Pradeep Majhi Photograph: (Kanak News)
କନକ ବ୍ୟୁରୋ : ବିଜେଡି ନେତା ପ୍ରଦୀପ ମାଝୀଙ୍କ ବିରୋଧରେ ଥାନାରେ ଏତଲା । ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ସମ୍ମୁଖରେ ଫାୟାରିଂ କରିବା ଧମକ ଦେବା ଘଟଣାରେ ପ୍ରଦୀପ ମାଝୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଗତ ମାସ ୨୦ ତାରିଖରେ ପ୍ରେସର କୁକୁର ଫାଟି କୋଷାଗୁମୁଡା ବ୍ଲକ କାକଡ଼ି ସେମଳା ସ୍କୁଲ ଛାତ୍ର ଧନେଶ୍ୱର ଭତ୍ରା ଆହତ ହୋଇଥିଲା । ୨୮ ତାରିଖ ରାତିରେ ସ୍କୁଲ ପାଚେରୀ ଡେଇଁ ଆହତ ଛାତ୍ରକୁ ରାତି ଅଧରେ ହଷ୍ଟେଲ ପରିସରରୁ ଆଣି ଉନ୍ନତ ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିଥିଲେ ।
ଏହି ସମୟରେ ବାକ୍ ସଂଯମତା ହରାଇ ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକାଙ୍କୁ ଫାୟାରିଂ କରିଦେବେ ବୋଲି ଖୋଲାଖୋଲି ଧମକ ଦେଇଥିଲେ ପ୍ରଦୀପ ମାଝୀ । ଏହି ଘଟଣାର ୩ ଦିନ ପରେ ନବରଙ୍ଗପୁର ଥାନାରେ ପ୍ରଦୀପ ମାଝୀଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସରକାରୀ କାର୍ଯ୍ୟରେ ଥିବାବେଳେ ଜିଲ୍ଲାପାଳ ତଥା ଅନ୍ୟ ସରକାରୀ ଅଧିକାରୀଙ୍କ ସମ୍ମୁଖରେ ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ ଏଭଳି ଧମକ ଦେବା ମହଙ୍ଗା ପଡ଼ିଛି । ପ୍ରଦୀପ ମାଝୀଙ୍କ ବିରୋଧରେ ଅନେକ ସଙ୍ଗିନ ଦଫା ଲାଗିଛି । ବିଧାନସଭାରେ ଗତକାଲି ଏହି ପ୍ରସଙ୍ଗ ଉଠିଥିଲା ।
Follow Us