କନକ ବ୍ୟୁରୋ: ଭାରତ ଏବଂ ୟୁନାଇଟେଡ୍ କିଙ୍ଗଡମ୍ (ୟୁକେ) ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଐତିହାସିକ ବାଣିଜ୍ୟ ଚୁକ୍ତିକୁ ନେଇ ଏବେ ଭାରି ଚର୍ଚ୍ଚା ଚାଲିଛି । କାରଣ ଏହି ଚୁକ୍ତିଦ୍ବାରା ଭାରତ ନିଜ ଦେଶର ଅନେକ ସାମଗ୍ରୀକୁ ରପ୍ତାନୀ କରିପାରିବ । ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ମେକ୍ ଇନ୍ ଇଣ୍ଡିଆ' ଏବଂ 'ଭୋକାଲ୍ ଫର୍ ଲୋକାଲ୍' ଅଭିଯାନକୁ ବେଶ୍ ପ୍ରୋତ୍ସାହିତ କରିବ । ଏହି ଚୁକ୍ତିନାମାକୁ ଆନୁଷ୍ଠାନିକ ଭାବେ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟିକ ଚୁକ୍ତି (CETA) କୁହାଯାଉଛି । ତାହା ଭାରତର ପ୍ରାୟ ୯୯% ରପ୍ତାନି ସାମଗ୍ରୀକୁ ୟୁକେ ବଜାରରେ ଶୁଳ୍କମୁକ୍ତ ପ୍ରବେଶର ସୁଯୋଗ ଦେବ। ଏହାଦ୍ବାରା ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟ ୫୬ ବିଲିୟନ ଡଲାରରୁ ବୃଦ୍ଧି ପାଇ ୧୦୦ ବିଲିୟନ ଡଲାରରୁ ଅଧିକ ହେବାର ଆଶା କରାଯାଉଛି। 

Advertisment

କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏହି ଚୁକ୍ତିକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିବା ସହ ନିଜ ସୋସିଆଲ ମିଡିଆ ପେଜ୍‌ରେ ସେୟାର ମଧ୍ୟ କରିଛନ୍ତି । ପୀୟୂଷ କହିଛନ୍ତି, ଏହି ଚୁକ୍ତି ଭାରତୀୟ ଶ୍ରମ-ପ୍ରଧାନ ଶିଳ୍ପଗୁଡ଼ିକ ଯେପରିକି ବୟନଶିଳ୍ପ, ଚମଡ଼ା ଏବଂ ପ୍ରକ୍ରିୟାକୃତ ଖାଦ୍ୟ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ ।  ତେବେ ଦେଶର କେଉଁ ରାଜ୍ୟର କେଉଁ ସାମଗ୍ରୀ ବିଦେଶକୁ ରପ୍ତାନୀ ହେବ କାହା ବି ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି । କିନ୍ତୁ ବଡ଼ ଦୁଃଖର କଥା ଏହି ତାଲିକାରେ ଓଡ଼ିଶାର କୌଣସି ସାମଗ୍ରୀ ନାହିଁ । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ବି ପ୍ରଶ୍ନ କରିଛନ୍ତି ବିରୋଧୀ । 

ପୀୟୂଷ ଦେଇଥିବା ତାଲିକା ଅନୁସାରେ, ଆନ୍ଧ୍ରପ୍ରଦେଶ, କେରଳ ଏବଂ ତାମିଲନାଡୁର ସାମୁଦ୍ରିକ ଉତ୍ପାଦ ଯଥା ଚିଙ୍ଗୁଡ଼ି ଓ ଚୁନା ମାଛ ୟୁକେର ୫.୪ ବିଲିୟନ ଡଲାରର ସାମୁଦ୍ରିକ ଖାଦ୍ୟ ବଜାରରେ ଶୁଳ୍କମୁକ୍ତ ପ୍ରବେଶ କରିବ । ଠିକ୍‌ ସେମିତି ଉତ୍ତର ଭାରତର ଜମ୍ମୁ ଓ କଶ୍ମୀରର ପଶ୍ମିନା ସାଲ୍, କେଶର ଓ ବାସୁମତି  ଚାଉଳ, ପଞ୍ଜାବ ଓ ହରିୟାଣାର ବାସୁମତି ଚାଉଳ ଏବଂ ଜଳନ୍ଧରର କ୍ରୀଡ଼ା ସାମଗ୍ରୀ; ଉତ୍ତରପ୍ରଦେଶର ଆଗ୍ରା ଓ କାନପୁରର ଚମଡ଼ା ସାମଗ୍ରୀ ଏବଂ ମିରଟର କ୍ରୀଡ଼ା ଉପକରଣ ରପ୍ତାନି ବୃଦ୍ଧି ପାଇବ। 

•    ପଶ୍ଚିମ ଭାରତ: ଗୁଜରାଟର ବାନ୍ଧଣୀ ଓ ସୁରଟର ବସ୍ତ୍ର, ମୋର୍ବିର ସେରାମିକ୍ସ ଏବଂ ସୁରଟର ହୀରା; ମହାରାଷ୍ଟ୍ରର କୋହ୍ଲାପୁରୀ ଚପଲ, ଅଙ୍ଗୁର ଓ ପିଆଜ ପାଇଁ ନୂଆ ବଜାର ସୃଷ୍ଟି ହେବ। 
•    ପୂର୍ବ ଭାରତ: ପଶ୍ଚିମବଙ୍ଗର ଡାର୍ଜିଲିଂ ଚା, ବାଲୁଚରି ଶାଢି ଏବଂ ତ୍ରିପୁରାର ରବର ରପ୍ତାନିକୁ ପ୍ରୋତ୍ସାହନ ମିଳିବ। 
•    ଦକ୍ଷିଣ ଭାରତ: ତାମିଲନାଡୁର କାଞ୍ଚିପୁରମ୍ ଶାଢ଼ି, କେରଳର ମସଲା (ଗୋଲମରିଚ, ଅଳେଇଚ), କଫି ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ଉଦ୍ୟାନ କୃଷି ଉତ୍ପାଦ ଶୁଳ୍କମୁକ୍ତ ପ୍ରବେଶର ସିଧାସଳଖ ଲାଭ ପାଇବ ।
•    ଏହା ବ୍ୟତୀତ, କୃଷିଜାତ ଦ୍ରବ୍ୟ ଯେପରିକି ଫଳ, ପନିପରିବା, ଡାଲି, ଆଚାର, ଏବଂ ପ୍ରସ୍ତୁତ ଖାଦ୍ୟ ଉପରେ ଶୁଳ୍କ ହ୍ରାସ ହେବ। ଏହି ଚୁକ୍ତି କେବଳ ଏକ ବାଣିଜ୍ୟିକ ସହଭାଗିତା ନୁହେଁ ବରଂ ଏହା ଭାରତୀୟ ଉତ୍ପାଦକ ଏବଂ କାରିଗରଙ୍କୁ ବିଶ୍ୱସ୍ତରୀୟ ମାନ୍ୟତା ଦେବା ସହ ଆର୍ଥିକ ସମୃଦ୍ଧିର ଏକ ନୂତନ ମାର୍ଗ ପ୍ରଶସ୍ତ କରିବ ବୋଲି ପୀୟୂଷ କହିଛନ୍ତି । ହେଲେ ଏହାରି ଭିତରେ ଓଡ଼ିଶାର ନାଁ ନଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।