କନକ ବ୍ୟୁରୋ : ଜୁଲାଇ ୨୧ ତାରିଖରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି । ହେଲେ ପାର୍ଲାମେଣ୍ଟ ଅଧିବେଶନ ପୂର୍ବରୁ ବସିପାରିଲାନି ବିଜେଡି ସଂସଦୀୟ ଦଳ ବୈଠକ । ପ୍ରତ୍ୟେକ ଅଧିବେଶନ ପୂର୍ବରୁ ସାଂସଦଙ୍କୁ ବିଜେଡି ସୁପ୍ରିମୋ ଦେଇଥାନ୍ତି ଗୁରୁମନ୍ତ୍ର । ଦିଲ୍ଲୀରେ ଦଳର ଆଭିମୁଖ୍ୟ ବାବଦରେ ସଂକେତ ଦେଇଥାନ୍ତି ନବୀନ । ତେବେ ଚଳିତ ଅଧିବେଶନ ପୂର୍ବରୁ ନବୀନ-ସାଂସଦଙ୍କ ମଧ୍ୟରେ ବୈଠକ ନହେବା ଅନେକ ରାଜନୈତିକ ଚର୍ଚ୍ଚାକୁ ଜନ୍ମ ଦେଇଛି ।
କାହିଁକି ବସିଲାନି ବିଜେଡି ସଂସଦୀୟ ଦଳ ବୈଠକ?
ଚର୍ଚ୍ଚା ହେଉଛି ଓ୍ୱାକଫ୍କୁ ନେଇ ବିଜେଡି ସାଂସଦ ଦୁଇ ଭାଗ ହୋଇଛନ୍ତି
ଏବେ ବି ବିଲ୍କୁ ନେଇ ସାଂସଦଙ୍କ ଭିତରେ ମତାନ୍ତର ଓ ମନାନ୍ତର ରହିଛି
ତେଣୁ ସଂସଦରେ ଏକ ସ୍ବର ହେବାକୁ ସଙ୍ଗଠିତ ହୋଇପାରିନାହାନ୍ତି ଦଳୀୟ ସାଂସଦ
ଦଳର ମୁଖିଆ ଅପରେସନ୍ ସାରି ଫେରିବା ପରେ କେଉଁ ପ୍ରସଙ୍ଗରେ ଦଳ ଆଗକୁ ବଢ଼ିବ ସେନେଇ ନବୀନ ନିବାସରୁ ବାର୍ତ୍ତା ଦିଆଯାଇଛି ।
ବିଜେଡି ପାଇଁ ଅଗ୍ନିପରୀକ୍ଷା
ୱାକଫ୍ ବିଲ୍ ପ୍ରସଙ୍ଗରେ ବିଜେଡିର ଡବଲ ଷ୍ଟାଣ୍ଡାର୍ଡକୁ ନେଇ ଦଳ ଭିତରେ ବିରୋଧ ଉଠିଥିଲା । ବରିଷ୍ଠ ନେତା ଖୋଲାଖୋଲି ଦଳର ଆଭିମୁଖ୍ୟକୁ ନେଇ ମୁଖିଆଙ୍କୁ ପ୍ରଶ୍ନ କଲେ । ଏସବୁ ଭିତରେ ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ । ପୁଣିଥରେ ୱାକଫ୍ ଫର୍ମୁଲା ଆପଣାଇବନି ତ ଦଳ? ତେଣୁ ବିଜେଡି ଉପରେ ସମସ୍ତଙ୍କର ଆଖି ରହିଛି । ଏନ୍ଡିଏ ନା ଇଣ୍ଡି ମେଣ୍ଟ । କାହାକୁ ସମର୍ଥନ ଦେବ ବିଜେଡି? ଓଡ଼ିଶାରେ ଶାସକ ବିରୋଧରେ ରଣହୁଙ୍କାର ଦେଉଥିବା ବିଜେଡି ଦିଲ୍ଲୀରେ ମନ ପରିବର୍ତ୍ତନ କରିଦେବନି ତ? ଆଗକୁ ରାଜ୍ୟସଭା ସହ ରହିଛି ପଞ୍ଚାୟତ ନିର୍ବାଚନ। ତେଣୁ ନେତାଙ୍କ ଠାରୁ କର୍ମୀ ସ୍ପଷ୍ଟ ଆଭିମୁଖ୍ୟ ଅପେକ୍ଷାରେ ରହିଛନ୍ତି ।