କନକ ବ୍ୟୁରୋ: ଜନତା ମଇଦାନରୁ କଂଗ୍ରେସକୁ ଜବରଦସ୍ତ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କଂଗ୍ରେସର ବିକାଶ ମଡେଲ୍ କୁ ଛିଗୁଲେଇ ମୋଦୀ କହିଛନ୍ତି, ସ୍ବାଧୀନତା ପରେ ପରେ ଦଶନ୍ଧି ଦଶନ୍ଧି ଧରି କଂଗ୍ରେସର ବିକାଶ ମଡେଲ୍ ଦେଶବାସୀ ଦେଖିଥିଲେ । ଯେଉଁ ମଡେଲ୍ ରେ ନା ସୁଶାସନ ଥିଲା, ନା ବଞ୍ଚିବା ପାଇଁ ଜନତାଙ୍କୁ ସହଜ ଥିଲା । ବିକାଶମୂଳକ ଯୋଜନାକୁ ଅଟକେଇବା, ବାଟବଣା କରିବା ଏବଂ ଦୁର୍ନୀତିରେ ବୁଡ଼ି ରହିବା କଂଗ୍ରେସ ବିକାଶ ମଡେଲର ପରିଚୟ ଥିଲା । ହେଲେ ବିଗତ କିଛି ବର୍ଷ ହେବ ଦେଶବାସୀ ବିଜେପିର ବିକାଶ ମଡେଲ୍ ଦେଖୁଛନ୍ତି । ବିଗତ ଦଶ ବର୍ଷ ମଧ୍ୟରେ ଦେଶର ଏମିତି ଅନେକ ରାଜ୍ୟ ଅଛି ଯେଉଁଠାରେ ବିଜେପି ପ୍ରଥମ କରି ସରକାର କରିଛି । ଖାଲି ସରକାର ବଦଳିନି ବିଜେପି କ୍ଷମତାକୁ ଆସିବା ପରଠୁ ବିଭିନ୍ନ ରାଜ୍ୟରେ ସାମାଜିକ ଏବଂ ଆର୍ଥିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି ।
ପୂର୍ବ ଭାରତର ଉଦାହରଣ ଦେଇ ମୋଦୀ କହିଛନ୍ତି, ୧୦ ବର୍ଷ ପୂର୍ବେ ଆସାମର ସ୍ଥିତି ଅତ୍ୟନ୍ତ ଦୟନୀୟ ଥିଲା । ଦଙ୍ଗା, ହିଂସା ଭଳି ଚିତ୍ର ଆସାମରୁ ଆସୁଥିଲା । କିନ୍ତୁ ଆଜି ବିଜେପି ପାଇଁ ଆସାମ ବିକାଶ ରାସ୍ତାରେ ଦୌଡ଼ୁଛି । ଦଶନ୍ଧି, ଦଶନ୍ଧି ଧରି ଚାଲୁଥିବା ଉଗ୍ରବାଦୀ କାଣ୍ଡ ସବୁ ବନ୍ଦ ହୋଇଛି । ଏବଂ ଆସାମ ଏବେ ଅନେକ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଆଗେଇ ଚାଲିଛି ।