କନକ ବ୍ୟୁରୋ: ଜଗଦୀପ ଧନଖଡ଼ଙ୍କ ଇସ୍ତଫାକୁ ନେଇ କଳ୍ପନାଜଳ୍ପନା ଜୋର ଧରିଥିବା ବେଳେ ଜଣାପଡ଼ିଛି ଯେ ସରକାରଙ୍କ ସହ ତାଙ୍କର ବିବାଦ ଗୋଟିଏ ଦିନର ନୁହେଁ । ପୂର୍ବତନ ଉପରାଷ୍ଟ୍ରପତିଙ୍କ ଦାବି ତାଲିକାକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା । ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ବିରୋଧରେ ମହାଭିଯୋଗ ଆଣିବା ପାଇଁ ବିରୋଧୀଙ୍କ ସମର୍ଥିତ ପ୍ରସ୍ତାବ ଗ୍ରହଣ । କରିବାକୁ ନେଇ ବିବାଦ ଚରମରେ ପହଞ୍ଚିଥିଲା । ସୂତ୍ରରୁ ପ୍ରକାଶ ଯେ, ଜଷ୍ଟିସ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ନେଇ ଧନଖଡ଼ ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ସହ ଯୋଗାଯୋଗରେ ଥିଲେ । ବିରୋଧୀଙ୍କ ପ୍ରସ୍ତାବ ଗ୍ରହଣ କରିବାରୁ ଧନଖଡ଼ଙ୍କୁ ରୋକିବା ପାଇଁ ସରକାର ୩ ଥର ପ୍ରୟାସ କରିଥିଲେ ।

Advertisment

ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ଓ ରାଜ୍ୟସଭା ନେତା ଜେପି ନଢା ମିଳିତ ମହାଭିଯୋଗ ପ୍ରସ୍ତାବ ପାଇଁ ସହମତି ସୃଷ୍ଟି ଲାଗି ପ୍ରୟାସ ଜାରି ରହିଥିବା ଦର୍ଶାଇ ଉପରାଷ୍ଟ୍ରପତିଙ୍କୁ ଅପେକ୍ଷା କରିବାକୁ ଅନୁରୋଧ କରିଥିଲେ । କେନ୍ଦ୍ରର ହସ୍ତକ୍ଷେପ ଓ ବାରମ୍ବାର ସ୍ମାରକପତ୍ର ସତ୍ତ୍ବେ ଧନଖଡ଼ ରାଜ୍ୟସଭାରେ ବିରୋଧୀ ସାଂସଦଙ୍କ ଦସ୍ତଖତସମ୍ବଳିତ ଚିଠି ପାଇଥିବା ଘୋଷଣା କରିଥିଲେ । ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ୪ରୁ ୫ ଦିନ ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଜଷ୍ଟିସ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ କେନ୍ଦ୍ରର ଉଦ୍ଦେଶ୍ୟ ବିଷୟରେ ଉପରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ । ରାଜ୍ୟସଭାରେ ମଧ୍ୟ ସମାନ ପ୍ରସ୍ତାବ ଆଗତ କରାଯିବ ବୋଲି ଧନଖଡ଼ଙ୍କୁ କୁହାଯାଇଥିଲା। ମୌସୁମୀ ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଓ ଧନଖଡ଼ ଅଚାନକ ଇସ୍ତଫା ହେବାର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରିଜିକୁ ପୂର୍ବତନ ଉପରାଷ୍ଟ୍ରପତିଙ୍କୁ ସମାନ ସୂଚନା ଦେଇଥିଲେ । ସେତେବେଳକୁ ସରକାର ନିମ୍ନ ସଦନରେ ବିରୋଧୀ ଦଳର ସଦସ୍ୟଙ୍କ ଦସ୍ତଖତ ସଂଗ୍ରହ କରିସାରିଥିଲେ ।

କଂଗ୍ରେସ ନେତାଙ୍କ ସହ ଜଗଦୀପ ଧନଖଡ଼ଙ୍କ ବୈଠକ

ସେପଟେ ଧନଖଡ଼ ରବିବାର ଓ ସୋମବାର କିଛି ବିରୋଧୀ ଦଳ ନେତାଙ୍କୁ ଭେଟି ଜଷ୍ଟିସ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ଉପରେ ଆଲୋଚନା କରିଥିଲେ । ତେବେ ବିରୋଧୀ ତାଙ୍କୁ କ’ଣ କହୁଛନ୍ତି ସେ ନେଇ ଉପରାଷ୍ଟ୍ରପତି ସରକାରଙ୍କୁ ନ ଜଣାଇ ଚୁପ୍ ବସିଥିବା ଅଭିଯୋଗ ହୋଇଛି । ସୋମବାର ସକାଳ ସୁଦ୍ଧା ଏହା ସ୍ପଷ୍ଟ ହୋଇଯାଇଥିଲା ଯେ ଉପରାଷ୍ଟ୍ରପତି କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କୁ ଭେଟି ବିରୋଧୀ ଦଳ ନେତାଙ୍କ ଦ୍ବାରା ସଂଗ୍ରହ କରାଯାଇଥିବା ଦସ୍ତଖତକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରି ସେହି ଦିନ ଗୃହରେ ପ୍ରସ୍ତାବ ଘୋଷଣା କରିବାକୁ ପ୍ରସ୍ତୁତ ଥିଲେ । ଏହି ସମୟରେ ସରକାର ତିନି ଥର ଉପରାଷ୍ଟ୍ରପତିଙ୍କ ସହ ଯୋଗାଯୋଗ କରି କହିଥିଲେ ଯେ ସଂଗ୍ରହ କରାଯାଉଥିବା ଦସ୍ତଖତରେ ଶାସକ ଦଳର ସାଂସଦମାନଙ୍କ ଦସ୍ତଖତ ମଧ୍ୟ ରହିବା ଉଚିତ, କାରଣ ଏଜେଣ୍ଡା ସର୍ବସମ୍ମତିକ୍ରମେ ସ୍ଥିର ହୋଇଛି। ପ୍ରଥମେ ଜେପି ନଡ୍ଡା ଓ କିରଣ ରିଜିଜୁ ଉପରାଷ୍ଟ୍ରପତିଙ୍କୁ ଭେଟିଥିଲେ । ଦ୍ବିତୀୟ ଥର ପାଇଁ ରିଜିଜୁ ଓ ଅର୍ଜୁନ ମେଘୱାଲ ତାଙ୍କୁ ଭେଟିଥିଲେ I ତୃତୀୟ ଥର ପାଇଁ କେବଳ ମେଘୱାଲ ତାଙ୍କୁ ଭେଟି ସରକାରଙ୍କୁ ବିଶ୍ବାସରେ ନେବା ଉଚିତ ଏବଂ ଶାସକ ଦଳର ସାଂସଦଙ୍କ ଦସ୍ତଖତ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି ଜଣାଇଥିଲେ । କିନ୍ତୁ ଉପରାଷ୍ଟ୍ରପତି ଗୃହରେ ବିରୋଧୀ ସାଂସଦଙ୍କ ତାଲିକା ପଢ଼ିବେ ବୋଲି ସ୍ପଷ୍ଟ ସଙ୍କେତ ଦେଇଥିଲେ ।

ବିଭିନ୍ନ ଦାବିକୁ ନେଇ ଉତ୍ତେଜନା ଲାଗି ରହିଥିଲା

ସରକାର ଓ ଧନଖଡ଼ଙ୍କ ମଧ୍ୟରେ ସଂଘର୍ଷ ଗୋଟିଏ ଦିନର ଘଟଣା ନ ଥିଲା । ଆମେରିକୀୟ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଗସ୍ତ ପୂର୍ବରୁ ଧନଖଡ଼ କହିଛନ୍ତି, ମୁଁ ମଧ୍ୟ ଜଣେ ଉପରାଷ୍ଟ୍ରପତି ଓ ତାଙ୍କ ସମକକ୍ଷ, ତେଣୁ ମୁଁ ତାଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିବି । ଏହାପରେ ଜଣେ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ ତାଙ୍କୁ ଫୋନ୍ କରି ସ୍ପଷ୍ଟ କରିଥିଲେ ଯେ ଜେଡି ଭାନ୍ସ ଉପରାଷ୍ଟ୍ରପତି ହୋଇଥିଲେ ମଧ୍ୟ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଆମେରିକା ରାଷ୍ଟ୍ରପତିଙ୍କଠାରୁ ଏକ ବାର୍ତ୍ତା ଆଣିଛନ୍ତି । ଏହା ମଧ୍ୟ ଦାବି କରାଯାଇଛି ଯେ ଧନଖଡ଼ ମନ୍ତ୍ରୀମାନଙ୍କ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଫଟୋ ସହିତ ତାଙ୍କ ଫଟୋ ପ୍ରଦର୍ଶିତ କରିବାକୁ ବାରମ୍ବାର ଅନୁରୋଧ କରୁଥିଲେ । ସେ ମଧ୍ୟ ତାଙ୍କ ଗାଡ଼ିଗୁଡ଼ିକୁ ମର୍ସିଡିଜ୍ ବେଞ୍ଜ କାର୍‌କୁ ଅପଗ୍ରେଡ୍ କରିବା ପାଇଁ ଏକାଧିକ ଥର ଚାପ ପକାଉଥିବା ଅଭିଯୋଗ ହୋଇଛି । ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯିବା ପୂର୍ବରୁ ଧନଖଡ଼ ବିନା ପୂର୍ବ ସୂଚନାରେ ରାଷ୍ଟ୍ରପତି ଭବନରେ ପହଞ୍ଚି ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଇସ୍ତଫା ପତ୍ର ଦାଖଲ କରିବା ପରେ ପରଦିନ ସକାଳ ସୁଦ୍ଧା ସରକାର ତାଙ୍କ ସହ ଯୋଗାଯୋଗ କରି ତାଙ୍କୁ ରାଜି କରାଇବେ ଓ ତାଙ୍କ ଇସ୍ତଫା ଗ୍ରହଣ କରାଯିବ ନାହିଁ ବୋଲି ସେ ଆଶା କରିଥିଲେ । କିନ୍ତୁ ସେଭଳି କିଛି ହୋଇ ନ ଥିଲା, କାରଣ ସେତେବେଳକୁ ସରକାର ନିଷ୍ପତ୍ତ ନେଇ ସାରିଥିଲେ ଯେ ସେ ଯିବା ଦରକାର ।