କନକ ବ୍ୟୁରୋ: ମଧ୍ୟପ୍ରଦେଶ ରାଜନୀତିରେ ଚାଣକ୍ୟ ଭାବରେ ପରିଚିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ତୃତୀୟ ଥର ପାଇଁ ରାଜ୍ୟସଭା ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଛନ୍ତି । ଆଉ ଦିଗିଙ୍କ ଏ ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଖାସ୍ କରି ଦିଗବିଜୟଙ୍କ ଏହି ସନ୍ୟାସ ଘୋଷଣା ମଧ୍ୟପ୍ରଦେଶ ରାଜନୀତିକୁ ସରଗରମ କରଥିବାବେଳେ, ଦଳ ଭିତରେ ବି ଏକ ଲଢ଼େଇକୁ ଜନ୍ମ ଦେଇଛି ।
ଜାଣିରଖିବା ଉଚିତ ଯେ, ଦିଗବିଜୟ ସିଂହଙ୍କ ରାଜ୍ୟସଭା କାର୍ଯ୍ୟକାଳ ଏପ୍ରିଲ ୨୦୨୬ରେ ଶେଷ ହେଉଛି। ଆଉ ତା ପରେ ସେ ପୁଣିଥରେ ରାଜ୍ୟସଭା ନିର୍ବାଚନ ଲଢ଼ିବେନି ବୋଲି ମନା କରିଦେଇଛନ୍ତି । ତେବେ ସଂଖ୍ୟା ବଳ ଅନୁସାରେ କଂଗ୍ରେସ ମଧ୍ୟପ୍ରଦେଶରୁ ଗୋଟିଏ ଆସନ ଜିତିବା ପକ୍କା । ତେଣୁ ଦିଗି ବାବୁଙ୍କ ପରେ ମଧ୍ୟପ୍ରଦେଶରୁ କିଏ ରାଜ୍ୟସଭା ଯିବ ତାକୁ ନେଇ ଏବେ ଅଙ୍କକଷା ଆରମ୍ଭ ହୋଇଛି ।
ମଧ୍ୟପ୍ରଦେଶରୁ ରାଜ୍ୟସଭା ଯିବା ରେସରେ ଯେଉଁ ସବୁ ନେତାଙ୍କ ନାଁ ଚର୍ଚ୍ଚା ହେଉଛି ତା ଭିତରେ ସବୁଠାରୁ ପ୍ରମୁଖ ନାମ ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କମଲନାଥ। ଚର୍ଚ୍ଚା ହେଉଛି ଯେ, କମଲନାଥ ଏବେ ଦିଲ୍ଲୀ ରାଜନୀତିକୁ ଫେରିବାକୁ ଚାହୁଁଛନ୍ତି । ଆଉ ଯଦି ଏହା ସତ ହୁଏ ତେବେ କଂଗ୍ରେସର ଶୀର୍ଷ ନେତୃତ୍ୱ ତାଙ୍କୁ ରାଜ୍ୟସଭା ପଠାଇ ପାରନ୍ତି । ଏହାସହ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ଜିତୁ ପଟୱାରୀଙ୍କ ନାଁ ମଧ୍ୟ ଏହି ରେସରେ ସାମିଲ ଅଛି । ତାଙ୍କ ବ୍ୟତୀତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ପୂର୍ବତନ ପିସିସି ମୁଖ୍ୟ ଅରୁଣ ଯାଦବ ଏବଂ ପୂର୍ବତନ ବିରୋଧୀ ଦଳ ନେତା ଅଜୟ ସିଂହଙ୍କ ନାମ ମଧ୍ୟ ଏହି ରେସରେ ରହିଛି ।
ଆହୁରି ପଢ଼ନ୍ତୁ : କାନାଡ଼ାରେ ବୃଦ୍ଧ ଦମ୍ପତିଙ୍କ ହତ୍ୟା, ୩ ଭାରତୀୟ ଅଭିଯୁକ୍ତ ବିଚାର ଆରମ୍ଭ
ମଧ୍ୟପ୍ରଦେଶ ରାଜନୀତିକୁ ଦେଖୁଥିବା ଲୋକଙ୍କ କହିବା କଥା, ଦିଗବିଜୟ ସିଂହ ଏବେ ମଧ୍ୟପ୍ରଦେଶର କଂଗ୍ରେସ କର୍ମୀ ଏବଂ ମଧ୍ୟପ୍ରଦେଶର ଲୋକଙ୍କ ମଧ୍ୟରେ ସମୟ କାଟିବାକୁ ଚାହୁଁଛନ୍ତି । ଖାସ୍ କରି ୨୦୨୮ ବିଧାନସଭା ନିର୍ବାଚନକୁ ଆଖିରେ ରଖି, ସେ ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ କରିବା ପାଇଁ ରଣନୀତି କସୁଛନ୍ତି । ତେଣୁ ଏହି କ୍ରମରେ ସେ ରାଜ୍ୟସଭା ନିର୍ବାଚନ ଲଢ଼ିବାକୁ ମନା କରିବା ସହିତ ମଧ୍ୟପ୍ରଦେଶରେ ହିଁ ସଙ୍ଗଠନକୁ କେମିତି ସଜାଡ଼ିହେବ ସେନେଇ ଚିନ୍ତା କରୁଛନ୍ତି ।
ମଧ୍ୟପ୍ରଦେଶର ସିଟ୍ ଗଣିତ
ଜାଣିରଖିବା ଉଚିତ ଯେ, ମଧ୍ୟପ୍ରଦେଶରେ ମୋଟ ୧୧ଟି ରାଜ୍ୟସଭା ଆସନ ଅଛି। ଏଥିମଧ୍ୟରୁ କଂଗ୍ରେସ ପାଖରେ ତିନୋଟି ଆସନରେ ଅଛି, ଆଉ ବିଜେପି ପାଖରେ ୮ଟି ଆସନରେ ଅଛି । ମଧ୍ୟପ୍ରଦେଶରେ ତିନୋଟି ରାଜ୍ୟସଭା ଆସନ ଚଳିତ ବର୍ଷ ଖାଲି ହେବ । ତା ଭିତରୁ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ କାର୍ଯ୍ୟକାଳ ଏପ୍ରିଲ ୯ ତାରିଖରେ ଶେଷ ହେଉଥିବାବେଳେ, ବିଜେପି ସାଂସଦ ସୁମେର ସିଂହ ସୋଲାଙ୍କିଙ୍କ କାର୍ଯ୍ୟକାଳ ମଧ୍ୟ ସେହି ଦିନ ଶେଷ ହେଉଛି । ଏହାସହ ଜର୍ଜ କୁରିଏନଙ୍କ କାର୍ଯ୍ୟକାଳ ମଧ୍ୟ ଜୁନ୍ ୨୦୨୬ରେ ଶେଷ ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2026/01/14/rajya-sabha-mp-2026-01-14-17-10-37.jpg)