କନକ ବ୍ୟୁରୋ : ଗୁଜରାଟରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ହୋଇଛି । ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ମନ୍ତ୍ରୀମାନଙ୍କୁ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଗାନ୍ଧିନଗର ମହାତ୍ମା ମନ୍ଦିରରେ ଶପଥ ସମାରୋହ ଆୟୋଜନ କରାଯାଇଥିଲା । ହର୍ଷ ସଂଘଭି ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ।
ଗୁଜରାଟର ନୂଆ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ୍ ୨୬ ଜଣ ସ୍ଥାନ ପାଇଛନ୍ତି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ପୂର୍ବ ମନ୍ତ୍ରିମଣ୍ଡଳରେ ୮ଜଣ କ୍ୟାବିନେଟ୍ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀ, ଏପରି ମୋଟ୍ ୧୬ ଜଣ ମନ୍ତ୍ରୀ ଥିଲେ । ଏମାନଙ୍କ ମଧ୍ୟରୁ କିଛି ବାଦ୍ ପଡ଼ିଥିବା ବେଳେ କିଛି ବିଧାୟକଙ୍କ ମନ୍ତ୍ରୀ ପଦ ବଜାୟ ରହିଛି । ଉତ୍ତର ଜାମନଗର ବିଧାୟିକା ତଥା କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ।
ନୂଆ ମନ୍ତ୍ରିମଣ୍ଡଳ ଗଠନ ପାଇଁ ଗତକାଲି ସମସ୍ତ ୧୬ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ପରେ ଏକ ବୈଠକରେ ଏମାନଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ଆଜି ଗୁଜରାଟରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଛି । ୨୦୨୭ ନିର୍ବାଚନକୁ ଆଖି ଆଗରେ ରଖି ନୂଆ ମନ୍ତ୍ରିମଣ୍ଡଳ ଗଠନ କରାଯାଇଛି । ନୂଆ ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ବହୁ ବିଧାୟକ ଓ ବରିଷ୍ଠ ନେତା ଉପସ୍ଥିତ ଥିଲେ ।