କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପ୍ରସଙ୍ଗ । ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ । ଏହାରି ଭିତରେ ଅନେକ ପ୍ରାର୍ଥୀ ନିଜ ପ୍ରାର୍ଥୀପତ୍ର ଦାଖଲ କରିବା ଆରମ୍ଭ କରିସାରିଲେଣି । ହେଲେ ମହାଗଠବନ୍ଧନରେ ହୋଇପାରୁନି ଆସନ ବୁଝାମଣା । ଆରଜେଡି ଓ କଂଗ୍ରେସ ମଧ୍ୟରେ ଅଚଳାବସ୍ଥା ଜାରି ରହିଥିବାବେଳେ କେବଳ ସିପିଆଇଏମଏଲ ୧୮ ଆସନରେ ପ୍ରାର୍ଥୀ ଘୋଷଣା କରିଛି । କଂଗ୍ରେସ ପ୍ରାୟ ୭୦ ଆସନ ଦାବି କରୁଥିବାବେଳେ ତେଜସ୍ୱୀ ଯାଦବ ଏଥିଲାଗି ଅରାଜି ଅଛନ୍ତି ।
ତେଣେ ବିକାଶଶୀଳ ଇନସାନ ପାର୍ଟି ଅତି କମ୍ରେ ୨୪ ଆସନ ଦାବି କରିଛି । ବିହାରର ଧୀବର ଓ ନୌଚାଳକ ସମ୍ପ୍ରଦାୟର ପୂର୍ଣ୍ଣ ସମର୍ଥନ ଭିଆଇପି ପାଉଥିବାରୁ ଦଳ ଅଧିକ ଆସନ ଚାହୁଛି । ଗତ ୨୦୨୦ ନିର୍ବାଚନରେ ପ୍ରଥମେ ଅଧିକ ଆସନ ପାଇ ମହାଗଠବନ୍ଧନରେ ଥିଲା ଭିଆଇପି । ମାତ୍ର ପରେ ଏହା ଏନ୍ଡିଏକୁ ଚାଲିଯାଇଥିଲା । ଏନ୍ଡିଏରେ ଥାଇ ୧୧ ଆସନ ଲଢିଥିଲା ଭିଆଇପି । ପାଇଥିଲା ୪ ଆସନ । ଦଳର ଜଣେ ବିଧାୟକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ବିଧାୟକ ବିଜେପିକୁ ଚାଲିଯାଇଥିଲେ । ପୂର୍ବରୁ ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ବିଭାଗ ମନ୍ତ୍ରୀ ଥିଲେ ସାହାଣୀ ।
ବିହାର ବିଧାନସଭା ନିର୍ବାଚନରେ ଜଟିଳ ହେବ ଜାତି ଗଣିତ । ରାଜ୍ୟର ଜନସଂଖ୍ୟା ୧୩ କୋଟି ୭୦ ଲକ୍ଷ ହୋଇଥିବା ବେଳେ ଅଛନ୍ତି ମୋଟ ୨୧୫ ଜାତି । ଅର୍ଥନୈତିକ ବିକାଶ, ପଛୁଆ ବର୍ଗଙ୍କ ଉନ୍ନତି ଏହି ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ହୋଇଛି । ରାଜ୍ୟରେ ହିନ୍ଦୁଙ୍କ ସଂଖ୍ୟା ୮୧.୯% ହୋଇଥିବା ବେଳେ ମୁସଲିମ ସଂଖ୍ୟା ୧୭.୭% ଓ ଅନ୍ୟାନ୍ୟ ବର୍ଗର ଲୋକଙ୍କ ସଂଖ୍ୟା ରହିଛି ୦.୪% । ଆରଜେଡି ଓ କଂଗ୍ରେସର ଭୋଟବ୍ୟାଙ୍କ କୁହାଯାଉଥିବା ମୁସଲିମ ଭୋଟ ଏଥର ପ୍ରଭାବିତ ହୋଇପାରେ । କାରଣ ଏଆଇଏମଆଇଏମ ବହୁ ଆସନରେ ପ୍ରାର୍ଥୀ ଦେଉଛି । ସାଧାରଣ ବର୍ଗରେ ୭ ଜାତି ଥିବାବେଳେ ସେମାନଙ୍କ ଅନୁପାତ ହେଉଛି ୧୫.୪% । ବ୍ରାହ୍ମଣ- ୩.୫%, ଭୂମିହାର ୨.୯%, ରାଜପୁତ -୩.୪%, କାୟସ୍ଥ-୦.୬%, ଶେଖ -୩.୮%, ପଠାନ- ୦.୭%, ସୟାଦ- ୦.୨% ରହିଛନ୍ତି । ପଛୁଆ ବର୍ଗରେ ୩୦ ଜାତି ଥିବାବେଳେ ସେମାନଙ୍କ ସଂଖ୍ୟା ରହିଛି ୨୭.୨% ।
ଯାଦବଙ୍କ ସଂଖ୍ୟା ୧୪.୩% ହୋଇଥିବାରୁ ଏହା ଆରଜେଡି ଲାଗି ବିଶେଷ ସହାୟକ ହେବ । ତେବେ ଲାଲୁ ପରିବାରରେ ମତଭେଦ ଯୋଗୁ ଏହି ଭୋଟ ସାମାନ୍ୟ ପ୍ରଭାବିତ ହୋଇପାରେ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କୁର୍ମୀ ସମ୍ପ୍ରଦାୟର ହୋଇଥିବାବେଳେ ତାଙ୍କ ଜାତିର ଭୋଟର ସଂଖ୍ୟା ରହିଛି ୨.୯ ପ୍ରତିଶତ । ଖୁସୱାହା ୪.୨% ଥିବାରୁ ଅଧିକାଂଶ ଦଳ ଏହି ବର୍ଗର ପ୍ରାର୍ଥୀଙ୍କୁ ଚୟନ କରିଛନ୍ତି । ଏସସି ବର୍ଗରେ ୨୨ ଜାତି ଥିବାବେଳେ ସେମାନଙ୍କ ହାର ହେଉଛି ୧୯.୭% । ପାସ୍ୱାନଙ୍କ ହାର ୫.୩% ରହିଥିବାରୁ ସେହି ଭୋଟ ଉପରେ ଆଖି ରଖିଛି ଲୋକଜନଶକ୍ତି ପାର୍ଟି ।
ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିହାର ଗସ୍ତରେ ଅଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାରଙ୍କ ବାସଭବନକୁ ଯାଇ ଆଲୋଚନା କରିଛନ୍ତି ଶାହ । ପ୍ରାୟ ୪୫ ମିନିଟ୍ ଧରି ନୀତୀଶଙ୍କ ଘରେ ଅମିତ ଶାହ ରହିଥିଲେ । ଏହି ସାକ୍ଷାତ ଆଲୋଚନା ନେଇ ନୀତୀଶ କିମ୍ବା ଅମିତ ଶାହ କୌଣସି ସୂଚନା ଦେଇ ନଥିଲେ ମଧ୍ୟ ରାଜନୈତିକ ମହଲରେ ଗୁଞ୍ଜରଣ ସୃଷ୍ଟି ହୋଇଛି । ବିଜେପି ଏବଂ ଜେଡିୟୁ ମଧ୍ୟରେ ନିର୍ବାଚନୀ ବୁଝାମଣା ହୋଇଥିଲେ ମଧ୍ୟ ଆସନ ବଣ୍ଟନ, ନେତୃତ୍ୱ ଏବଂ ଆଉକିଛି ପ୍ରସଙ୍ଗକୁ ନେଇ ବିବାଦ ରହିଛି । ଅମିତା ଶାହ ଓ ନୀତୀଶ କୁମାର ଏସବୁ ବିବାଦର ସମାଧାନ ପାଇଁ ଆଲୋଚନା କରିଥିବା ଅନୁମାନ କରାଯାଉଛି । ନିର୍ବାଚନ ସମୟରେ ଏଭଳି ସାକ୍ଷାତ ଆଲୋଚନା ସାଧାରଣ କଥା ହୋଇଥିଲେ ମଧ୍ୟ ରାଜନୈତିକ ତଥ୍ୟାଭିଜ୍ଞ ମହଲ ନାନା ପ୍ରକାର ଆକଳନ କରୁଛନ୍ତି । ଅମିତ ଶାହ ଗତକାଲିଠାରୁ ତିନିଦିନିଆ ବିହାର ଗସ୍ତରେ ଅଛନ୍ତି । ସେ କିଛି ନିର୍ବାଚନୀ ସଭାରେ ଯୋଗଦେବେ ।