କନକ ବ୍ୟୁରୋ : ବିଜେପି ଅଫିସରେ ଜଗନ୍ନାଥ ପ୍ରଧାନ । ସମର୍ଥକଙ୍କୁ ଧରି ଭୁବନେଶ୍ବରସ୍ଥିତ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ । ପାର୍ଟି ଅଫିସରେ ଅଛନ୍ତି ବରିଷ୍ଠ ନେତା ।  ସେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତୃବୃନ୍ଦଙ୍କୁ ଦଳୀୟ କାର୍ଯ୍ୟାଳୟରେ ଭେଟିଛନ୍ତି । ସେ ଶୃଙ୍ଖଳା କମିଟି ଆଗରେ ନିଜର ମତ ରଖୁଛନ୍ତି । ଜଗନ୍ନାଥ ପ୍ରଧାନ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଲା ପରେ କିଛି ବଡ଼ଧରଣର ଘଟଣା ଘଟିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି । ତାଙ୍କର ସମର୍ଥକମାନେ ମଧ୍ୟ ବିଜେପି କାର୍ଯ୍ୟାଳୟ ସାମ୍ନାରେ ଭିଡ଼ ଲଗାଇଛନ୍ତି । ବିଜେପି କାର୍ଯ୍ୟାଳୟ ସାମ୍ନାରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି । ସେହିପରି ଖାରବେଳ ନଗର ଥାନାରେ ମଧ୍ୟ ପୁଲିସ ମୁତୟନ କରାଯାଇଛି ।

Advertisment

ବିଜେପି କାର୍ଯ୍ୟାଳୟରେ ପହଞ୍ଚିବା ପୂର୍ବରୁ ଜଗନ୍ନାଥ ପ୍ରଧାନ ଆଜି ସନ୍ଧ୍ୟାରେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଥିଲେ, ରାଜ୍ୟରେ ଦୁଇଦିନ ହେବ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଘଟଣାରେ ବିରୋଧୀ ଦଳ ଏକ ରାଜନୈତିକ ରୁଟି ସେକିବା ପାଇଁ ପ୍ରୟାସ କରୁଛି ।
 
ଜଗନ୍ନାଥ ପ୍ରଧାନ କହିଛନ୍ତି, ମୁଁ ଆଗରୁ କହିଛି, ଏବେ ବି କହୁଛି, ଏହି ଘଟଣା ଦୁଖଦାୟକ ଓ ନିନ୍ଦନୀୟ । ଏହାକୁ ମୁଁ କଡ଼ା ଶଦ୍ଦରେ ନିନ୍ଦା କରୁଛି । ରାଜ୍ୟରେ ପ୍ରଶାସନିକ ଅଚଳାବସ୍ଥା ଆଡ଼କୁ ଗତି କରୁଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାକୁ ଯାଉଛି । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ଏବଂ ଆମ ସରକାରର ହିତ ପାଇଁ ମୁଁ ଆଇନକୁ ସମ୍ମାନ ଦେଉଛି । ଆଇନ ଅନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ, ସେଥିରେ ମୁଁ ସଂପୂର୍ଣ୍ଣ ସହଯୋଗ କରିବି । 
ସୂଚନାଯୋଗ୍ୟ, ଗତ ସୋମବାର ଦିନ ବିଏମ୍‌ସିର ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣା ନେଇ ଜଗନ୍ନାଥ ପ୍ରଧାନ ବିବାଦରେ ଫସିଛନ୍ତି । ଏହି ଘଟଣା ପରେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ସଂଘ ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି । ରାଜ୍ୟର ପ୍ରାୟ ୧୭ଟି ଜିଲ୍ଲାରେ ଓଏଏସ୍‌ ଅଧିକାରୀମାନେ କଲମ ଛାଡ଼ ଆନ୍ଦୋଳନ ଜାରି ରଖିଛନ୍ତି ।