କନକ ବ୍ୟୁରୋ: ବିଜେଡି କର୍ପୋରେଟର୍‌ ଅମରେଶ ଜେନା ଓରଫ ବାୟାଁଙ୍କ ବିରୋଧରେ ଲଭ୍ ସେକ୍ସ ଧୋକା ଭଳି ସଙ୍ଗିନ୍ ଅଭିଯୋଗ ଆସିବା ପରେ ପୁଲିସ୍ ତାଙ୍କ ଟେର୍ ପାଉନି । ଫେରାର୍ ବାୟାଁଙ୍କୁ ପୁଲିସ ଖୋଜୁଥିବାବେଳେ ତାଙ୍କୁ ଫେରାର୍ କରାଇବାରେ ସହଯୋଗ କରିଥିବା ୫ ଜଣ ସାଙ୍ଗଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ୍। ହେଲେ ବାୟାଁଙ୍କ ନାଁରେ ନାରୀ ନିର୍ଯାତନାର ଅଭିଯୋଗ ହୋଇଥିଲେ ବି ଚୁପ୍ ବସିଛି ବିଜେଡି । ଯାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।

Advertisment

ଅମରେଶ ଜେନା ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଓ ଗର୍ଭନଷ୍ଟ କରିବା ସହ ହତ୍ୟା ଧମକ ଦେବା ନେଇ ଯୁବତୀ ଜଣଙ୍କ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିଲେ । ଏନେଇ ଲକ୍ଷ୍ମୀସାଗର ଥାନା ପୁଲିସ ବିଭିନ୍ନ ଦଫା ଆଧାରରେ ମାମଲା ରୁଜୁ କରି ଯୁବତୀଙ୍କ ଡାକ୍ତରୀ ମାଇନା କରାଇବା ସହ ଯୁବତୀଙ୍କ ବୟାନ ରେକର୍ଡ କରିଥିଲା । ଏହାପରଠାରୁ ହିଁ ବାୟାଁ ଜେନା ଫେରାର୍ ହୋଇଯାଇଛନ୍ତି ।

ଯୁବତୀଙ୍କ ଏତଲା ମୁତାବକ, ୨୦୨୩ରେ ସେ ୧୭ ବର୍ଷ ବୟସର ହୋଇଥିବା ‌ବେଳେ ଏକ ରଜ ଉତ୍ସବ କାର୍ଯ୍ୟକ୍ରମରେ କର୍ପୋରେଟର୍‌ ବାୟାଁଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ପରସ୍ପର ପରିଚିତ ହେବା ପରେ ବାୟାଁ ତାଙ୍କୁ ଏକ ମୋବାଇଲ୍‌ ଉପହାର ଦେଇଥିଲେ । କିଛିଦିନ କଥାବାର୍ତ୍ତା ପରେ ବାୟାଁ ଭଲପାଉଥିବା କହିଥିଲେ । ବାରମ୍ବାର ପ୍ରେମ ନିବେଦନ ପରେ ନାବାଳିକା ତାଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ । ଏହାପରେ ବାୟାଁ ତାଙ୍କୁ ପୁରୀକୁ ନେଇ ସେଠାରେ ଜଣେ ସାଙ୍ଗଙ୍କ ଘରେ ରଖି ଶାରୀରିକ ସମ୍ପର୍କ ରଖିଥିଲେ । ଏହାପରେ ବିଭିନ୍ନ ସମୟରେ ବୁଲାବୁଲି କରିବା ସହ ଉଭୟ ସମ୍ପର୍କ ରଖିଥିଲେ । କିଛି ମାସ ମଧ୍ୟରେ ବିବାହ ପ୍ରତିଶ୍ରୁତି ଦେଇ ଗର୍ଭ ନଷ୍ଟ କରିଦେବାକୁ କହିଥିଲେ ବାୟାଁ । ହେଲେ ଏପ୍ରିଲ୍‌ ମାସରେ ବାୟାଁ ଯୁବତୀଙ୍କୁ ନିଜ କାର୍‌ରେ ନେଇ ହଠାତ୍‌ ତାଙ୍କଠାରୁ ମୋବାଇଲ୍‌ ଛଡ଼ାଇ ନେଇଥିଲେ । ଆଉ ଦୂରେଇ ରହିବାକୁ କହିଥିଲେ । ଉଭୟଙ୍କ ଭିତରେ ଥିବା ସମ୍ପର୍କ ଓ ଘଟଣା ବି‌ଷୟରେ କାହାକୁ କହିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ । ଯାହାକୁ ନେଇ ଯୁବତୀ ଜଣଙ୍କ ବାୟାଁଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି ।

ଏପଟେ ଫେରାର୍ ପୂର୍ବରୁ ଅମରେଶ ଜେନା କହିଥିଲେ ଯେ ମୋ ବିରୋଧରେ ଏହା ଏକ ଷଡ଼୍‌ଯନ୍ତ୍ର । ମୁଁ ସେ ଝିଅକୁ ଜାଣିନାହିଁ । ଯଦି ତଦନ୍ତରେ ପୁଲିସ ମୋର ସେଭଳି କିଛି ସମ୍ପୃକ୍ତି ପାଏ, ତେବେ ମୋତେ ଗିରଫ କରୁ  । ହେଲେ ଏବେ ପୁଲିସଠାରୁ ଲୁଚିଛନ୍ତି ବାୟାଁ ଜେନା । ବଡ଼ କଥା ହେଉଛି, ନିଜ ଦଳର ଭାବମୂର୍ତ୍ତିକୁ ସ୍ବଚ୍ଛ ରଖୁଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବାୟାଁଙ୍କ ବିରୁଦ୍ଧରେ କୌଣସି ଆକ୍ସନ ନେଇନାହାନ୍ତି । ପୂର୍ବରୁ ସରକାରରେ ଥିବାବେଳେ ଅନେକ ନେତା ମନ୍ତ୍ରୀଙ୍କ ବିରୋଧରେ କିଛି ବି ଅଭିଯୋଗ ଆସିଲେ କଠୋର କାର୍ଯ୍ୟାନୁଷ୍ଠାନ ନେଉଥିବା ନବୀନ ଏବେ ନରମି ଯାଇଛନ୍ତି କାହିଁକି? ବାୟାଁଙ୍କୁ ସୁରକ୍ଷା ଦେଉଛି କିଏ? ଏଭଳି ଅନେକ ପ୍ରଶ୍ନ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।