କନକ ବ୍ୟୁରୋ : ଗତ କିଛି ଦିନ ହେଲା କଂଗ୍ରେସ ଯାହା କହି ଆସୁଥିଲା ତାହା ହିଁ କରିଛି । ସୁଶାସନ ଦେବାରେ ବିଜେପି ସରକାର ବିଫଳ ହେବା ଅଭିଯୋଗ ଆଣି ଆଜି ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ । ବିଜେଡି ବିଧାୟକଙ୍କୁ ଭେଟି ସମର୍ଥନ ବି ଲୋଡ଼ିଛନ୍ତି କଂଗ୍ରେସ ବିଧାୟକ । କଂଗ୍ରେସର ଏହି ପ୍ରସ୍ତାବକୁ କିନ୍ତୁ ଉପହାସରେ ଉଡ଼ାଇ ଦେଇଛି ଶାସକ ଦଳ ।
ବିଜେପି ସରକାର ପ୍ରତି କୌଣସି ବିପଦ ହେବ ନାହିଁ ଜାଣି ବି ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ । ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି, ବିଧାନସଭା ସଚିବଙ୍କୁ ଭେଟି ବାଚସ୍ପତିଙ୍କ ଉଦ୍ଦେଶ୍ୟରେ ଅନାସ୍ଥା ପ୍ରସ୍ତାବ ନୋଟିସ୍ ଦେଇଛନ୍ତି କଂଗ୍ରେସ ବିଧାୟକ । ଅନାସ୍ଥା ପ୍ରସ୍ତାବ ଜରିଆରେ ମୋହନ ସରକାରଙ୍କ ଗ୍ରହଣୀୟତାର ପରୀକ୍ଷା କରିବାକୁ ଅଣ୍ଟା ଭିଡ଼ିଛି କଂଗ୍ରେସ । ସରକାର ବିରୋଧୀ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ପାଇଁ ସୁଯୋଗ ଖୋଜୁଛି ଦଳ ।
ଅନାସ୍ଥା ଆଣିବା ସହ ବିଜେଡି କୋର୍ଟକୁ ବଲ୍ ଫିଙ୍ଗିଛି କଂଗ୍ରେସ । ସଚିବଙ୍କୁ ଭେଟିବା ପରେ ସିଧା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚ୍ୟାମ୍ବରରେ ପହଞ୍ଚିଥିଲେ କଂଗ୍ରେସର ୪ ବିଧାୟକ । କିନ୍ତୁ ନବୀନ ଉପସ୍ଥିତ ନଥିବାରୁ ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବଙ୍କ ସହ ପ୍ରାୟ ୩୦ମିନିଟ୍ ଧରି ଆଲୋଚନା କରିଛନ୍ତି । କଂଗ୍ରେସ ସମର୍ଥନ ଲୋଡ଼ିବା ପରେ ଅକଳରେ ପଡ଼ିଛି ବିଜେଡି । ଏଥିରୁ ସ୍ପଷ୍ଟ ହେବ ବିଜେଡିର ଆଭିମୁଖ୍ୟ କ’ଣ ? ଦୂରେଇ ରହିଲେ କିମ୍ବା ସମର୍ଥନ କଲେ ସିଧା ବାର୍ତ୍ତା ଲୋକଙ୍କ ପାଖକୁ ଯିବ ।
ବିଧାନସଭାରେ ବିଜେପି - ୭୮, ବିଜେଡି - ୫୦, କଂଗ୍ରେସ -୧୪, ସ୍ୱାଧୀନ - ୩ ଓ ସିପିଆଇଏମ୍ର ଜଣେ ବିଧାୟକ ରହିଛନ୍ତି । ତେଣୁ ସଂଖ୍ୟା ଦୃଷ୍ଟିରୁ ମୋହନ ସରକାର ପାଇଁ କୌଣସି ବିପଦ ନାହିଁ । ତେବେ ଆସନ୍ତାକାଲି ଅନାସ୍ଥା ପ୍ରସ୍ତାବ ଆଲୋଚନା ପୂରା ଚିତ୍ର ସ୍ପଷ୍ଟ ହେବ । ବାଚସ୍ପତି ପ୍ରସ୍ତାବ ଗ୍ରହଣ କଲେ ଆଲୋଚନା ପାଇଁ ତାରିଖ ଧାର୍ଯ୍ୟ ହେବ ।