କନକ ବ୍ୟୁରୋ : ମନମୋହନ ସାମଲ ହେଲେ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ । ସେପଟେ ପିସିସି ସଭାପତି ଭକ୍ତଦାସ ତାଙ୍କ ଟିମ ସହ ସରକରାଙ୍କୁ ଘେରୁଛନ୍ତି । ହେଲେ ମୁଖ୍ୟ ବିରୋଧୀଦଳ ବିଜେଡି ଶିବର ସେତଟା ଚଳଚଞ୍ଚଳ ନାହିଁ । ଲାଗୁଛି ଯେମିତି ନବୀନଙ୍କ ବିନା ବିଜେଡିରେ ସବୁ ଅଧୁରା ।
ରାଜ୍ୟ ବିଜେପିର ନୂଆ ସଭାପତି ଭାବେ ମନମୋହନ ଏକପ୍ରକାର ଜିତିବା ନିଶ୍ଚିତ ହୋଇଛି । ଏହାକୁ ନେଇ ବିଜେପି ଶିବିର ଚଳଚଞ୍ଚଳ ହୋଇଛି । କାରଣ ଏହାପୂର୍ବରୁ ନରେନ୍ଦ୍ର ମୋଦୀ ଓଡିଶା ଆସି ନେତା ଓ ନେତୃତ୍ୱଙ୍କୁ ଜୋସ ଭରିଛନ୍ତି । ସେପଟେ ଭକ୍ତ ଦାସ ରାଜ୍ୟ କଂଗ୍ରେସ ସଭାପତି ହେବା ପରେ କଂଗ୍ରେସ ଘର ସଜାଡ଼ିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ଭୁବନେଶ୍ୱରରୁ ପଞ୍ଚାୟତ ଯାଏଁ ଆନ୍ଦୋଳନକୁ ଜୋରଦାର କରି ସରକାରକୁ ଘେରୁଛି କଂଗ୍ରେସ । ଏହାକୁ ଅଧିକ ବଳଦେବା ପାଇଁ ଆସନ୍ତା ୧୧ ତାରିଖରେ ଭୁବନେଶ୍ୱର ଆସୁଛନ୍ତି ରାହୁଲ ଗାନ୍ଧୀ ।
ଗତ ୨୦ ତାରିଖରେ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିଲେ ନବୀନ ପଟ୍ଟନାୟକ । ଏହା ଭିତରେ ଚିକିତ୍ସା ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇସାରିଲେଣି । ହେଲେ ନବୀନଙ୍କୁ ଅପେକ୍ଷା କରିଛନ୍ତି ନେତା, କର୍ମୀ । କାରଣ ନବୀନଙ୍କ ବିନା ବିଜେଡି କ୍ୟାମ୍ପ ଶିଥିଳ ପଡ଼ିଯାଇଛି । ୫୧ ଜଣ ବିଧାୟକ ଥିଲେ ବି ସେମିତି ତୀବ୍ର ସ୍ୱର ଉଠାଇପାରିନି ଦଳ । ଛୋଟମୋଟ କାର୍ଯ୍ୟକ୍ରମକୁ ଛାଡ଼ିଦେଲେ ସରକାରଙ୍କୁ ଘେରିବାକୁ ଦଳ ସକ୍ଷମ ହୋଇନାହିଁ । ନବୀନଙ୍କ ଅନୁପସ୍ଥିତିରେ ରାଜନୈତିକ ବ୍ୟାପାର କମିଟିକୁ ପୂରା କ୍ଷମତା ଦିଆଯାଇଥିଲା । ଦେବୀ ମିଶ୍ରଙ୍କୁ ସାମ୍ନାକୁ ଅଣାଯାଇଥିଲା । ହେଲେ ଏହା ଦଳ ପାଇଁ ସେଭଳି ଫଳପ୍ରଦ ହୋଇନାହିଁ ।
ଅଧଗଢା ହୋଇ ପଡିଛି ସଙ୍ଗଠନ
୧- ଆଗକୁ ଛାତ୍ର ସଂସଦ ନିର୍ବାଚନ ଥିବାବେଳେ ଛାତ୍ର ସଭାପତିଙ୍କ ନାଁ ଘୋଷଣା ହୋଇପାରିଲାନି
୨- ମହିଳା, ଯୁବ ମୋର୍ଚ୍ଚାର କାର୍ଡ ଖୋଲିନାହାନ୍ତି ନବୀନ ପଟ୍ଟନାୟକ
୩- ଗଞ୍ଜାମ ସମେତ ୯ଟି ବଡ଼ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା ହୋଇନାହିଁ
୪- କାର୍ଯ୍ୟକାରିଣୀ, ରାଜ୍ୟପରିଷଦ ଚୟନ ହୋଇଥିଲେ ବି ଏଯାଏଁ ଘୋଷଣା ହୋଇନାହିଁ
ଅର୍ଥାତ ଦଳର ନେତା କେଉଁ ପଦ ପଦବୀ ପାଇଛନ୍ତି, ସେ ନେଇ ସନ୍ଦିହାନ ଅଛନ୍ତି । ପ୍ରମୁଖ ବିରୋଧୀ ହିସାବରେ ଯେମିତି ସରକାରଙ୍କୁ ଘେରିବା କଥା ସେମିତି ଘେରିପାରୁନି ବିଜେଡି । ନବୀନ ମୁମ୍ବାଇରୁ ଫେରିବା ପରେ, ଦଳର ପରବର୍ତ୍ତୀ ରାଜନୈତିକ କାର୍ଯ୍ୟପନ୍ଥାକୁ ଅପେକ୍ଷା କରିଛନ୍ତି ନେତା ଓ କର୍ମୀ ।