କନକ ବ୍ୟୁରୋ : ୱାକଫ୍ ବିଲ୍ ପ୍ରସଙ୍ଗରେ ଚର୍ଚ୍ଚାରେ ଥିବା ମୁନ୍ନା ଖାନ ସକାଳୁ ସକାଳୁ ଅଚାନକ୍ ନବୀନ ନିବାସରେ ପହଞ୍ଚିବା, ରାଜନୈତିକ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି । ମେ’ ୫ ତାରିଖରେ ବିଜେଡି ବିଭିନ୍ନ ସାଂଗଠନିକ ପଦପଦବୀର ପୁନର୍ବିନ୍ୟାସ କରିଥିଲା । ଅନେକ ନେତାଙ୍କୁ ନୂଆ ଦାୟିତ୍ୱ ଦେଇଥିଲେ ବିଜେଡି ସୁପ୍ରିମୋ । ହେଲେ କମିଟିକୁ ନେଇ ନେତାଙ୍କ ଭିତରେ ତୀବ୍ର ଅସନ୍ତୋଷ ଜଳଜଳ ହୋଇ ଦେଖାଯାଉଛି । ଦଳର ସୁପ୍ରିମୋଙ୍କୁ ମୁନ୍ନା ଖାନ୍ ଲେଖିଥିବା ଚିଠିରେ ସଂଖ୍ୟାଲଘୁ ସେଲ୍ ସାଉଥ ଜୋନ୍ ସଂଯୋଜକ ପଦକୁ ସେ ଅଗ୍ରାହ୍ୟ କରୁଥିବା ସ୍ପଷ୍ଟ ହେଉଛି ।
ମୁଁ ୨୫ ବର୍ଷ ଧରି ବିଶ୍ୱସ୍ତ କର୍ମୀ ଭାବେ ଦଳରେ କାମ କରୁଛି । କିନ୍ତୁ ମୋତେ ଦଳରେ ଅଣଦେଖା କରାଯାଇଛି । ଏହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କିଛି ଅଛି କି ? ଦଳ ତରଫରୁ ଦିଆଯାଇଥିବା ପଦକୁ ଅଗ୍ରାହ୍ୟ କରୁଛି । ଏହି ପଦ ଦଳ ଭିତରେ ଥିବା ସଦସ୍ୟମାନଙ୍କ ଭିତରେ ମୋର ପ୍ରତିଷ୍ଠାକୁ ହ୍ରାସ କରୁଛି । ପୋର୍ଟଫୋଲିଓ ନଥିବା ସତ୍ତ୍ୱେ ଦଳ ପାଇଁ ମୋର ପ୍ରୟାସ ଜାରି ରହିବ । ତାଙ୍କର କହିବା କଥା ଯେ, ପୂର୍ବରୁ ସେ ବିଜେଡି ସଂଖ୍ୟାଲଘୁ ସମ୍ପ୍ରଦାୟର ଆବାହାକ କିମ୍ୱା ଅଧ୍ୟକ୍ଷ ପଦରେ ଥିଲେ, ହେଲେ ତାଙ୍କୁ ନୂଆ ଟିମରେ ଡିମୋସନ କରାଯାଇଛି । ସଂଖ୍ୟାଲଘୁ ସମ୍ପ୍ରଦାୟ ସେଲର ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ ରହିଥିବାବେଳେ ମୁନ୍ନା ଖାନଙ୍କୁ ସେହି ଟିମର ସାଉଥ ଜୋନ ସଂଯୋଜକ ଦାୟିତ୍ୱ ଦିଆଯାଇଥିଲା ।
କେବଳ ପଦବୀକୁ ନେଇ ଅସନ୍ତୋଷ ଝାଡ଼ି ନାହାନ୍ତି ବରଂ ୱାକଫ କଥା ଉଠାଇ ଦଳର ଜଣେ ସାଂସଦଙ୍କୁ ଟାର୍ଗେଟ କରିଛନ୍ତି ମୁନ୍ନା ଖାନ । ଚିଠି ଲେଖି କହିଛନ୍ତି, ଆମ ଦଳର ଜଣେ ସଦସ୍ୟ ବିଜେଡିକୁ ଏକ ଇଂରାଜି ଖବରକାଗଜରେ କଟାକ୍ଷ କରି ସ୍ତମ୍ଭ ଲେଖିଥିଲେ । ସେଥିପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ବରଂ ତାଙ୍କୁ ଦଳରେ ପଦୋନ୍ନତି ଦେଇ ପରିଚାଳନା କମିଟିରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଗଲା । ଚର୍ଚ୍ଚା ହେଉଛି ୱାକଫ ବିରୋଧରେ ଯାଇଥିବା ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ଇଙ୍ଗିତ କରି ଏହି ଅଭିଯୋଗ ବାଢ଼ିଛନ୍ତି ମୁନ୍ନା ଖାନ । କୁହାଯାଉଛି ଦଳର କିଛି ବରିଷ୍ଠ ନେତାଙ୍କୁ ଗୌଣ ପଦ ମିଳିଥିବାରୁ ସେମାନେ ମଧ୍ୟ ଅସନ୍ତୋଷ କୁହୁଳୁଛି । ତଥାପି କିଛି ନେତା ତାଳି ପକାଇବାକୁ ଉଦ୍ୟମ କରିଛନ୍ତି ।
ପୂର୍ବରୁ ନବୀନଙ୍କ ନିଷ୍ପତ୍ତି ଦଳରେ ସର୍ବମାନ୍ୟ ଥିଲା । ହେଲେ ଏବେ ସ୍ଥିତି ବଦଳିଗଲାଣି । ମୁନ୍ନା ଖାନଙ୍କ ପରେ ପୁଣିକିଏ ସାମ୍ନାକୁ ଆସୁଛନ୍ତି ତାଙ୍କ ଉପରେ ନଜର ରହିଛି ।