କନକ ବ୍ୟୁରୋ : ଅସୁସ୍ଥ ହେବା ପରେ ଗତକାଲି ସନ୍ଧ୍ୟାରୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ନବୀନ । ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ହସ୍ପିଟାଲରେ ଭର୍ତ୍ତି ହେବା ପରେ ନବୀନ ଧୀରେ ଧୀରେ ସୁସ୍ଥ ହେଉଥିବା ହସ୍ପିଟାଲ ପକ୍ଷରୁ କୁହାଯାଉଛି । ମେଡିକାଲ କର୍ତ୍ତୁପକ୍ଷଙ୍କ ସୂଚନା ଅନୁସାରେ ଡିହାଇଡ୍ରେସନ ହୋଇଥିଲା ।
ଚିକିତ୍ସା ପରେ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ଆଉ ଟିକେ ସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ । ତାଙ୍କ ପାଖ ଲୋକଙ୍କ କହିବା ଅନୁସାରେ ଡିହାଇଡ୍ରେସନ ହୋଇଥିଲା । ସେଥିପାଇଁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ନବୀନ ଅସୁସ୍ଥ ହେବା ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।
ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା କେମିତି ଅଛି ଜାଣିବା ପାଇଁ ହସ୍ପିଟାଲରେ ଭିଡ଼ ଜମିଛି । ସବୁ ଦଳର ନେତା ହସ୍ପିଟାଲରେ ପହଁଚି ସ୍ୱାସ୍ଥ୍ୟବସ୍ଥା ବୁଝିଛନ୍ତି । ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ଶାସକ ଦଳର ବହୁ ନେତା ହସ୍ପିଟାଲରେ ପହଞ୍ଚି ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ । ପରବର୍ତ୍ତୀ ସମୟରେ ହସ୍ପିଟାଲ ବେଡରେ ନବୀନ ଚିକିତ୍ସିତ ହେଉଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ନବୀନ ଡାକ୍ତରଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଥିଲା । ନବୀନ ପଟ୍ଟନାୟକଙ୍କୁ ଆଜି ଅପରାହ୍ନରେ ଅବଜରଭେସନ୍ ରୁମ୍ରୁ କ୍ୟାବିନ୍କୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ମେଡିକାଲ୍ ବୁଲେଟିନ୍ରେ କୁହାଯାଇଛି ।