କନକ ବ୍ୟୁରୋ : ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ମୁହଁ ଖୋଲିଲେ ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି, ନବୀନଙ୍କ ଦିଲ୍ଲୀ ଗସ୍ତ ସମ୍ପୂର୍ଣ୍ଣ ବ୍ୟକ୍ତିଗତ କିନ୍ତୁ ଏହାକୁ ଭିନ୍ନ ରଙ୍ଗ ଦେଉଛି ମିଡିଆ । ବିଜେଡି ଗୋଟେ ଖୋଲା ବହି । ଯାହା ବି ରାଜନୈତିକ ଆଲୋଚନା ହେବ ସମସ୍ତେ ନିଶ୍ଚୟ ଜାଣିବେ । ଡିଲିମିଟେସନ ବୈଠକରେ ବିଜେଡି ସାମିଲ ହେଲା ସମସ୍ତେ ଜାଣିଲେ । ଆଗକୁ ଯାହା ରାଜନୈତିକ ପଦକ୍ଷେପ ନିଆଯିବ ସମସ୍ତଙ୍କୁ ଜଣାଯିବ । ଏବେ କୌଣସି ରାଜନୈତିକ ସମୀକରଣ ନାହିଁ କି ଆଗକୁ ହେବାର ନାହିଁ ।
ସେ ଆହୁରି କହିଛନ୍ତି ନବୀନ ବାବୁଙ୍କର ଦିଲ୍ଲୀରେ ଘର ଅଛି । ବହୁତ ଦିନ ହେବ ସେ ଯାଇନାହାନ୍ତି ବୋଲି ଏବେ ଯାଇଛନ୍ତି । ୧୦ ଦିନରେ ୨ ଥର ଦିଲ୍ଲୀ ଗସ୍ତ ଯିବା ପ୍ରଶ୍ନରେ ସେ କହିଛନ୍ତି ଯେ କେଉଁଠି ଏସଓପି ନାହିଁ କି ୧୦ ଦିନରେ ଦୁଇଥର ଦିଲ୍ଲୀ ଯାଇ ହେବନି ।
ସେପଟେ ବିଧାନସଭାରେ ହଟ୍ଟଗୋଳ ନେଇ କହିଛନ୍ତି, ସରକାର କିଛି ନ ଶୁଣିବାରୁ ଆମେ ଆନ୍ଦୋଳନ କରି ଗେଟ୍ ଆଗରେ ବସିଲୁ । ସରକାର ନ ଶୁଣିଲେ ବିରୋଧୀ କାହିଁକି ଗୃହକୁ ଯିବେ ? SC, ST, OBCଙ୍କ ୯୪% ଜନସଂଖ୍ୟା । ସେମାନଙ୍କୁ ଅଧିକାର ନ ଦେଲେ, ସରକାରଙ୍କ ଗୃହ ଯିବାର ଅଧିକାର ନାହିଁ । ବୈଷୟିକ ଶିକ୍ଷାରେ ମାତ୍ର ୨୦% ସଂରକ୍ଷଣ ହେଲେ OBC ପାଇଁ ଶୂନ୍ୟ ସଂରକ୍ଷଣ କଣ ସ୍ୱାଗତଯୋଗ୍ୟ ? ଯେବେ ଜମ୍ମୁ କାଶ୍ମୀର OBC, SC, ST ସଂରକ୍ଷଣକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କଲେ, ଓଡ଼ିଶାରେ କିଛି ନ କରି ଶିଶୁ ସରକାର ହୋଇ ରହିବ ।
ସରକାର କହୁଛନ୍ତି ଆଲୋଚନା ପାଇଁ ପ୍ରସ୍ତୁତ, ହେଲେ କରୁନାହାନ୍ତି । ଗୃହରେ ସବୁ ଆଲୋଚନା ହେଲେ କଣ କିଛି ହେଉଛି । ଏହା ସରକାରଙ୍କ ଦାୟିତ୍ୱ ହେଲେ ନିର୍ବାଚନ ଜିତି ମିଛ କହିବାରୁ ଲୋକଙ୍କ ଆସ୍ଥା ହରାଇଛନ୍ତି । ଜନଗଣନା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ୨୦୨୧ କୋଭିଡ ସମୟରେ ଜାତିଭିତ୍ତିକ ଜନଗଣନା ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ । କୁମ୍ଭମେଳାରେ ମିଛ ୬୫ କୋଟି ଲୋକ ଗଣିଲେ ସରକାର । ହେଲେ ଜାତିଭିତ୍ତିକ ଜନଗଣନା କାହିଁକି କରୁ ନାହାନ୍ତି । ଏହା ହେଲେ ସାମାଜିକ ସମାନତା ଆସିବ । ସେ ଡ଼ରୁଛନ୍ତି କି କାଳେ ମୁଖା ଖୋଲିଯିବ । ଜନହିତକର କାର୍ଯ୍ୟକ୍ରମ ସରକାର କରିନାହାନ୍ତି । କେନ୍ଦ୍ର ସରକାର ପଛଘୁଞ୍ଚା ଦେଉଛନ୍ତି । ମୋହନ ଓ ମୋଦି ସରକାର ଏହା ଲାଗୁ କର । କେବିକେ ଗ୍ରାଣ୍ଟ କାଟିଲ, ନବୀନ ପଟ୍ଟନାୟକ ବିଜୁ କେବିକେ କଲେ, ବିଆରଜିଏଫ କାଟିଲା କେନ୍ଦ୍ର । ତର୍କ ପାଇଁ ଆସ, ଆସିଲେ ହାରିଯିବେ । ଖସିଯିବାକୁ ସରକାରୀ ଦଳ ଚେଷ୍ଟା କରୁଛନ୍ତି ବୋଲି ଅରୁଣ ସାହୁ ଅଭିଯୋଗ କରିଛନ୍ତି ।