BJD Photograph: (Kanak News)
କନକ ବ୍ୟୁରୋ : ନବୀନଙ୍କ ଆକ୍ସନ ଏବେ ତୃଣମୂଳସ୍ତରରେ ବିଜେଡିକୁ ଶକ୍ତିଶାଳୀ ନୁହେଁ ବରଂ ଦୁର୍ବଳ କରିବାରେ ଲାଗିଛି । ବିକଳ୍ପ ଚେହେରା ସୃଷ୍ଟି ନକରି ଦଳବିରୋଧୀ ଟ୍ୟାଗ୍ ଦେଇ ନେତାଙ୍କୁ ନିଲମ୍ବନ କରିବା ବିଜେଡି ପାଇଁ ବୁମେରାଂ ହୋଇପାରେ । ଦଳ ଅନେକ ଅଞ୍ଚଳରେ ଏବେ ନେତୃତ୍ୱଶୂନ୍ୟ । ଏଭଳି ସ୍ଥିତିରେ ପଞ୍ଚାୟତ ପରୀକ୍ଷାକୁ କେମିତି ଯିବ ବିଜେଡି, ତାହା ମୁଖିଆ, ନେତା ଓ କର୍ମୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।
ବିଜେପି ନିଇତି ବଳ ଗୋଟାଇ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶକ୍ତିଶାଳୀ ହେଉଛି । ବିଜେଡି ଗଡକୁ ଭାଙ୍ଗି ଧସେଇ ପସୁଛି । ଅନ୍ୟପଟେ ବିଜେଡିର ତୃଣମୂଳଠାରୁ- ଶୀର୍ଷ ସ୍ତରର ସଙ୍ଗଠନ ଦୋହଲିଗଲାଣି । କେଉଁଠି ନେତା ବିଜେଡିରୁ ମୁହଁ ଫେରାଉଛନ୍ତି, ତ ଆଉ କେଉଁଠି ଦଳ ବିରୋଧୀର ଆଖ୍ୟା ଦେଇ ଜଣଙ୍କ ପରେ ଜଣେ ନେତାଙ୍କୁ ନିଲମ୍ବନ କରୁଛନ୍ତି ବିଜେଡି ସୁପ୍ରିମୋ । ପ୍ରଫୁଲ୍ଲ ମଲ୍ଲିକ (ବରିଷ୍ଠ ନେତା), ଅରବିନ୍ଦ ମହାପାତ୍ର (ପାଟକୁରା ବିଧାୟକ), ସନାତନ ମହାକୁଡ଼ (ଚମ୍ପୁଆ ବିଧାୟକ), ଶଶୀ ସାହୁ (ବିଜେଡି ନେତା), ଶ୍ରୀମୟୀ ମିଶ୍ର (ନିଲମ୍ବିତ ବିଜେଡି ନେତ୍ରୀ), ନଳିନୀପ୍ରଭା ଜେନା (ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଯାଜପୁର), ଗଣେଶ୍ୱର ବରାଳଙ୍କ(ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ଯାଜପୁର) ଭଳି ନେତାଙ୍କୁ ବିଜେଡିରୁ ବାହାର ରାସ୍ତା ଦେଖାଇଛନ୍ତି । ଯାହାର ପ୍ରଭାବ ସିଧାସଳଖ ଦଳୀୟ ସଙ୍ଗଠନ ଉପରେ ପଡ଼ିଛି । ଅନେକ ଅଞ୍ଚଳରେ ନେତୃତ୍ୱ ଶୂନ୍ୟ ହୋଇ ପଡିଲାଣି ଦଳ ।
ଅଧିକ ପଢ଼ନ୍ତୁ : ପଞ୍ଚାୟତ ନିର୍ବାଚନ ପାଇଁ ରିଭିଜନ ଆରମ୍ଭ କଲେ ପ୍ରମୁଖ ରାଜନୈତିକ ଦଳ, ରୁଦ୍ଧଦ୍ୱାର ବୈଠକ କରି ପ୍ରସ୍ତୁତ କରୁଛନ୍ତି ରଣନୀତି
ପରିବର୍ତ୍ତିତ ରାଜନୈତିକ ସ୍ଥିତିରେ ବିଜେଡିରେ ବଦଳୁଛି ପାୱାରସେଣ୍ଟର । ଯାହା ବିଜେଡିରେ ଗୋଷ୍ଠୀକନ୍ଦଳକୁ ଉଗ୍ର କରିଛି । ଭିତରେ ଭିତରେ ଶୀର୍ଷ ସ୍ତରର ଦଳୀୟ ନେତାଙ୍କ ମଧ୍ୟରେ ଚାଲିଛି ଶୀତଳଯୁଦ୍ଧ । ଯାହାର ପ୍ରଭାବ ତୃଣମୂଳସ୍ତରର ସଙ୍ଗଠନ ଉପରେ ପଡ଼ିଛି । ଯେଉଁମାନଙ୍କୁ କ୍ଷମତାକେନ୍ଦ୍ର ଚାହୁନି ସେମାନଙ୍କ ଅନୁଗତ ଦଳୀୟ ଆକ୍ରୋଶର ଶିକାର ହେଉଥିବା ଚର୍ଚ୍ଚା ହେଉଛି । ସିଧା ବାଜୁଛି ମୁଖିଆଙ୍କ ଦଳବିରୋଧୀ ଷ୍ଟାମ୍ପ। ହେଲେ ପ୍ରଶ୍ନ ଉଠୁଛି, ବିଜେଡିରେ ଏମିତି କେତେ ଦଳବିରୋଧୀ ନେତା ଅଛନ୍ତି ? ଦଳବିରୋଧୀର ସଂଜ୍ଞା କ’ଣ ତାହା ନିଲମ୍ବିତ ନେତା ଜାଣୁନାହାନ୍ତି ? ନିଲମ୍ବନ ପର୍ବ ଭିତରେ ସଙ୍ଗଠନ ଶୂନ ହୋଇଯିବନି ତ ?
ପଞ୍ଚାୟତ ନିର୍ବାଚନର ପାଗ ଭିଡ଼ା ଭିତରେ ବିଜେଡି ପାଇଁ ବିଜେପି ଯେତିକି ଚ୍ୟାଲେଞ୍ଜ ନୁହେଁ, ଦଳୀୟ ଅନ୍ତଃକନ୍ଦଳ ତାହା ଠାରୁ ବଡ ଚ୍ୟାଲେଞ୍ଜ ।
Follow Us