କନକ ବ୍ୟୁରୋ : ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଚିତା ଜଳି ଶୀତଳ ପଡ଼ିଲାଣି । ହେଲେ ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ଏବେ ବି ଉଷ୍ମ । ସରକାରଙ୍କୁ ହଲାପଟା କରିବାକୁ ବିରୋଧୀ ଏହାକୁ ବଡ଼ ମୁଦ୍ଦା କରିଛନ୍ତି । ଲୋକସେବା ଭବନ ଘେରାଉ ଓ ଓଡ଼ିଶା ବନ୍ଦ ଡାକରା ପରେ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଲମ୍ବା ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି ବିରୋଧୀ । ବିଜେଡି ନେତା ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇ ନିରବ ପ୍ରତିବାଦ କରିଛନ୍ତି । ଆସନ୍ତା ୨୧ରେ ଆରଡିସି ସ୍ତରୀୟ ଆନ୍ଦୋଳନ କରି କଟକ, ସମ୍ବଲପୁର ଓ ବ୍ରହ୍ମପୁର ଅଫିସ ଘେରାଉ କରିବାକୁ ନିଷ୍ପତ୍ତି ନେଇଛି ଦଳ ।
ଅନ୍ୟପଟେ କଂଗ୍ରେସ ଆସନ୍ତା ୨୪ରେ ସାରାରାଜ୍ୟରେ ଶ୍ରଦ୍ଧାଞ୍ଜଳି ଦିବସ ପାଳି ଛାତ୍ରୀଙ୍କ ନ୍ୟାୟ ଆନ୍ଦୋଳନକୁ ଜୋରଦାର କରିବ । ଏହାସହ ମହିଳାଙ୍କ ଅଭିଯୋଗ ଶୁଣିବାକୁ କଂଗ୍ରେସ ଭବନରେ ସ୍ବତନ୍ତ୍ର ସେଲ୍ ଗଠନ କରାଯିବ ବୋଲି କହିଛନ୍ତି ଭକ୍ତ । ନ୍ୟାୟ ନୁହେଁ ରାଜନୈତିକ ଫାଇଦା ପାଇଁ ବିରୋଧୀ ଉଦ୍ୟମ କରୁଥିବା କହି କଟାକ୍ଷ କରିଛି ଶାସକ ବିଜେପି । ମୁଖ୍ୟ ବିରୋଧୀ ଦଳ ହେବାକୁ ବିଜେଡି ଓ କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ଚାଲିଛି ।
ବିରୋଧୀ ସରକାରଙ୍କୁ ଘେରିବାକୁ ସୁଯୋଗ ଛାଡୁନଥିବା ବେଳେ ଏହାକୁ ବଳ ଦେଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ଅଘଟଣ ପାଇଁ ସରକାରଙ୍କ ମୁଣ୍ଡରେ ଅପବାଦର ଟୀକା ଲଗାଇଛନ୍ତି ବିଜୟ । କହିଛନ୍ତି, ବାଲେଶ୍ବର ଘଟଣା ସରକାରଙ୍କ ଆଖି ଖୋଲି ଦେଇଛି । ଗୁଇନ୍ଦା ବିଭାଗକୁ ଦାୟୀ କରିବା ସହ କୋର୍ଟ ମନିଟରିଂ ତଦନ୍ତ ଦାବି କରିଛନ୍ତି । ସଂସଦ ଅଧିବେଶନ ପାଇଁ ଆସନ୍ତାକାଲି ଇଣ୍ଡି ମେଣ୍ଟର ବୈଠକ ବସିବ। ଏଥିରେ ବାଲେଶ୍ବର ପ୍ରସଙ୍ଗ ଉଠାଇବ କଂଗ୍ରେସ। ଯାହାକୁ ନେଇ ଆଗକୁ ଓଡ଼ିଶା ପ୍ରସଙ୍ଗରେ କମ୍ପିପାରେ ସଂସଦ ।