କନକ ବ୍ୟୁରୋ: ମହାରାଷ୍ଟ୍ର ନିର୍ବାଚନ ଫଳାଫଳକୁ ନେଇ ରାହୁଲଙ୍କ ଆଲେଖ୍ୟ ପରେ ବୟାନବାଜି ତେଜିବାରେ ଲାଗିଛି । ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗନ୍ଧୀଙ୍କୁ ଟୁଇଟ୍ କରି ଟାର୍ଗେଟ୍ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ । ପ୍ରତିକ୍ରିୟା ଦେଇ କହିଛନ୍ତି, ଜନତାଙ୍କ ଦ୍ୱାରା ଖାରଜ ହେବା ପରେ ବାରମ୍ୱାର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଅପମାନିତ କରୁଛନ୍ତି ରାହୁଲ । ବାରମ୍ୱାର ସେ ଜନାଦେଶକୁ ଅନାଦର କରୁଛନ୍ତି । ଲୋକ ରାହୁଲଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି, ପ୍ରତିବଦଳରେ ଏବେ ରାହୁଲ ଲୋକମତକୁ ପ୍ରତ୍ୟାଖ୍ୟାନ କରୁଛନ୍ତି । ଏହାଦ୍ୱାରା କଂଗ୍ରେସ ଦଳର କୌଣସି ଲାଭ ହେବ ନାହିଁ ବରଂ ପତନ ହେବ ବୋଲି ସୋସିଆଲ୍ ମିଡିଆ ଏକ୍ସରେ ଲେଖିଛନ୍ତି ଦେବେନ୍ଦ୍ର ଫଡନାଭିସ୍ ।
ରାହୁଲ ଅଭିଯୋଗ କରିଥିଲେ ଯେ, ମହାରାଷ୍ଟ୍ରରେ ଓଲଟପାଲଟ ପାଇଁ ଏନଡିଏର ୫ ପ୍ରକାର ମଡେଲ ଗ୍ରହଣ କରାଯାଇଥିଲା । ନିର୍ବାଚନ କମିସନଙ୍କ ନିଯୁକ୍ତି ପାଇଁ ପ୍ୟାନେଲରେ ରିଗିଂ ହୋଇଥିଲା । ଭୋଟର ତାଲିକାରେ ଜାଲ୍ ଭୋଟରଙ୍କୁ ସ୍ଥାନ ଦିଆଯାଇଥିଲା । ଭୋଟଗ୍ରହଣ ପ୍ରତିଶତକୁ ଅଧିକ ଦର୍ଶାଯାଇଥିଲା । ବିଜେପି କମ୍ ଭୋଟ ପାଉଥିବା ସ୍ଥାନଗୁଡ଼ିକରେ ଜାଲ୍ ଭୋଟରଙ୍କୁ ସ୍ଥାନିତ କରାଯାଇଥିଲା । ଏହା ସହିତ ପ୍ରମାଣଗୁଡ଼ିକୁ ଅଗୋଚରରେ ରଖାଯାଇଥିଲା ।
ସେପଟେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନର ଜବାବ ଦେଇଛି ନିର୍ବାଚନ କମିସନ । କମିସନ କହିଛନ୍ତି, ଭୋଟର ଲିଷ୍ଟକୁ ନେଇ ରାହୁଲଙ୍କ ଅଭିଯୋଗ ଭିତ୍ତିହୀନ । ଏଭଳି ଅଭିଯୋଗ ନିୟମ ଓ ବ୍ୟବସ୍ଥା ଉପରେ ଅପମାନ । କମିସନ ଉପରେ ଆଧାରହୀନ ଅଭିଯୋଗ କରିବା ଅସଙ୍ଗତ ଓ ଗମ୍ଭୀର ବିଷୟ । ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ସମ୍ପୂର୍ଣ୍ଣ ଠିକ୍ ଓ ସ୍ବଚ୍ଛ । ରାହୁଲଙ୍କ ମନ୍ତବ୍ୟ ଲକ୍ଷ ଲକ୍ଷ ନିର୍ବାଚନ କର୍ମଚାରୀଙ୍କୁ ହତୋତ୍ସାହିତ କରୁଛି । ଭୋଟରଙ୍କ ନିଷ୍ପତ୍ତି ପରେ ଏଭଳି ଅଭିଯୋଗ ଠିକ ନୁହେଁ । ନିର୍ବାଚନ ସମ୍ପର୍କିତ ସମସ୍ତ ତଥ୍ୟ ୱେବସାଇଟରେ ଉପଲବ୍ଧ ଅଛି, ଏହି ତଥ୍ୟକୁ ଅଣଦେଖା କରାଯାଉଛି ।