କନକ ବ୍ୟୁରୋ : ଆଉ ଏକ ରାଜନୈତିକ ପରିବାରରେ ଦଳରୁ ପୁଅକୁ ତଡ଼ିଲେ ବାପା । ତାମିଲନାଡୁର ଆଞ୍ଚଳିକ ଦଳ ପିଏମକେର ପ୍ରତିଷ୍ଠାତା ଏସ୍. ରାମଦୋସ ଗୁରୁବାର ତାଙ୍କ ପୁଅ ତଥା ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅମ୍ୱୁମଣି ରାମଦୋସଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ବହିଷ୍କାର କରିଛନ୍ତି । ଅମ୍ବୁମଣିଙ୍କ ସହ ସମ୍ପର୍କ ନରଖିବାକୁ ଦଳର କ୍ୟାଡରମାନଙ୍କୁ କୁହାଯାଇଛି ।
ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅମ୍ୱୁମଣି ରାମଦୋସଙ୍କ ବହିଷ୍କାର ପରେ ତାମିଲନାଡୁର ଛୋଟ ଆଞ୍ଚଳିକ ଦଳ ପିଏମକେରେ ସଂକଟ ଘନେଇଛି । ପୂର୍ବରୁ ପିଏମକେର ପ୍ରତିଷ୍ଠାତା ହିସାବରେ ପୁଅ ଅମ୍ୱୁମଣିଙ୍କୁ ବାପା ଏସ. ରାମଦୋସ ଦଳର ସଭାପତି ପଦରୁ ବାହାର କରିଥିଲେ । କିନ୍ତୁ ଅମ୍ବୁମଣି ତାହା ନମାନି ତାମିଲନାଡୁ ସାରା ବୁଲି ଦଳର କ୍ୟାଡରଙ୍କୁ ମଜଭୁତ କରିବାକୁ ଚେଷ୍ଟା ଚଳାଇଥିଲେ । ଦଳର କେନ୍ଦ୍ରୀୟ ପରିଷଦ ଦ୍ୱାରା ସଭାପତି ନିର୍ବାଚିତ ହୋଇଥିବାରୁ ତାଙ୍କୁ ବହିଷ୍କାର କରିବା ଅଧିକାର ବାପାଙ୍କର ନାହିଁ ବୋଲି ଜବାବ ଦେଇଥିଲେ ଅମ୍ୱୁମଣି ।
ଏଭଳି ପରିସ୍ଥିତି କିଛି ମାସ ଧରି ଲାଗି ରହିଥିଲା । ସମସ୍ୟାର ସମାଧାନ ପାଇଁ ଦଳର ବରିଷ୍ଠ ନେତାମାନେ ବାପପୁଅଙ୍କ ମଧ୍ୟରେ ମିଳାମିଶା କରିବାକୁ ଚେଷ୍ଟା ଚଳାଇଥିଲେ । ମାତ୍ର ଉଭୟ ନିଜ ନିଜ ଜିଦରେ ଅଟଳ ରହିବାରୁ ବିବାଦର ସମାଧାନ ହୋଇପାରିନଥିଲା । ଶେଷରେ ଗୁରୁବାର ବରିଷ୍ଠ ନେତାଙ୍କ ସହ ଆଲୋଚନା ପରେ ପୁଅ ଅମ୍ୱୁମଣିଙ୍କୁ ପିଏମକେର ପ୍ରାଥମିକ ସଦସ୍ୟ ପଦରୁ ବାପା ଏସ. ରାମଦୋସ ବହିଷ୍କାର କରିଛନ୍ତି ।
୧୯୮୭ରେ ଭାନିଗର ସଂରକ୍ଷଣ ଆନ୍ଦୋଳନରୁ ଜନ୍ମ ନେଇଥିଲା ପିଏମକେ । ଏହାର ପ୍ରତିଷ୍ଠାତା ହେଉଛନ୍ତି ଏସ. ରାମଦୋସ । ଏହି ଦଳ ବିଭିନ୍ନ ସମୟରେ ତାମିଲନାଡୁର ଦୁଇ ପ୍ରମୁଖ ଆଞ୍ଚଳିକ ଦଳ ଡିଏମକେ କିମ୍ୱା ଏଆଇଏଡିମକେ ସହ ରହିଆସିଛି । ୨୦୦୪ ନିର୍ବାଚନରେ ୟୁପିଏ ସହ ପିଏମକେ ସାମିଲ ହୋଇଥିଲା । ପୁଅ ଅମ୍ୱୁମଣିଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରାଇବାରେ ସଫଳ ହୋଇଥିଲେ ଏସ. ରାମଦୋସ । ଏବେ ବାପା ଏସ ରାମଦୋସ୍ ଡିଏମକେ ମେଣ୍ଟରେ ସାମିଲ ହେବାକୁ ଚାହୁଥିବା ବେଳେ ପୁଅ ଅମ୍ୱୁମଣି ଏଆଇଏଡିଏମକେରେ ରହିବାକୁ ଚାହୁଛନ୍ତି । ଏଭଳି ପରିସ୍ଥିତିରେ ତାମିଲନାଡୁରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ପିଏମକେରେ ବିଭାଜନ ଆଶଙ୍କା ଦେଖାଦେଇଛି । ପୂର୍ବରୁ ବିହାରରେ ଆରଜେଡିରୁ ପୁଅ ତେଜପ୍ରତାପଙ୍କୁ ବାପା ଲାଲୁ ପ୍ରସାଦ ବାହାର କରିଥିଲେ । ସେ ଚର୍ଚ୍ଚା ନସରଣୁ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି ।