେତା ସାମ୍ନାକୁ ଆସିଛନ୍ତି । କେତେବେଳେ ସଞ୍ଜୟ ଦାସ ବର୍ମା ତ ଆଉ କେତେବେଳେ ଅରୁଣ ସାହୁ । ସଙ୍ଗଠନ ସଜାଡ଼ିବା ନେଇ ଅନେକ ସମୟରେ ଅନେକ ବିଜେଡି ନେତାଙ୍କ ନାଁ ଉଠିଛି । ହେଲେ ତାହାରି ଭିତରେ କିନ୍ତୁ ଦେବୀ ମିଶ୍ର ନବୀନଙ୍କ ମନ ଜିଣିପାରିଥିଲେ ।

ଏହା ପୂର୍ବରୁ ଯେତେବେଳେ ବିଜେଡିର ରାଜ୍ୟସ୍ତରୀୟ କମିଟି ଗଠନ ହେଲା ସେତେବେଳେ ମଧ୍ୟ ନବୀନଙ୍କ ଗୁଡ୍ ବୁକରେ ରହିଥିଲେ ଦେବୀ ମିଶ୍ର । ସେଇଥିପାଇଁ ତ ତାଙ୍କୁ ଦଳର ବରିଷ୍ଠ ଉପସଭାପତି ଦାୟିତ୍ୱ ସହିତ ହେଡକ୍ୱାର୍ଟର ଦାୟିତ୍ୱ ମଧ୍ୟ ଦେଇଥିଲେ ନବୀନ । ଏବେ ଓଡ଼ିଶା ଫେରିବା ପରେ ଦେବୀଙ୍କ ସହ ପୁଣି ଥରେ ରୁଦ୍ଧଦ୍ବାର ଆଲୋଚନା ହେବା ନେଇ ଚର୍ଚ୍ଚା ହେଉଛି ।