କନକ ବ୍ୟୁରୋ: ବିହାର ନିର୍ବାଚନ ପାଖେଇ ଆସୁଥିବା ବେଳେ ଆରମ୍ଭ ହୋଇଯାଇଛି ଦଳ ଡିଆଁ ରାଜନୀତି । ଟିକେଟ୍ ଲୋଭରେ ବା ଦଳରେ ଅସନ୍ତୋଷ କାରଣରୁ ଗୋଟିଏ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଉଛନ୍ତି ନେତା । ଆଉ ଏହାରି ଭିତରେ ନୀତିଶ କୁମାରଙ୍କୁ ଲାଗିପାରେ ବଡ଼ ଝଟକା । ମୁସଲିମ ସମ୍ପ୍ରଦାୟର ପ୍ରଭାବଶାଳୀ ନେତା ଏବଂ ପୂର୍ବତନ ଜେଡିୟୁ ଏମଏଲସି ସଲମାନ ରାଗିବ ମୁନ୍ନା ଜୁଲାଇ ୯ରେ ଆରଜେଡିରେ ଯୋଗ ଦେବାକୁ ଯାଉଛନ୍ତି । ସଲମାନ ରାଗିଭ ମୁନ୍ନା ୱାକଫ ଆଇନ ବିରୁଦ୍ଧରେ ଅସନ୍ତୋଷ ପ୍ରକାଶ କରି ଏହି ନିଷ୍ପତ୍ତି ନେଇଛନ୍ତି । 

Advertisment

ନୱାଡ଼ାରେ ଯେଉଁଠି ମୁସଲମାନ ସମୁଦାୟ ଅଞ୍ଚଳ ଉପରେ ନୀତିଶଙ୍କ ପଲ୍ଲା ଭାରି ଥିଲା ସେଠାରେ ଏବେ ନୀତିଶ ଦୁର୍ବଳ ହେଉଥିବା ପରି ମନେ ହେଉଛି । ସଲମାନ ନୱାଡାରେ ଏକ ଟାଣୁଆ ନେତା ଥିଲେ । ଜନତାଙ୍କ ଭରସା ସଲମାନଙ୍କ ଉପରେ ରହିଛି । ସଲମାନଙ୍କ ଦୃଢ଼ ସଂଗଠନ ରହିଛି । ଆଉ ନିର୍ବାଚନ ପାଖେଇ ଆସୁଥିବା ବେଳେ ସଲମାନ ନୀତିଶଙ୍କ ହାତ ଛାଡ଼ିବା କେଉଁଠି ନା କେଉଁଠି ନୀତିଶଙ୍କ ଦଳ ଉପରେ ପ୍ରଭାବ ପକାଇବ ଏଥିରେ କୌଣସି ସନ୍ଦେହ ନାହିଁ । ସଲମାନ କହିଛନ୍ତି, ଜେଡିୟୁ ମୁସଲମାନଙ୍କ ପ୍ରତି ଅନ୍ୟାୟ କରିଛନ୍ତି । ମୁସଲମାନଙ୍କ ପ୍ରତି ଦୋମୁହାଁ ନୀତି ଆପଣାଇଛନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । 

ଦୁଇ ପୂର୍ବତ୍ତନ ବିଧାୟକ ବି ଆରଜେଡିରେ ହେବେ ସାମିଲ

ସଲମାନ ରାଗିଭ ମୁନ୍ନାଙ୍କ ବ୍ୟତିତ ପୂର୍ବତ୍ତନ ବିଧାୟିକା ପୂର୍ଣ୍ଣିମା ଯାଦବ ଏବଂ କୌଶଲ ଯାଦବ ବି ଜେଡିୟୁ ଛାଡ଼ି ଆରଜେଡ଼ିରେ ସାମିଲ ହେବାକୁ ଯାଉଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ମଗଧ ଅଞ୍ଚଳର ମୁସଲିମ ସମ୍ପ୍ରଦାୟର ଜଣେ ପ୍ରମୁଖ ନେତା ଭାବରେ ବିବେଚିତ ସଲମାନ ରାଗିଭ ମୁନ୍ନା ପ୍ରାୟ ୧୮ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସମର୍ଥନ କରିଆସିଛନ୍ତି । ନୀତିଶଙ୍କ ସାଥ୍ ଦେଇଆସିଛନ୍ତି, ଏବେ ଯଦି ନୀତିଶଙ୍କ ହାତ ଛାଡ଼ନ୍ତି ତେବେ ନିର୍ବାଚନ ଫଳ ଉପରେ କି ପ୍ରଭାବ ପକାଇବ ତାହା ସମୟ ହିଁ କହିବ । 

ଅନ୍ୟପଟେ ନୱାଡ଼ାରେ ଜୁଲାଇ ୯ରେ ବଡ଼ କାର୍ଯ୍ୟକ୍ରମ କରିବାକୁ ଯାଉଛନ୍ତି ତେଜସ୍ବୀ ଯାଦବ । ଏଥିପାଇଁ ସଲମାନ ରାଗିଭ ମୁନ୍ନା ବଡ଼ ଦାୟିତ୍ବ ଗ୍ରହଣ କରିଛନ୍ତି । କର୍ଯ୍ୟକ୍ରମ ପାଇଁ ବିଶାଳ ପେଣ୍ଡାଲର ବ୍ୟବସ୍ଥା କରିବା ସହ, ବଡ଼ ଆୟୋଜନ କରିଛନ୍ତି । କୁହାଯାଉଛି ଏହି କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ । ଗୋଟିଏ ପଟେ ତେଜସ୍ବୀ ଯାଦବ ଆସୁଥିବା ବେଳେ ଅନ୍ୟପଟେ ନୀତିଶଙ୍କୁ ଲଗାତାର ଟାର୍ଗେଟ୍ କରିଚାଲିଛନ୍ତି ସଲମାନ ରାଗିଭ ମୁନ୍ନା । ସେ କହିଛନ୍ତି, ତେଜସ୍ବୀ ଯାଦବଙ୍କୁ ନେଇ ଉଠିଥିବା ସ୍ବର ପୂରା ମଗଧରେ ଗୁଞ୍ଜରିତ ହେବ । ଯାହା ନିର୍ବାଚନରେ ଏନଡିଏ ପାଇଁ ବି ଚିନ୍ତାର ବିଷୟ ପାଲଟିବ ।